କକଲିୟର୍ ପ୍ରତ୍ୟାରୋପଣ ସର୍ଜରୀ- ଲକ୍ଷ ଲକ୍ଷ ବଧିର ଶିଶୁଙ୍କ ପାଇଁ ଆଶାର କିରଣ
ଜନ୍ମରୁ ବଧିର ଥିବା ଲକ୍ଷ ଲକ୍ଷ ଶିଶୁଙ୍କ ପାଇଁ କକଲିୟର୍ ପ୍ରତ୍ୟାରୋପଣ ସର୍ଜରୀ ଏକ ଆଶାର କିରଣ ପାଲଟିଥିବା ବେଳେ ଏହା ବର୍ତମାନ ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଉପଲବ୍ଧ ।
ନିକଟରେ ବରଗଡ ଅଂଚଳର ଗୋଟିଏ ୪ ବର୍ଷର ବାଳକର ଶରୀରରେ ଏହି ଜଟିଳ ଓ ସୂକ୍ଷ୍ମ ଇଏନ୍ଟି ସର୍ଜରୀ ସମ୍ମମ୍ରେ କରାଯାଇଛି । ଏହି ବାଳକଟି ଜନ୍ମରୁ ଶୁଣିପାରୁ ନଥିବା ବେଳେ କଥା କହିବା ମଧ୍ୟ ଶିଖି ନଥିଲା ।
ଶିଶୁଟିର ଏଭଳି ସ୍ୱାସ୍ଥ୍ୟାବସ୍ଥାକୁ ଦେଖି ତା’ର ବାପା-ମା ବ୍ୟତିବ୍ୟସ୍ତ ହୋଇ ଚିକିତ୍ସା ନିମନ୍ତେ ଅନେକ ସ୍ଥାନକୁ ଯାଇଥିଲେ ମଧ୍ୟ କୋଭିଡ ମହାମାରୀ ଯୋଗୁଁ ହୋଇଥିବା ଲକ୍ଡାଉନ୍ ଏବଂ ଅନ୍ୟାନ୍ୟ ସମସ୍ୟା ଯୋଗୁଁ ଶିଶୁଟିର ଚିକିତ୍ସା ହୋଇପାରି ନଥିଲା । ତେବେ ଶେଷରେ ସେମାନେ ସମ୍ ଅଲ୍ଟିମେଟ୍ ମେଡିକେୟାରର ଇଏନ୍ଟି ଆଣ୍ଡ ସ୍କଲ୍ବେସ୍ ସର୍ଜରୀ ବିଭାଗର ସିନିୟର୍ କନ୍ସଲ୍ଟାଂଟ ଡାକ୍ତର ରାଧାମାଧବ ସାହୁଙ୍କ ନିକଟକୁ ନିଜ ପୁଅକୁ ନେଇ ଚିକିତ୍ସା ପାଇଁ ଆସିଥିଲେ । ବିଭିନ୍ନ ପରୀକ୍ଷା ନିରୀକ୍ଷା ପରେ ଡାକ୍ତର ସାହୁ କକ୍ଲିୟର୍ ପ୍ରତ୍ୟାରୋପଣ ସର୍ଜରୀ ନିମନ୍ତେ ପରାମର୍ଶ ଦେଇଥିଲେ ।
ଏହି ସର୍ଜରୀଟି ପୋଷ୍ଟେରିୟର୍ ଟିମ୍ପାନୋଟୋମି ପ୍ରକ୍ରିୟାରେ କରାଯାଇଥିଲା । ଏହି ପ୍ରକ୍ରିୟା ହେଉଛି ଏକ ମିନିମାଲୀ ଇନ୍ଭେସିଭ୍ ପ୍ରକ୍ରିୟା ଯେଉଁଥିରେ କି ଏକ ଛୋଟ ଛିଦ୍ର ମାଧ୍ୟମରେ ସର୍ଜରୀ କରାଯାଇଥାଏ ଏବଂ ଏହା ଖୁବ୍ କମ୍ କଷ୍ଟଦାୟକ ଅଟେ ବୋଲି ସଫଳତାର ସହ ସର୍ଜରୀ କରିଥିବା ଡାକ୍ତର ସାହୁ କହିଛନ୍ତି ।
ଏହି ପ୍ରକ୍ରିୟା ଦ୍ୱାରା ରୋଗୀଟି ଖୁବ୍ ଶୀଘ୍ର ଶ୍ରବଣ ଶକ୍ତି ପାଇବାରେ ସକ୍ଷମ ହୋଇଥାଏ । ଏହି ପ୍ରତ୍ୟାରୋପଣ ପ୍ରକ୍ରିୟା ସଫଳତାର ସହ ସଂପାଦନ କରାଯାଇଥିଲା ଏବଂ ୨୧ ଦିନ ପରେ ଏହି ଡିଭାଇସ୍କୁ ସ୍ୱିଚ୍ଅନ୍ କରାଯାଇଥିଲା ବୋଲି ଡାକ୍ତର ସାହୁ କହିଛନ୍ତି ।
ଅଡିଓଲୋଜିଷ୍ଟ ଲୋପାମୁଦ୍ରା ତ୍ରିପାଠୀ ଏବଂ ଅଭିନୀଶ କୁମାର ଡାକ୍ତର ସାହୁଙ୍କ ତତ୍ୱାବଧାନରେ ଡିଭାଇସ୍କୁ ନେଇ କାର୍ଯ୍ୟ କରିଥିଲେ ଏବଂ ସର୍ଜରୀ ପରେ ୩ ମାସ ପର୍ଯ୍ୟନ୍ତ ଶିଶୁଟିର ସ୍ପିଚ୍ ଥେରାପି ମଧ୍ୟ କରାଯାଇଥିଲା । ବର୍ତମାନ ଶିଶୁଟି ଶୁଣିବାରେ ସକ୍ଷମ ହୋଇପାରିଛି ଏବଂ ବିଭିନ୍ନ ଶବ୍ଦକୁ ଅନୁସରଣ କରୁଛି । ସେ ଧୀରେ ଧୀରେ କଥା କହିବା ମଧ୍ୟ ଶିଖିଯିବ ବୋଲି ସେ କହିଛନ୍ତି ।
କାନର ଭିତର ପାଶ୍ୱର୍ରେ ସମସ୍ୟା ଥିବା ଯୋଗୁଁ ବିଶ୍ୱବ୍ୟାପୀ ଅନେକ ଲୋକ ବଧିରତାର ଶିକାର ହୋଇଥାନ୍ତି । କକ୍ଲିୟର ଏକ ଛୋଟ ଇଲେକ୍ଟ୍ରୋନିକ୍ ଡିଭାଇସ୍ ଯାହାକୁ କି କାନର ଭିତର ପାଶ୍ୱର୍ରେ ପ୍ରତ୍ୟାରୋପଣ କରାଯିବା ଦ୍ୱାରା ସମ୍ପୂର୍ଣ୍ଣ ବଧିର କିମ୍ବା ଅଳ୍ପ ଶୁଣିପାରୁଥିବା ଲୋକଙ୍କର ଶ୍ରବଣ ଶକ୍ତି ବୃଦ୍ଧି ପାଇଥାଏ ବୋଲି ମାର୍ଚ୍ଚ ୩ ୱାର୍ଲ୍ଡ ହିୟରିଂ ଡେ (ବିଶ୍ୱ ଶ୍ରବଣ ଦିବସ) ପରିପ୍ରେକ୍ଷୀରେ ଡାକ୍ତର ସାହୁ କହିଛନ୍ତି ।
ଚଳିତ ବର୍ଷ ୱାର୍ଲ୍ଡ ହିୟରିଂ ଡେ -୨୦୨୨ର ଥିମ୍ ରହିଛି “ଟୁ ହିୟର ଫର୍ ଲାଇଫ୍, ଲିସିନ୍ ୱିଥ୍ କେୟାର” । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବଧିରତା ଦୂର କରିବା । ଏହାର ଅର୍ଥ ହେଉଛି ଉପଯୁକ୍ତ ଭାବେ କାନ ଏବଂ ଶ୍ରବଣ ଶକ୍ତିର ଯତ୍ନ ନେବା ଦ୍ୱାରା ଆମେ ଜୀବନବ୍ୟାପୀ ଠିକ୍ ଭାବେ ଶୁଣିପାରିବାରେ ସକ୍ଷମ ହୋଇପାରିବା । ଏହାଛଡା ଶ୍ରବଣ ଶକ୍ତି ହରାଇବାର ଅନେକ ସାଧାରଣ କାରଣକୁ ଦୂର କରିହେବ ଓ ଅଧିକ ଶବ୍ଦ ପ୍ରଦୂଷଣ ଯୋଗୁଁ ବଧିରତାକୁ ମଧ୍ୟ ପ୍ରତିରୋଧ କରିହେବ ବୋଲି ଡାକ୍ତର ସାହୁ କହିଛନ୍ତି ।