ଆସୁଛି ଗଣେଶ ପୂଜା: ଚାନ୍ଦା ଆଦାୟ ଓ ଠାକୁରଙ୍କ ମୂର୍ତ୍ତି ବିକୃତ କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଚଳିତ ବର୍ଷର ଗଣେଶ ପୂଜା ପାଇଁ ଗତକାଲି କମିଶନରେଟ ପୋଲିସର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଲୋକ ପ୍ରତିନିଧି, ବିଭିନ୍ନ ପୂଜା କମିଟି ଏବଂ ଏକାଧିକ କ୍ଲବ୍‌‌ର ସଦସ୍ୟମାନେ ସାମିଲ ରହିଥିଲେ। ଏଥିରେ କିଭଳି ଶାନ୍ତି ଶୃଙ୍ଖଳାରେ ପୂଜା ସମାପନ ହେବ ସେନେଇ ଆଲୋଚନା କରିଥିଲେ। ବିଶେଷକରି ରାତି ୧୦ଟା ପରେ ସାଉଣ୍ଡ୍‌‌କୁ ବନ୍ଦ କରିବାକୁ କୁହାଯାଇଥିଲା। ଏଥିସହ ପୂଜା ଭସାଣି ପାଇଁ ମଧ୍ୟ ପୋଲିସ ନିୟମ କଡ଼ାକଡ଼ି କରିଛି। ସେପ୍ଟେମ୍ବର ୧୯ରେ ପରବର୍ତ୍ତୀ ବିଚାରବିମର୍ଶ କରାଯିବ ବୋଲି ଜଣାପଡ଼ିଛି।

ସେଫ୍ଟେମ୍ବର ୨୪, ଅକ୍ଟୋବର ୧ ଏବଂ ୮ ତାରିଖରେ ଭସାଣି କରିବାକୁ ସିପି କହିଛନ୍ତି। ବଡ଼ କଥା ହେଲା ଏଥର ଗଣେଶଙ୍କ ମୂର୍ତ୍ତି ବିକୃତ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅନେକ ସମୟରେ ପୂଜା କମିଟିମାନେ ଗଣେଶଙ୍କ ମୂର୍ତ୍ତିକୁ ବିକୃତ କରିଥାନ୍ତି। ଯାହାକି ପରବର୍ତ୍ତୀ ସମୟରେ ବିବାଦକୁ ଆସିଥାଏ। କିନ୍ତୁ ଏଥର ଏଭଳି ପୋଲିସ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଚେତାବନୀ ଦେଇଛନ୍ତି।

ତେବେ ଚଳିତ ବର୍ଷ ପୋଲିସ ପକ୍ଷରୁ ଚାନ୍ଦା ଓ ବଟି ଆଦାୟ ନେଇ ନୋ’ ଟଲେରାନ୍ସ ନୀତି ଆପଣାଇବାକୁ ସ୍ଥିର କରାଯାଇଛି । କୌଣସି ସ୍ଥିତିରେ ଚାନ୍ଦା ଆଦାୟକୁ ବରଦାସ୍ତ କରାଯିବନି ବୋଲି ଏଡିସିପି ଅନିଲ ମିଶ୍ର କହିଛନ୍ତି । ଏହା ପୋଲିସର ପୁରୁଣା ନିଷ୍ପତ୍ତି । ମାତ୍ର କିଛି ଦିନ ହେବ ଲୁଚାଛପାରେ କିଛି ଚାନ୍ଦା ଆଦାୟ କରାଯାଉଛି, ତାହା ପୁଣି ଜୁଲମ କରି । ଆହୁରି ମଧ୍ୟ ଜୋର୍‌‌ଜବରଦସ୍ତି ଚାନ୍ଦା ଆଦାୟ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି।

Spread the love