୨୨ ହଜାର ନିର୍ମାଣ ଶ୍ରମିକଙ୍କୁ ଯୋଗାଯାଇଛି ପକ୍କାଘର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ଅଧିନରେ ପରିଚାଳିତ ଓଡ଼ିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଦ୍ୱାରା ରାଜ୍ୟରେ ଆଜିଠାରୁ ଅର୍ଥାତ୍ ୨ ଠାରୁ ୮ପର୍ଯ୍ୟନ୍‌ତ ନିର୍ମାଣ ଶ୍ରମିକ ସେବା ସପ୍ତାହ ୨୦୨୦ ପାଳନ କରାଯାଉଛି । ଏହାର ରାଜ୍ୟସ୍ତରୀୟ ଉଦଘାଟନ ସମାରୋହକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୧ଟା ୩୦ ମିନିଟ୍ ରେ ସ୍ଥାନୀୟ ସ୍ୱାଧୀନତା ସଂଗ୍ରାମୀ ପଡିଆରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ନିର୍ମାଣ ଶ୍ରମିକମାନଙ୍କୁ ଉଦବୋଧନ ଦେଇ କହିଛନ୍ତି ଯେ, ଶ୍ରମିକମାନଙ୍କର ତ୍ୟାଗ ଓ ଅକ୍ଳାନ୍ତ ପରିଶ୍ରମ ଯୋଗୁଁ ଓଡ଼ିଶା ଆଜି ନିର୍ମାଣ ଓ ବିକାଶ କ୍ଷେତ୍ରରେ ଦ୍ରୁତ ଗତିରେ ଆଗେଇ ଚାଲିଛି । ଶ୍ରମିକମାନଙ୍କର ସର୍ବାଙ୍ଗୀନ ବିକାଶ ଓ ବହୁବିଧ କଲ୍ୟାଣ ନିମନ୍ତେ ରାଜ୍ୟ ସରକାର ପ୍ରତିଶୃତିବଦ୍ଧ । ଶ୍ରମିକମାନଙ୍କର ସାମାଜିକ ସୁରକ୍ଷା ଏବଂ ସେମାନଙ୍କର କଲ୍ୟାଣ ନିମନ୍ତେ ସରକାର ବହୁବିଧ କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ସେ ଅଣସଂଗଠିତ ଶ୍ରମିକ ହେଉ, ପ୍ରବାସୀ ଶ୍ରମିକ ହେଉ କିମ୍ବା ନିର୍ମାଣ ଶ୍ରମିକ ହେଉ । ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡରେ ୨୯ ଲକ୍ଷ ରୁ ଊର୍ଦ୍ଧ୍ୱ ନିର୍ମାଣ ଶ୍ରମିକ ପଞ୍ଜିକୃତ କରାଯାଇ ୧୫୧୮ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି । ଏହାଛଡା ଓଡିଶା ସରକାରଙ୍କ ନିଷ୍ଠାପର ଉଦ୍ୟମ ଫଳରେ ୨୨ହଜାର ନିର୍ମାଣ ଶ୍ରମିକଙ୍କୁ ପକ୍କାଘର ଯୋଗାଇ ଦିଆଯାଉଛି । ନିର୍ମାଣ ଶ୍ରମିକମାନଙ୍କର କଲ୍ୟାଣକାରୀ ଯୋଜନା ସଫଳ ରୂପାୟନ ପାଇଁ ପାଂଚ ଗୋଟି ସେବା ଯଥା-ଶିକ୍ଷା ସହାୟତା, ବିବାହ ସହାୟତା, ପ୍ରସୂତି କାଳୀନ ସହାୟତା, ମୃତ୍ୟୁ କାଳୀନ ସହାୟତା ଓ ଅନ୍ତ୍ୟେଷ୍ଟିକ୍ରିୟା ସହାୟତାକୁ ‘ମୋ ସରକାର’ କାର୍ଯ୍ୟକ୍ରମରେ ସାମିଲ କରାଯାଇଛି ।ଏହାଦ୍ୱାରା ଜନସାଧାରଣ ଓ ସରକାରଙ୍କ ମଧ୍ୟରେ ସମ୍ପର୍କକୁ ଅଧିକ ମଜଭୁତ କରିବାସହ ଜନସାଧାରଣଙ୍କ ପ୍ରତି ପ୍ରଶାସନର ଆସ୍ଥା ଓ ପ୍ରତିଶ୍ରୁତି ବଦ୍ଧତା ବୃଦ୍ଧି ପାଇଛି । ନୂତନ ଜ୍ଞାନ କୌଶଳର ଉପଯୋଗ କରି ଶ୍ରମିକମାନଙ୍କ ପାଖରେ ସେବା ଯୋଗାଇଦେଇ ହିତାଧିକାରୀମାନଙ୍କୁ ଉପକୃତ କରିବା ରାଜ୍ୟ ସରକାରଙ୍କର ପ୍ରାଥମିକତା ।

Spread the love