୨୦୨୪ ଯାଏଁ ନୂଆ ଇଞ୍ଜିନିରିଂ କଲେଜ ଖୋଲିବାକୁ ଦେଶରେ ମିଳିବନି ଅନୁମତି : ଶହସ୍ରବୁଦ୍ଧି

ନୂଆଦିଲ୍ଲୀ ୧୯।୧୨:  ଭାରତରେ ଆଗାମୀ ୨ ବର୍ଷ ପର୍ଯ୍ୟନ୍ତ ନୂଆ ଇଞ୍ଜିନିୟରିଂ କଲେଜ ଖୋଲିବନି। ଏହା କହିଛନ୍ତି ଅଲ ଇଣ୍ଡିଆ କାଉନସିଲ ଅଫ ଟେକ୍ନିକାଲ ଏଜୁକେସନ (ଏଆଇସିଟିଇ) ଅଧ୍ୟକ୍ଷ ଅନିଲ ଦତ୍ତାତ୍ରେୟ ଶହସ୍ରବୁଦ୍ଧି। ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଲାଗି ଏଆଇସିଟିଇଙ୍କୁ ଲଗାତାର ଦ୍ୱିତୀୟବାର ଗିଜନ ବୁକ୍ ଅଫ ୱାର୍ଲଡ ରେକର୍ଡସ୍‌ରେ ସ୍ଥାନ ମିଳିଛି। ଏହି ଅବସରରେ ଗଣମାଧ୍ୟମ ସହ ଆଲୋଚନା କାଳରେ ଶହସ୍ରବୁଦ୍ଧି ଦେଶର ବିଭିନ୍ନ ଇଞ୍ଜିନିୟରିଂ କଲେଜମାନଙ୍କରେ ଏବେ ୫୦ ପ୍ରତିଶତରୁ ଅଧିକ ସିଟ୍‌ ଖାଲିପଡୁଛି। ଏଣୁ ଏକ୍ସପର୍ଟ କମିଟିଙ୍କ ଅନ୍ତରୀଣ ରିପୋର୍ଟରେ ୨୦୨୪ ପର୍ଯ୍ୟନ୍ତ ଇଞ୍ଜିନିୟରିଂ କଲେଜ ଖୋଲିବା ଲାଗି ନୂଆ ଅନୁମତି ନ ଦେବା ଲାଗି ସୁପାରିସ କରାଯାଇଥିବା କହିଛନ୍ତି।

ଏବେ ଆଉ ଅଧିକ ଇଞ୍ଜିନିୟରିଂ କଲେଜର ଆବଶ୍ୟକତା ନଥିବା ରିପୋର୍ଟରୁ ଜଣାପଡୁଥିବା ସେ କହିଛନ୍ତି। ଏଣୁ ଯେତିକି କଲେଜ ଅଛନ୍ତି ଯଦି ସେଥିରୁ ୫୦ ପ୍ରତିଶତ ବନ୍ଦ ବି ହୋଇ ଯାଆନ୍ତି ତେବେ ବି ଦେଶର ଇଞ୍ଜିନିୟର ଆବଶ୍ୟକତା ପୂରଣ ହୋଇପାରିବ ବୋଲି ସେ କହିଛନ୍ତି। କଲେଜମାନଙ୍କରେ ୫୦ ପ୍ରତିଶତରୁ ଅଧିକ  ସିଟ୍‌ ଖାଲି ପଡୁଥିବାରୁ ଏପରି ଶିକ୍ଷଣ ସଂସ୍ଥାରେ ନିବେଶ କରିବା ଉଚିତ ନୁହେଁ ବୋଲି ସେ କହିଛନ୍ତି। ଏହା ଛଡା ନୂଆ ଶିକ୍ଷା ନୀତିରେ ସ୍କୁଲ ସ୍ତରରୁ ଛାତ୍ରଛାତ୍ରୀଙ୍କୁ ଭୋକେସନାଲ ଟ୍ରେନିଂ ପ୍ରଦାନର ବ୍ୟବସ୍ଥା ହେଉଥିବାରୁ ଘରୋଇ ଇଞ୍ଜିନିୟରିଂ କଲେଜଙ୍କ ଆବଶ୍ୟକତା ଉପରେ ପ୍ରଶ୍ନ ଚିହ୍ନ ଲଗାଇଛି।

ଏବେ ଷଷ୍ଠ ଶ୍ରେଣୀରୁ ଛାତ୍ରଛାତ୍ରୀଙ୍କୁ ଭୋକେସନାଲ ଟ୍ରେନିଂ ପ୍ରଦାନ କରାଯିବ। ଏଥିରେ ଛାତ୍ର ଛାତ୍ରୀଙ୍କୁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଭଳି ରୋଚକ ବୈଷୟିକ ପ୍ରଶିକ୍ଷଣ ସ୍କୁଲରୁ ପ୍ରାପ୍ତ ହେବ। ତେବେ ଏହାଛଡା ଅନ୍ୟ କ୍ଷେତ୍ରରେ ମଧ୍ୟ ଛାତ୍ରଛାତ୍ରୀ ଭୋକେସନାଲ ଟ୍ରେନିଂ ପାଇବେ ଯେପରି କୃଷି, ଜଙ୍ଗଲ ଓ ଜଳ ଆଦି ସମ୍ପର୍କରେ ମଧ୍ୟ ଛାତ୍ରଛାତ୍ରୀ ସ୍କୁଲରୁ ବୈଷୟିକ ପ୍ରଶିକ୍ଷଣ ପ୍ରାପ୍ତ କରିବେ। ନୂଆ ଶିକ୍ଷାନୀତିରେ ଚୟସବେସଡ୍ କ୍ରେଡିଟ୍ ସିଷ୍ଟମ ଲାଗୁ ହେବାକୁ ଯାଉଛି ବୋଲି ସେ କହିଛନ୍ତି। ଯାହାକୁ ବିଶ୍ୱବିଦ୍ୟାଳୟ ଆକାଡେମିକ କାଉନସିଲ ମଧ୍ୟ ମଞ୍ଜୁର କରିଥିବେ ଶହସ୍ରବୁଦ୍ଧି କହିଛନ୍ତି।

Spread the love