ଦୃଷ୍ଟିହୀନ ଓ ଦିବ୍ୟାଙ୍ଗଙ୍କୁ ଏଏସ୍ ଓ ପରୀକ୍ଷାରେ ଅନୁବାଦକ ଦେବାକୁ ଦାବି କଲା କଂଗ୍ରେସ

 

 ଓଡିଶା ଲୋକସେବା ଆୟୋଗଙ୍କ ଦ୍ୱାରା ଆସନ୍ତା 20 ତାରିଖରେ ପରିଚାଳିତ ହେବାକୁ ଥିବା ଏ.ଏସ୍.ଓ. ପରୀକ୍ଷାକୁ ନେଇ ଯେଉଁ ଅବ୍ୟବସ୍ଥା ସୃଷ୍ଟି ହୋଇଛି ତାକୁ ବିରୋଧ କରିଛି କଂଗ୍ରେସ । ରାଜ୍ୟ ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତି ଏବଂ ପରୀକ୍ଷା ପରିଚାଳନାକୁ ନେଇ ଯେଉଁ ବିଭ୍ରାଟ ସୃଷ୍ଟି ହୋଇଛି ତାହାର ଶିକାର ହୋଇଛନ୍ତି ହଜାର ହଜାର ଚାକିରୀ ଆଶାୟୀ ପରୀକ୍ଷାର୍ଥୀ । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ମିଡିଆ ସେଲ ଅଧ୍ୟକ୍ଷ ଶ୍ରୀ ସତ୍ୟ ପ୍ରକାଶ ନାୟକ ଏଏସ୍ଓ ପରୀକ୍ଷାକୁ ନେଇ ଏଭଳି ପରିଚାଳନାଗତ ଅବ୍ୟବସ୍ଥା ପାଇଁ ରାଜ୍ୟସରକାରଙ୍କୁ ସିଧାସଳଖ ଦାୟୀ କରିଛନ୍ତି ।

ଓଡିଶା ଲୋକସେବା ଆୟୋଗ ତାଙ୍କର ନୋଟିଫିକେସନରେ 9 ନମ୍ବର ପାରାର 14 ନମ୍ବର ପଏଂଟରେ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛନ୍ତି ଯେ, ପ୍ରତ୍ୟେକ ପରୀକ୍ଷାର୍ଥୀ ତାଙ୍କ ନିଜ ହାତଲେଖାରେ
ପରୀକ୍ଷାରେ ଉତର ଲେଖିବେ ଏବଂ କୌଣସି ପରିସ୍ଥିତିରେ ମଧ୍ୟ ଲିପିକ ବା ଅନୁବାଦକଙ୍କ ସାହାଯ୍ୟ ନେଇପାରିବେ
ନାହିଁ । ଏଭଳି ଏକ ସର୍ତ ପୂର୍ବରୁ ତତ୍କାଳୀନ ମୁଖ୍ୟ ଶାସନ ସଚିବଙ୍କ ଦ୍ୱାରା ଦିବ୍ୟାଙ୍ଗ ଓ ଦୃଷ୍ଟିହୀନମାନଙ୍କ ପାଇଁ ଜାରି
କରାଯାଇଥିବା ଗାଇଡ୍ଲାଇନ୍ସ ବା ନୀତିନିୟମର ସିଧାସଳଖ ଉଲ୍ଲଙ୍ଘନ । ତା 17 ନଭେମ୍ବର 2013ରେ ପୂର୍ବତନ ମୁଖ୍ୟ
ଶାସନ ସଚିବ ଶ୍ରୀ ଯୁଗଳ କିଶୋର ମହାପାତ୍ର ଜାରି କରିଥିବା ସର୍ତାବଳୀରେ ସ୍ପଷ୍ଟ ଉଲ୍ଲେଖ ଅଛି ଯେ 40ପ୍ରତିଶତ
କିମ୍ବା ତା’ଠାରୁ ଅଧିକ ଶାରୀରିକ ଅକ୍ଷମତା ଥିବା ବ୍ୟକ୍ତିବିଶେଷ ଯଦି ଚାହାନ୍ତି ତେବେ ତାଙ୍କୁ ଜଣେ ଲେଖକ/ଲିପିକ/
ଲ୍ୟାବ୍ ସହାୟକଙ୍କ ସହାୟତା ନିମନ୍ତେ ବିଶେଷ ଅନୁମତି ପ୍ରଦାନ କରାଯିବ । ଜରୁରୀସ୍ଥଳେ ପରୀକ୍ଷା ପରିଚାଳନା
କର୍ତୃପକ୍ଷ ଦିବ୍ୟାଙ୍ଗ ଓ ଦୃଷ୍ଟିହୀନମାନଙ୍କ ନିମନ୍ତେ ଏକାଧିକ ଲିପିକ/ଲେଖକଙ୍କୁ ଅନୁମତି ପ୍ରଦାନ କରିପାରିବେ । କିନ୍ତୁ
ବର୍ତମାନର ଓଡିଶା ଲୋକସେବା ଆୟୋଗଙ୍କ ଦ୍ୱାରା ଜାରି କରାଯାଇଥିବା ନୋଟିଫିକେସନ ଏହାର ସଂପୂର୍ଣ୍ଣ
ବିରୋଧାଚରଣ କରୁଛି । ଏହାର ପ୍ରତିବାଦରେ ଏକାଧିକ ପରୀକ୍ଷାର୍ଥୀ ମାନ୍ୟବର ଓଡିଶା ରାଜ୍ୟ ପ୍ରଶାସନିକ
ନ୍ୟାୟାଧିକରଣଙ୍କ ଦ୍ୱାରସ୍ଥ ହୋଇଥିଲେ, ଯେଉଁଥିରେ ମାନ୍ୟବର ଅଧ୍ୟକ୍ଷ ଓଡିଶା ଲୋକସେବା ଆୟୋଗଙ୍କୁ ନିର୍ଦ୍ଦେଶ ଦେଇଲେଖକ / ଲିପିକଙ୍କୁ ଅନୁମତି ପ୍ରଦାନ କରିବାକୁ କହିଛନ୍ତି ।

ଏଥିମଧ୍ୟରେ ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ନିର୍ଦ୍ଦେଶକଙ୍କ ପକ୍ଷରୁ ଚିଠି ନଂ – ୩୮୮/୧୧.୧.୨୦୧୯ ତାରିଖରେ ଓଡିଶା
ଲୋକସେବା ଆୟୋଗଙ୍କ ସଚିବଙ୍କୁ ପତ୍ର ଲେଖି ଏ ସମସ୍ତ ବିଷୟ ଅବଗତ କରାଇବା ସଙ୍ଗେ ସଙ୍ଗେ ଦିବ୍ୟାଙ୍ଗ ଏବଂ
ଦୃଷ୍ଟିହୀନମାନଙ୍କୁ ଲିପିକ/ଲେଖକମାନଙ୍କ ସାହାଯ୍ୟ ନେବା ପାଇଁ ଅନୁମତି ପ୍ରଦାନ ନିମନ୍ତେ କୁହାଯାଇଛି । କିନ୍ତୁ
ସମ୍ବେଦନହୀନ ରାଜ୍ୟ ସରକାର ଏସବୁଥିରେ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି ଏବଂ ଦିବ୍ୟାଙ୍ଗ ଓ ଦୃଷ୍ଟିହୀନ
ପରୀକ୍ଷାର୍ଥୀଙ୍କ ଭାଗ୍ୟ ସହିତ ଖେଳୁଛନ୍ତି ଯାହାକି ସରକାରଙ୍କ ଦୋମୁହାଁ ନୀତିକୁ ପଦାରେ ପକାଇଛି । ଏ ସମସ୍ତ ଘଟଣା
ସୂଚୀତ କରୁଛି ଯେ ଖୋଦ୍ ରାଜ୍ୟ ସରକାର ଦୃଷ୍ଟିହୀନ ହୋଇଯାଇଛନ୍ତି । ଏଭଳି ସ୍ଥିତିରେ ଉକ୍ତ ପରୀକ୍ଷାକୁ ଘୁଂଚାଇବା
ସହିତ ଏହାର ନୋଟିଫିକେସନରେ ଆବଶ୍ୟକୀୟ ପରିବର୍ତନ କରିବାକୁ ଦାବି କରିଛି କଂଗ୍ରେସ ।
ଏହି ସାମ୍ବାଦିକ ସ୧ିଳନୀରେ ଅନ୍ୟମାନଙ୍କ ମଧ୍ୟରେ ମୁଖପାତ୍ର ନିଶିକାନ୍ତ ମିଶ୍ର, ପ୍ରଶାନ୍ତ ଶତପଥୀ, ନିକୁଞ୍ଜ
ପଶାୟତ, ଦୀପକ ମହାପାତ୍ର ଉପସ୍ଥିତି ଥିଲେ ।

 

Spread the love