ସିଏନ୍‌ଜି ଅଟୋ କରି ଆମେ ବଡ଼ ଦହଗଞ୍ଜ ହେଉଛୁ, ଗ୍ୟାସ ପାଇଁ ଲମ୍ବା ଲାଇନ୍‌ ଲଗାଇ ଏମିତି କହିଲେ ଅଟୋ ଡ୍ରାଇଭର

ଭୁବନେଶ୍ୱର : ଆଜି କୌଣସି ରାଜନୈତିକ ରାଲି ନଥିଲା କି ଆଉ କିଛି କାର୍ଯ୍ୟକ୍ରମ । ହେଲେ ଲମ୍ବା ଲାଇନ୍‌ ଲାଗିଥିଲା ସବୁଜ ରଙ୍ଗର ଅଟୋ ସବୁର । ଇଏ ସବୁ ଥିଲା ସିଏନ୍‌ଜିରେ ଚାଲୁଥିବା ଗାଡ଼ି ସବୁ । ଗ୍ୟାସ ଭରିବା ପାଇଁ ସେମାନେ କିଭଳି ହଇରାଣ ହେଉଛନ୍ତି ଆଜି ଦେଖିବାକୁ ମିଳିଥିଲା । ଅବଶ୍ୟ ଇଏ ନୂଆ ଘଟଣା ନୁହେଁ, ଅନେକ ସମୟରେ ଏଭଳି ଘଟୁଛି ବୋଲି ଗାଡ଼ି ଚାଳକମାନେ ଅଭିଯୋଗ କରିଛନ୍ତି । ଆଜି ପିପିଲି ଟୋଲଗେଟ୍‌ଠୁ ଆରମ୍ଭ କରି ରସୁଲଗଡ଼ ପେଟ୍ରୋଲ ପମ୍ପ ନିକଟରେ ମାଳ ମାଳ ହୋଇ ଲମ୍ବା ଧାଡ଼ିରେ ଠିଆ ହୋଇଥିଲେ ଅଟୋରିକ୍ସା ସବୁ । କାହାର ପାଳି କେତେବେଳେ ପଡ଼ିଥିବ ତାର ଠିକଣା ନାହିଁ । ଆଉ ଯାତ୍ରୀ ନେବେ କେତେବେଳେ ?

ରାସ୍ତାରେ ଗଡ଼ିବ ସିଏନ୍‌ଜି ଗାଡ଼ି। ପେଟ୍ରୋଲ ଡିଜେଲ୍‌ଠାରୁ କମ୍‌ ଦାମରେ ମିଳିବ ସିଏନ୍‌ଜି ଗ୍ୟାସ୍‌। ଏସବୁ ଖୋଦ୍‌ ସରକାର କହିଥିଲେ। ହେଲେ ସିଏନ୍‌ଜି ଭରିବା ପାଇଁ ଆବଶ୍ୟକ ଷ୍ଟେସନ୍‌ର କିନ୍ତୁ ବ୍ୟବସ୍ଥା କରାଯାଇ ନାହିଁ । ଅଳ୍ପ ସଂଖ୍ୟକ ସିଏନ୍‌ଜି ଷ୍ଟେସନ୍‌ ଥିବାରୁ ଏମିତି ଭିଡ଼ ଲାଗୁଛି । ଗ୍ୟାସ୍‌ ଭରିବା ପାଇଁ ସେମାନଙ୍କୁ ଘଣ୍ଟା ଘଣ୍ଟା ଧରି ଲାଇନ୍‌ ଲଗାଇ ଅପେକ୍ଷା କରିବାକୁ ପଡୁଛି । ଏ ଦୃଶ୍ୟ ଆଜି ସକାଳ ପ୍ରାୟ ୯ଟା ବେଳର ଥିଲା। ରାଜଧାନୀ ଭୁବନେଶ୍ୱରର ନୂଆଗାଁ ଲିଙ୍ଗରାଜ ପେଟ୍ରୋଲ ପମ୍ପରେ ସିଏନ୍‌ଜି ଅଟୋର ଏହି ଭିଡ଼ ଦେଖିବାକୁ ମିଳିଥିଲା। ପ୍ରାୟ ଦେଢ଼ କିଲୋମିଟର ପର୍ଯ୍ୟନ୍ତ ପାଖାପାଖି ୫୦ ରୁ ୬୦ଟି ଅଟୋ ଏମିତି ଲାଇନ୍‌ କରି ଛିଡ଼ା ହୋଇଥିଲେ।
ଲୋକେ ଅଫିସ୍‌ ଯିବା ହେଉ କି କୌଣସି ରୋଗୀ ମେଡିକାଲ୍‌ରେ ପହଁଞ୍ଚିବା ପାଇଁ ହେଉ, ଏମିତି ଲାଇନ୍‌ରେ ପ୍ରାୟ ଘଣ୍ଟା ଘଣ୍ଟା କାଳ ଅପେକ୍ଷା କରିଛନ୍ତି। ଫଳରେ ୧୦ ମିନିଟ୍‌ର ରାସ୍ତା ପାଇଁ ଲୋକେ ୨ରୁ ୩ ଘଣ୍ଟା ପର୍ଯ୍ୟନ୍ତ ଖରାରେ ଅତିଷ୍ଠ ହୋଇଥିବା ଦେଖିବାକୁ ମିଳିଥିଲା ।

ଖାଲି ଅଟୋବାଲା ନୁହେଁ ଅଟୋରେ ଥିବା ଯାତ୍ରୀ ଶେଷରେ ବିରକ୍ତ ହୋଇ ଅଟୋ ଭଡ଼ା ଦେଇ ସେହିଠାରୁ ଅନ୍ୟ ଗାଡ଼ିରେ ଯାଉଥିବାର ଦେଖିବାକୁ ମିଳିଥିଲା। ଆଉ ବିଚରା ଅଟୋ ଡ୍ରାଇଭର ବି କରିଥାନ୍ତେ କଣ । ଅଯଥାରେ କ୍ଷତି ସହିବାକୁ ବାଧ୍ୟ ହୋଇଛି। … କଣ ଏକଥା ସରକାରଙ୍କ କାନରେ ପଡୁଛି ନା ନାହିଁ ?

Spread the love