କଂଗ୍ରେସ ଭବନରେ ଗୋଷ୍ଠୀ ସଂଘର୍ଷ: ତଦନ୍ତ ପାଇଁ ରଞ୍ଜିବଙ୍କ ନେତୃତ୍ୱରେ କମିଟି

ରାଜ୍ୟ ଯୁବ କଂଗ୍ରେସର ନବନିଯୁକ୍ତ ସଭାପତି ସ୍ମତିରଞ୍ଜନ ଲେଙ୍କା ଆଜି ବିଧିବଦ୍ଧ ଭାବେ କଂଗ୍ରେସ ଭବନରେ ଦାୟିତ୍ୱ ଗ୍ରହଣ କରିବାବେଳେ ଦୁଇଗୋଷ୍ଠୀ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଘଟିଛି। ଯୁବ କଂଗ୍ରେସର ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିବା ଏହି ସଂଘର୍ଷ ଘଟଣାର ତଦନ୍ତ ପାଇଁ ପୂର୍ବତନ ସାଂସଦ ରଞ୍ଜିବ ବିଶ୍ୱାଳଙ୍କ ନେତୃତ୍ୱରେ ପିସିସି ପକ୍ଷରୁ ଏକ କମିଟି ଗଠନ ହୋଇଛି। ଏପଟେ ଶ୍ରୀ ଲେଙ୍କାଙ୍କ ନିଯୁକ୍ତିରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ଖୁସି ନଥିବା ଜଣାପଡ଼ିଛି।ସୂଚନା ଅନୁସାରେ, ନବନିଯୁକ୍ତ ଯୁବ କଂଗ୍ରେସ ସଭାପତି ଶ୍ରୀ ଲେଙ୍କା ଆଜି ନିଜ ସମର୍ଥକଙ୍କ ଗହଣରେ କଂଗ୍ରେସ ଭବନ ଆସି ବିଧିବଦ୍ଧ ଦାୟିତ୍ୱ ନେଇଛନ୍ତି। ତେବେ ତାଙ୍କ ନିଯୁକ୍ତିକୁ ବିରୋଧ କରି ଯୁବ କଂଗ୍ରେସର ଅନ୍ୟ ଏକ ଗୋଷ୍ଠୀ କଂଗ୍ରେସ ଭବନ ମୁଖ୍ୟ ଫାଟକରେ ତାଲା ପକାଇ ଦେଇଥିଲେ। ଯାହାକୁ ଶ୍ରୀ ଲେଙ୍କାଙ୍କ ସମର୍ଥକମାନେ ଭାଙ୍ଗି ଭିତରକୁ ପ୍ରବେଶ କରିଥିଲେ। ଏହି ସମୟରେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଠେଲାପେଲା,ଗାଳିଗୁଲଜ ଓ ମାରପିଟ୍ ହୋଇଥିବା ଜଣାପଡ଼ିଛି। ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯାଇ ପୁଲିସ୍ ସେଠାରେ ଲାଠିଚାର୍ଜ କରିବାକୁ ମଧ୍ୟ ବାଧ୍ୟ ହୋଇଥିଲା।ଏହି ଗଣ୍ଡାଗୋଳ ମଧ୍ୟରେ ଶ୍ରୀ ଲେଙ୍କା କଂଗ୍ରେସ ଭବନରେ ଆନୁଷ୍ଠାନିକ ଭାବେ ଦାୟିତ୍ୱ ମଧ୍ୟ ଗ୍ରହଣ କରିଛନ୍ତି। ତାଙ୍କୁ ସମ୍ବର୍ଦ୍ଧନା ଦେବା ପାଇଁ ଦଳର ସାଂସଦ ସପ୍ତଗିରି ଉଲାକାଙ୍କ ସମେତ ବହୁ ଯୁବନେତା ଉପସ୍ଥିତ ଥିଲେ।ଏପଟେ କଂଗ୍ରେସ ଭବନ ମଧ୍ୟରେ ଯୁଗ କଂଗ୍ରେସର ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳକୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି। ଯେଉଁମାନେ ଗଣ୍ଡଗୋଳ କରିଛନ୍ତି ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ଚେତାବନୀ ଦେଇଛନ୍ତି । ଏହି ସମସ୍ତ ବିଷୟ ଏଆଇସିସିକୁ ସେ ଅବଗତ କରିବେ ବୋଲି ମଧ୍ୟ କହିଛନ୍ତି। ମାତ୍ର ଯଦି ସମସ୍ତଙ୍କୁ ବସାଇ ଯୁବ କଂଗ୍ରେସ ସଭାପତି ଚୟନ ନିଷ୍ପତ୍ତି ହୋଇଥାନ୍ତା ତା’ହେଲେ ଏଭଳି ପରିସ୍ଥିତି ହୋଇନଥାନ୍ତା ବୋଲି ସେ କହିଛନ୍ତି। ତେଣୁ ଶ୍ରୀ ଲେଙ୍କାଙ୍କ ନିଯୁକ୍ତିରେ ଶ୍ରୀ ପଟ୍ଟନାୟକଙ୍କ ଖୁସି ନଥିବା ତାଙ୍କ ବୟାନରୁ ସ୍ପଷ୍ଟ ହୋଇଛି।

କଂଗ୍ରେସ ଭବନରେ ସଂଘର୍ଷର ତଦନ୍ତ ପାଇଁ ଶ୍ରୀ ପଟ୍ଟନାୟକ ଆଜି ୪ଜଣିଆ କମିଟି ଗଠନ କରିଛନ୍ତି। କମିଟିର ମୁଖ୍ୟ ଭାବେ ରଞ୍ଜିବ ବିଶ୍ୱାଳଙ୍କୁ ଦାୟିତ୍ୱ ଦିଆଯାଇଛି। କମିଟିରେ ମାନସ ଚୌଧୁରୀ, ବିଶ୍ୱରଞ୍ଜନ ଦାସ ଓ ସଂଗ୍ରାମ ଜେନା ସଦସ୍ୟ ଅଛନ୍ତି। ଏହି କମିଟିକୁ ୪ଦିନ ମଧ୍ୟରେ ତାଙ୍କ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଉଲ୍ଲେଖଯୋଗ୍ୟ, ପିସିସି ମିଡିଆ ସେଲ୍ ଗଠନକୁ ନେଇ ମଧ୍ୟ ଗତ କିଛଦିନ ତଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ।

Spread the love