ସେପ୍ଟେମ୍ବରରେ କେନ୍ଦ୍ରାପଡାକୁ ଗଡ଼ିବ ରେଳ !
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ରାଜ୍ୟ ସଚିବାଳୟ ଠାରେ ଏକ ଉଚ୍ଚସ୍ତରୀୟ ବୈଠକରେ ହରିଦାସପୁର-ପାରାଦୀପ ରେଳ ଲାଇନ ନିର୍ମାଣର ଅଗ୍ରଗତି ସଂପର୍କରେ ସମୀକ୍ଷା କରି ଚଳିତ ବର୍ଷ ସେପ୍ଟେମ୍ବର ସୁଦ୍ଧା ହରିଦାସପୁର ଠାରୁ କେନ୍ଦ୍ରାପଡ଼ା ପର୍ଯ୍ୟନ୍ତ ରେଳ ଯୋଗାଯୋଗ କାର୍ଯ୍ୟ ସଂପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ହରିଦାସପୁରରୁ କେନ୍ଦ୍ରାପଡ଼ା ପର୍ଯ୍ୟନ୍ତ 47 କିଲୋମିଟର ରେଳ ଲାଇନ୍ ନିର୍ମାଣର ଅଗ୍ରଗତିରେ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ। ଏହି ରେଳ ଲାଇନ୍ରେ ପରୀକ୍ଷାମୂୂଳକ ଭାବେ ଏକ ଟାଓ୍ଵାର୍ କାର ମଧ୍ୟ ସଫଳ ଭାବରେ ଚାଲିଛି। ରେଲ ଲାଇନ୍ର ସମସ୍ତ ସ୍ଥାନରେ ନିରବଚ୍ଛିନ୍ନ ଭାବେ କାମ ଜାରି ରଖିବା ପାଇଁ ମୁଖ୍ୟମନ୍ତ୍ରୀ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ରାପଡ଼ା ବିଦ୍ୟୁତ୍ ସବ୍ଷ୍ଟେସନ୍ର କାର୍ଯ୍ୟ ମଧ୍ୟ ସେପ୍ଟେମ୍ବର ସୁଦ୍ଧା ସଂପୂର୍ଣ୍ଣ କରିବା ପାଇଁ ଶକ୍ତି ବିଭାଗ ଓ ଓପିଟିସିଏଲ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାଦ୍ୱାରା ରେଳ ଲାଇନ୍ ସଂପୂର୍ଣ୍ଣ ହେବାର ପ୍ରଥମ ଦିନରୁ ହିଁ ଇଲେକ୍ଟ୍ରି ଟେନ୍ ଗୁଡ଼ିକ ଯାତାୟତ କରିପାରିବ ବୋଲି ସେ ପରାମର୍ଶ ଦେଇଛନ୍ତି। ଏହି ରେଳ ଲାଇନ୍ରେ ପାସେଞ୍ଜର ଟ୍ରେନ୍ ଯାତାୟତ କରିବା ପାଇଁ ସମସ୍ତ ଆବଶ୍ୟକୀୟ ପ୍ରାଥମିକ କାର୍ଯ୍ୟ ସଂପୂର୍ଣ୍ଣ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହି ରେଳ ଲାଇନ୍ ନିର୍ମାଣ ଦ୍ୱାରା କେନ୍ଦ୍ରାପଡ଼ାବାସୀଙ୍କର ବହୁ ଦିନର ସ୍ୱପ୍ନ ପୂରଣ ହୋଇପାରିବ ଏବଂ କେନ୍ଦ୍ରାପଡ଼ା ଜିଲ୍ଲାକୁ ପ୍ରଥମ ଥର ପାଇଁ ରେଳ ଯୋଗାଯୋଗ ବ୍ୟବସ୍ଥା ଆରମ୍ଭ ହୋଇଯିବ।