“ଅଭେଦ୍ୟ ଦୁର୍ଗକୁ ଭେଦ କରିବା ସହଜ ନୁହେଁ”

 
 
 (ଚାରୁ ଚନ୍ଦନ ଦାଶ ) :  ମୁଣ୍ଡ ଉପରେ ସାଧାରଣ ନିର୍ବାଚନ । ସବୁ ଦଳ ନିଜ ନିଜ ଷ୍ଟ୍ରାଟେଜିରେ ଏବେ ବ୍ୟସ୍ତ ଅଛନ୍ତି । କାହାକୁ ହାତେଇଲେ, କେଉଁ ପ୍ରସଙ୍ଗକୁ ମୁଦ୍ଦା କଲେ ନିର୍ବାଚନୀ ବୈତରଣୀ ପାର କରିବ, ସେ ନେଇ ଏବେ ସମସ୍ତ ଦଳ ପ୍ରାୟ ଅଣ୍ଟା ଭିଡ଼ୁଛନ୍ତି । ତେବେ ମଧ୍ୟ ପ୍ରଦେଶ, ଛତିଶଗଡ଼ ଭଳି ରାଜ୍ୟରେ କୃଷି ଋଣ ଛାଡ଼ ହେବା ପରେ ଏବେ ରାଜନୀତିର ମୁଖ୍ୟ ମୋହରା ଚାଷୀ ସାଜିଛି । ତେଣୁ, ସମସ୍ତ ଦଳ ଏବେ ଚାଷୀଙ୍କ ସମସ୍ୟା ନେଇ ମୈଦାନକୁ ଓହ୍ଲାଇଛନ୍ତି ।
କାଳିଆ ଯୋଜନା ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ପ୍ରକାର ଜାତୀୟ ରାଜନୀତିରେ ଏକ ଉଦାହରଣ ସାଜିଛନ୍ତି । ତେଲଙ୍ଗାନାର ରୟିତୁ ବନ୍ଧୁ ଯୋଜନା ଠାରୁ ଏହି ଯୋଜନା ଢେର୍ ଗୁଣା ଭଲ ଥିବାରୁ ରାଜ୍ୟର ସମସ୍ତ ଚାଷୀ ମଧ୍ୟ ଖୁସ୍ ଅଛନ୍ତି । ତେଣୁ, ଚାଷୀ କୁଳିଆ ଭୋଟର ବିଜେଡି ଆଡ଼କୁ ଢଳିବା ସ୍ୱାଭାବିକ । ସେହିପରି ଦୀର୍ଘଦିନ ଧରି ଦାବି କରି ଆସୁଥିବା ଅଙ୍ଗନୱାଡ଼ି କର୍ମଚାରୀମାନଙ୍କ କଥା ମୁଖ୍ୟମନ୍ତ୍ରୀ ଶୁଣିଛନ୍ତି । ସେଥିପାଇଁ ସେମାନଙ୍କ ଦରମା ବୃଦ୍ଧି ସହ ପେନସନ ଦେବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ତେଣୁ, ଅଙ୍ଗନୱାଡ଼ି ଦିଦିଙ୍କ ଭୋଟ୍ ବି ବିଜେଡି ଖାତାକୁ ଯିବା ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ ।
ଏହାସହ ମିଶନ ଶକ୍ତି, ମହିଳା ସଶକ୍ତିକରଣ ଏବଂ ବିଧାନସଭା ଓ ସଂସଦରେ ୩୩ ପ୍ରତିଶତ ମହିଳା ସଂରକ୍ଷଣ ରଖି ବିଜେଡି ମହିଳା ଭୋଟରଙ୍କ ମନ ଜିଣି ପାରିଛି । ଏହି ସମୟରେ ଅନ୍ୟ ଏକ କାର୍ଡ ଖେଳି ମୁଖ୍ୟମନ୍ତ୍ରୀ ଓଡ଼ିଶାବାସୀଙ୍କ ଆହୁରି ଆସ୍ଥାଭାଜନ ହୋଇ ପାରିଛନ୍ତି । ବାର୍ଦ୍ଧକ୍ୟ ଭତ୍ତା ବୃଦ୍ଧି କରିବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ମଧୁବାବୁ ପେନସନ ଯୋଜନାରେ ଏହି ଟଙ୍କା ମିଳିବ । ତେଣୁ, ବୁଢ଼ାବୁଢ଼ୀଙ୍କ ସହ ବିଧବା ଭୋଟର ମଧ୍ୟ ବିଜେଡିକୁ ଭୋଟ୍ ଦେବା କୌଣସି ଅସମ୍ଭବ ନୁହେଁ । ସେହିପରି ଆମ ଗାଁ ଆମ ବିକାଶ ଯୋଜନା ମାଧ୍ୟମରେ ମୁଖ୍ୟମନ୍ତ୍ରୀ ରାଜ୍ୟର ପଞ୍ଚାୟତ ଗୁଡ଼ିକ ସହ ଆଲୋଚନା କରୁଛନ୍ତି । ଏହାଯୋଗୁଁ ଗାଁଲୋକମାନେ ମୁଖ୍ୟମନ୍ତ୍ରୀଙ୍କ ସହ ସିଧାସଳଖ ଆଲୋଚନା କରି ପାରୁଛନ୍ତି ଏବଂ ସେମାନଙ୍କ ସମସ୍ୟା ବିଷୟରେ ଅବଗତ କରି ପାରୁଛନ୍ତି । ତେଣୁ ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ଯୁବପିଢ଼ିଙ୍କୁ ଆକୃଷ୍ଟ କଲା ଭଳି କିଛି ବଡ଼ ଘୋଷଣା କରିପାରନ୍ତି ।
 
ନିର୍ବାଚନ ପାଇଁ ଏବେ ରାଜ୍ୟର ପ୍ରମୁଖ ଦଳ ଇସ୍ତାହାର କସରତ କରୁଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରେ ୨୦ଟି ସଭା କରି ଲୋକଙ୍କ ଠାରୁ ଇସ୍ତାହର ସମ୍ପର୍କରେ ମତ ଲୋଡ଼ିବାକୁ କଂଗ୍ରେସ ଇଚ୍ଛା ପ୍ରକାଶ କରିଛି । ସେହିପରି ଫେବ୍ରୁଆରୀ ୧୫ ତାରିଖ ସୁଦ୍ଧା ରାଜ୍ୟର ୩୦ଟି ଜିଲ୍ଲା ବୁଲି ବୁଲି ବିଜେପି ମତ ସଂଗ୍ରହ କରିବ । ମାତ୍ର, ସାଧାରଣ ନିର୍ବାଚନକୁ ଆଉ ହାତ ଗଣତି କେତେଟା ଦିନ ବାକି ଅଛି । ଏହି ସମୟରେ ଦୁଇ ଜାତୀୟ ଦଳ ଲୋକଙ୍କ ପାଖକୁ ଗଲେ କ’ଣ ଭୋଟ୍ ପାଇଯିବେ ?
କଂଗ୍ରେସରୁ ନେତାମାନଙ୍କ ଦଳ ଛାଡ଼ିବା ଏବେ କଂଗ୍ରେସ ପାଇଁ ଚିନ୍ତାର ବିଷୟ ପାଲଟିଛି । ନବ ଦାସ, ଯୋଗେଶ ସିଂହଙ୍କ ଭଳି ନେତା ବିଜେଡିକୁ ଗଲେ ପଶ୍ଚିମ ଇଲାକାରେ କଂଗ୍ରେସ ନିଜର ସତ୍ତା ହରାଇ ବସିବ । କାରଣ ଝାରସୁଗୁଡ଼ାରେ ନବଙ୍କ କ୍ରେଜ୍ ଏବଂ ସୁନ୍ଦରଗଡ଼ରେ ଯୋଗେଶଙ୍କ ଲୋ କପ୍ରିୟତା କାହାକୁ ଅଛପା ନାହିଁ । ସେହିପରି ବିଜେପିରେ ଅପରାଜିତା ମିଶିବା ପରେ ଦଳର ବରିଷ୍ଠ ନେତାଙ୍କ ମନରେ ଅସନ୍ତୋଷ କୁହୁଳିବାରେ ଲାଗିଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ବି ଖୁଲମଖୁଲା ଏବେ ବିରୋଧ ଦେଖିବାକୁ ମିଳିଲାଣି । ତେଣୁ, ଏହି ଦୁଇ ଦଳଙ୍କ ଦୁର୍ବଳତାର ଫାଇଦା ନେଉଛି ବିଜେଡି । ମୋଟାମୋଟି ଭାବେ କହିବାକୁ ଗଲେ ଆସନ୍ତା ନିର୍ବାଚନରେ ପୁଣି ଥରେ ବିଜେଡିର ଅଭେଦ୍ୟ ଦୁର୍ଗକୁ ଭେଦ କରିବାକୁ, ଦୁଇ ବିରୋଧୀଙ୍କ ପାଇଁ କାଠିକର ପାଠ ହୋଇ ପଡ଼ିବ।
 
 
Spread the love