କଂଗ୍ରେସକୁ ସୁଦୃଢ କରିବା ପାଇଁ ଶକ୍ତ ପଦକ୍ଷେପ ନେବାକୁ ରାହୁଲ ଗାନ୍ଧୀଙ୍କୁ ଚିଠି ପ୍ରସଙ୍ଗ : ପ୍ରତିକ୍ରିୟା ରଖିଲେ ବିଧାୟକ

ଭୁବନେଶ୍ବର ୯।୧୨: କଂଗ୍ରେସକୁ ସୁଦୃଢ କରିବା ପାଇଁ ଏକ ଶକ୍ତ ପଦକ୍ଷେପ ନେବାକୁ ରାହୁଲ ଗାନ୍ଧୀଙ୍କୁ ଚିଠି ଲେଖିଲା କଂଗ୍ରେସ ବିଧାୟକ ଦଳ। ଆଗକୁ ପଞ୍ଚାୟତ ପୌର ଓ ସମବାୟ ନିର୍ବାଚନ ଆସୁଛି। ବିଜେଡି-ବିଜେପି ଉପରୁ ଲୋକେ ଆସ୍ଥା ତୁଟାଇ ସାରିଲେଣି । କଂଗ୍ରେସ ଉପରେ ଲୋକେ ଆସ୍ଥା ପ୍ରକଟ କଲେଣି । ଏଭଳି ସ୍ଥିତିରେ ଦଳକୁ ସୁସଙ୍ଗଠିତ କରିବା ସହିତ ସମସ୍ତ ଦଳୀୟ ନେତା ଓ କର୍ମୀଙ୍କୁ ଗୋଟିଏ ଛତା ତଳେ ଏକତ୍ରିତ କରିବା ପାଇଁ ନିଷ୍ପତ୍ତି ନେବାକୁ ରାହୁଲ ଗାନ୍ଧୀଙ୍କୁ ଅବଗତ କରାଯାଇଛି। ରାହୁଲ ଗାନ୍ଧୀଙ୍କୁ ଭେଟି ଆଲୋଚନା କରିବା ପାଇଁ କଂଗ୍ରେସ ବିଧାୟକ ଦଳ ସମୟ ମାଗିଥିବା କହିଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି। ହାଇକମାଣ୍ଡ ଯାହା ନିଷ୍ପତ୍ତି ନେବେ ସେହି ଅନୁଯାୟୀ କାର୍ଯ୍ୟ କରାଯିବ ବୋଲି ତାରା କହିଛନ୍ତି ।

ସେହିପରି କଂଗ୍ରେସ ନେତା ତଥା ବିଧାୟକ ସିଏସ୍ ରାଜନ ଏକ୍କା କହିଛନ୍ତି, କଂଗ୍ରେସର ସଂଗଠନକୁ କିପରି ମଜବୁତ କରଯାଇ ପାରିବ ସେ ନେଇ ସିଏଲପି ବୈଠକରେ ଆଲୋଚନା ହୋଇଛି । ଗ୍ରାଉଣ୍ଡ ରିୟଲିଟିକୁ ଜାଣିବା ପରେ ବି ତାକୁ ନ ମାନିକି ଯଦି କାର୍ଯ୍ୟ କରିବା ତାହେଲେ କିଛି ହେବନାହିଁ । ପିସିସି କେମିତି କାର୍ଯ୍ୟ କରୁଛି ତାହା ଏଆଇସିସି ନିଷ୍ପତ୍ତି ନେବ । କଂଗ୍ରେସକୁ କେମିତି ମଜବୁତ କରାଯିବ, ନିର୍ବାଚନ କେମିକି ଲଢ଼ିବୁ ସେ ବିଷୟରେ ଗ୍ରାଉଣ୍ଡ ରିୟଲିଟି ନେଇ ଆମେ ବିସ୍ତୃତ ଆଲୋଚନା କରିଛୁ । ବିଧାନସଭା ପରେ ଆଉ ଥରେ ବୈଠକ ବସିବ । ସେହି ବୈଠକ ପରେ ବିଧାୟକ ଦଳ ତାର ଚୂଡାନ୍ତ ରଣନୀତି ପ୍ରସ୍ତୁତ କରିବ ।ସେପଟେ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି, ନିର୍ବାଚନ ସମୟ ପାଖେଇ ଆସୁଥିବାବେଳେ ଦଳୀୟ ନେତାମାନେ ଅନ୍ୟ ଦଳକୁ ଚାଲି ଯାଉଛନ୍ତି । ତୃଣମୂଳ ସ୍ତରରେ ସଂଗଠନ ଦୁର୍ବଳ ହେବାରେ ଲାଗିଛି। ଏଭଲି ସ୍ଥିତିରେ ପିସିସି ଓ ଏଆଇସିସି ସ୍ତରରେ ଆଲୋଚନା ହେବାର ଆବଶ୍ୟକତା ରହିଛି।

Spread the love