ଆସନ୍ତାକାଲି ବରଗଡ଼ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର/ବରଗଡ଼: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି (ଫେବ୍ରୁଆରି ୧୯) ଦିନିକିଆ ବରଗଡ଼ ଗସ୍ତରେ ଯିବେ। ଏହି ଗସ୍ତକାଳରେ ମୁଖ୍ୟମନ୍ତ୍ରୀ ପଦ୍ମପୁର, ପାଇକମାଳ ଓ ଝାରବନ୍ଧରେ ଏକାଧିକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ। ସେହିପରି ମିଶନ ଶକ୍ତି ସ୍ବୟଂ ସହାୟକ ଗୋଷ୍ଠୀଗୁଡ଼ିକ ଚେକ୍‌ ହସ୍ତାନ୍ତର କରିବେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ନେଇ ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି। ଶାନ୍ତି ଶୃଙ୍ଖଳା ପାଇଁ ବ୍ୟାପକ ପୁଲିସ ମୁତୟନ ହେବେ ବୋଲି ଜଣାପଡ଼ିଛି।

ମୁଖ୍ୟମନ୍ତ୍ରୀ ପୂର୍ବାହ୍‌ଣ ୧୧ଟାରେ ପଦ୍ମପୁରସ୍ଥିତ ସତୀଭଟା ଏୟାରଷ୍ଟ୍ରିପ୍‌ରେ ପହଞ୍ଚିବେ। ସେଠାରୁ ସେ ହେଲିକପ୍ଟର ଯୋଗେ ଝାରବନ୍ଧ ଅଭିମୁଖେ ବାହାରିବେ। ଝାରବନ୍ଧର ଶକ୍ତି ଛକ ହେଲିପେଡ୍‌ରେ ଅବତରଣ କରି କାର୍ଯ୍ୟକ୍ରମସ୍ଥଳୀକୁ ଯିବେ। ମୁଖ୍ୟମନ୍ତ୍ରୀ ଝାରବନ୍ଧ ବ୍ଲକରେ ନିର୍ମାଣ ହୋଇଥିବା କିଛି ପ୍ରକଳ୍ପର ଲୋକାର୍ପଣ କରିବେ ଏବଂ କିଛି ପ୍ରକଳ୍ପ ପାଇଁ ଶିଳାନ୍ୟାସ କରିବେ।  କାର୍ଯ୍ୟକ୍ରମସ୍ଥଳୀରେ ବଡମ୍ବା ବିଧାୟକ ଦେବୀପ୍ରସାଦ ମିଶ୍ର ସ୍ବାଗତ ଭାଷଣ ଦେବେ। ଏହି ଅବସରରେ ଝାରବନ୍ଧ ବ୍ଲକରେ ନିର୍ମାଣ ହୋଇଥିବା ଉନ୍ନୟନମୂଳକ ପ୍ରକଳ୍ପ ନେଇ ପ୍ରସ୍ତୁତ ଏକ ଭିଡିଓ ପ୍ରଦର୍ଶିତ ହେବ। କାର୍ଯ୍ୟକ୍ରମରେ ପଦ୍ମପୁର ବିଧାୟକ ବର୍ଷା ସିଂହ ବରିହା ତାଙ୍କର ଅଭିଭାଷଣ ରଖିବେ। ଏହି ଅବସରରେ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଉପସ୍ଥିତ ରହିବେ। ଭଟଲି ବିଧାୟକ ସୁଶାନ୍ତ ସିଂହ ଧନ୍ୟବାଦ ଜ୍ଞାପନ କରିବେ। ଝାରବନ୍ଧ କାର୍ଯ୍ୟକ୍ରମ ପରେ ମୁଖ୍ୟମନ୍ତ୍ରୀ ୧୨ଟା ୧୫ରେ ହେଲିକପ୍ଟରରେ ପାଇକମାଳ ଅଭିମୁଖେ ବାହାରିବେ।

Spread the love