ନିର୍ବାଚନ ଲଢ଼ିବି କି ନାହିଁ ସେ ନେଇ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ: ପୋଲସରା ବିଧାୟକ

ଭୁବନେଶ୍ବର: ପୋଲସରା ବିଧାୟକ ତଥା ବିବାଦୀୟ ନେତା ଶ୍ରୀକାନ୍ତ ସାହୁ ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଯଦି କହିବେ ଶ୍ରୀକାନ୍ତ ତମେ ବହୁତ ରାଜନୀତି କଲଣି। ଏବେ ଘରେ ରୁହ, ତାହା ବି ମାନିବି। ଆଗାମୀ ସାଧାରଣ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ମୋତେ ଟିକେଟ ନଦେଲେ ବି କିଛି କହିବି ନାହିଁ। ଗଞ୍ଜାମରେ ନବୀନ ବାବୁଙ୍କ ନା କାଫି। ଏଠାରେ ବିଜେଡି ସବୁ ଆସନରେ ଜିତିବ। ମୋର ପରିଚୟ ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଗଣମାଧ୍ୟମର ପ୍ରତିନିଧିଙ୍କୁ ପୋଲସରା ବିଧାୟକ କହିଛନ୍ତି ଯେ, ମୁଁ ସୋସାଇଟି ସଭାପତିରୁ ରାଜନୀତି ଆରମ୍ଭ କରିଛି। ଆଉ ମନ୍ତ୍ରୀ ହୋଇଛି। ତେଣୁ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଋଣି। ମନ୍ତ୍ରୀ ପଦ ଗଲା ପରେ, ଯେତେବେଳେ ମୋ ନିର୍ବାଚନ ମଣ୍ଡଳୀ ଯାଇଥିଲି, ସେଠାରେ ବହୁ ସଂଖ୍ୟାରେ ଲୋକ ଏକତ୍ରୀତ ହୋଇଥିଲେ। ଏକତ୍ର ଏତେ ଲୋକ ଦେଖି ମୁଁ ଭାବ ବିହ୍ଵଳ ହୋଇ କାନ୍ଦିଥିଲି। ମୁଁ ନିର୍ବାଚନ ଲଢ଼ିବି କି ନାହିଁ ସେନେଇ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ। ମୁଖ୍ୟମନ୍ତ୍ରୀ ଟିକେଟ ନଦେଲେ ବି କିଛି କହିବିନି।

ଶ୍ରୀ ସାହୁ କହିଛନ୍ତି ଯେ, ମନ୍ତ୍ରୀ ପଦ ଗଲା ପରେ ମୁଁ ମୁଖ୍ୟମନ୍ତ୍ରୀଙ୍କୁ ୩ ଥର ଭେଟିଛି। ଶ୍ରୀକାନ୍ତ ସାହୁ ପ୍ରଦୀପ ପାଣିଗ୍ରାହୀଙ୍କ ଲୋକ ନୁହଁନ୍ତି। ପ୍ରଦୀପ ପାଣିଗ୍ରାହୀ ମୁଖ୍ୟମନ୍ତ୍ରୀଙ୍କ ଲୋକ ଥିଲେ। ସେ ନବୀନ ବାବୁଙ୍କ ଲୋକ ଥିବାରୁ ଆମର ସମ୍ପର୍କ ଥିଲା। ଯେବେଠାରୁ ନବୀନ ପଟ୍ଟନାୟକଙ୍କ ସହ ପ୍ରଦୀପ ପାଣିଗ୍ରାହୀଙ୍କ ସମ୍ପର୍କ ନାହିଁ। ସେବେଠୁ ମୋର ବି  ତାଙ୍କର ସହିତ କୌଣସି ସଂପର୍କ ନାହିଁ। ସଂଯୁକ୍ତା ମହଲାଙ୍କ ଉପରେ ସେ କହିଛନ୍ତି ଯେ, ଜଣେ ବ୍ୟକ୍ତି ଘର ଚଳେଇବା ପାଇଁ ସମର୍ଥ ନୁହେଁ। କିଏ କଣ କହିଲା ସେ ଉପରେ ମୁଁ ମନ୍ତବ୍ୟ ଦେବିନି। ମୁଁ ଜଣେ ସାଧାରଣ ଲୋକ। ମୋ ନିର୍ବାଚନ ମଣ୍ଡଳୀର ଲୋକ ଭଲ ଭାବେ ମୋତେ ଜାଣିଛନ୍ତି। କାହାର ଅଭିଯୋଗ କିଛି ପ୍ରଭାବ ପକେଇବନି।

Spread the love