କଙ୍ଗୋ ଖଣିରେ ଭୂସ୍ଖଳନ ୨୦୦ରୁ ଅଧିକ ମୃତ

କିନଶାସ : ପୂର୍ବ ଆଫ୍ରିକୀୟ ଦେଶ କଙ୍ଗୋର ଏକ ଖଣିରେ ଭୂସ୍ଖଳନ ଯୋଗୁ ୨୦୦ରୁ ଅଧିକ ଲୋକ ମୃତ୍ୟୁବରଣ କରିଛନ୍ତି । ଏହି ଖଣି ଦୁର୍ଘଟଣା ଏବେ ଅନ୍ତର୍ଜାତୀୟସ୍ତରରେ ଚିନ୍ତାର ବିଷୟ ପାଲଟିଛି । ଡେମୋକ୍ରାଟିକ ରିପବ୍ଲିକ ଅଫ୍ କଙ୍ଗୋ (ଡିଆରସି)ର ନର୍ଥ କିଭୁ ପ୍ରଦେଶରେ ସ୍ଥିତ ରୁବାୟା କୋଲ୍ଟାନ ଖଣିରେ ଏହି ଭୟଙ୍କର ଭୂସ୍ଖଳନ ହୋଇଛି । ମୃତକଙ୍କ ମଧ୍ୟରେ ଶ୍ରମିକଙ୍କ ସମେତ ଶିଶୁ ଓ ସ୍ଥାନୀୟ ବଜାରରେ କାର୍ଯ୍ୟ କରୁଥିବା ମହିଳାମାନେ ସାମିଲ ଅଛନ୍ତି । ଏହି ଦୁର୍ଘଟଣା ବୁଧବାର ଦିନ ଘଟିଥିଲା । କିନ୍ତୁ ଏପର୍ଯ୍ୟନ୍ତ ଭଗ୍ନାବଶେଷ ତଳୁ ମୃତଦେହ ଉଦ୍ଧାର କରିବା ପ୍ରକ୍ରିୟା ଜାରି ରହିଛି । ସ୍ଥାନୀୟ ଅଧିକାରୀଙ୍କ କହିବା ଅନୁଯାୟୀ, ବହୁ ଲୋକ ଏବେ ନିଖୋଜ ଅଛନ୍ତି । ତେଣୁ ମୃତକଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି । ଆହତ ହୋଇଥିବା ୨୦ ଜଣଙ୍କୁ ଚିକିତ୍ସା କରାଯାଉଛି ଓ ଏମାନଙ୍କ ମଧ୍ୟରୁ ଅଧିକାଂଶ ଗୁରୁତର ଅଛନ୍ତି । ଉଦ୍ଧାର କର୍ଯ୍ୟ ଅତ୍ୟନ୍ତ କଷ୍ଟକର ପରିସ୍ଥିତରେ କରାଯାଉଛି । ରୁବାୟା ଖଣି ରାଜଧାନୀ ଗୋମାରୁ ପ୍ରାୟ ୭୦ କିମି ଦୂରରେ ଅବସ୍ଥିତ । ଏହି ଖଣି ବିଶ୍ୱ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏଠାରୁ ବାହାରୁଥିବା କୋଲ୍ଟାନ ସାରା ବିଶ୍ୱରେ ବ୍ୟବହାର କରାଯାଏ । କୋଲ୍ଟାନରୁ ଟ୍ୟାଣ୍ଟଲାମ ନାମକ ଏକ ଧାତୁ ମିଳିଥାଏ, ଯାହା ମୋବାଇଲ ଫୋନ, କମ୍ପ୍ୟୁଟର, ଏରୋସ୍ପେଶ୍ ଉପକରଣ ଓ ଗ୍ୟାସ୍ ଟର୍ବାଇନ ଭଳି ଆଧୁନିକ ପ୍ରଯୁକ୍ତି ବିଦ୍ୟାରେ ବ୍ୟବହୃତ ହୋଇଥାଏ । ଫଳରେ ଏହି ଦୁର୍ଘଟଣାର ପ୍ରଭାବ କେବଳ କଙ୍ଗୋରେ ସୀମିତ ରହିବ ନାହିଁ, ବରଂ ଗ୍ଲୋବାଲ ଇଲେକଟ୍ରୋନିକ୍ସ ଶିଳ୍ପ ଉପରେ ପ୍ରଭାବ ପକାଇବ । ଏହି ଖଣିରେ ସ୍ଥାନୀୟ ଲୋକମାନେ ଅତ୍ୟନ୍ତ ବିପଜ୍ଜନକ ପରିସ୍ଥିିତିରେ କାର୍ଯ୍ୟ କରିଥାନ୍ତି । ଶ୍ରମିକଙ୍କୁ କିଛି ଡଲାର ପାରିଶ୍ରମିକ ମିଳିଥାଏ । କିନ୍ତୁ ସୁରକ୍ଷା ବ୍ୟବସ୍ଥା ଜମା ନଥାଏ । ପ୍ରବଳ ବର୍ଷା ଯୋଗୁ ଧସିବାର ଆଶଙ୍କା ଥିଲେ ମଧ୍ୟ ସେଠାରେ କାମ ବନ୍ଦ ହୋଇ ନଥିଲା । ଫଳରେ ଏହି ବଡ଼ ଦୁର୍ଘଟଣା ଘଟିଛି ।

Spread the love