ରାଜ୍ୟସଭା ନିର୍ବାଚନ: ରାଜସ୍ଥାନରେ କଂଗ୍ରେସର ବାଜିମାତ

ନୂଆଦିଲ୍ଲୀ: ୪ ରାଜ୍ୟର ୧୬ ରାଜ୍ୟସଭା ଆସନ ପାଇଁ ଆଜି ଭୋଟ ଗ୍ରହଣ ହୋଇଛି। ନିର୍ବାଚନରେ ହରିୟାଣା, ରାଜସ୍ଥାନ, ମହାରାଷ୍ଟ୍ର ଓ କର୍ଣ୍ଣାଟକ ସାମିଲ ହୋଇଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା କର୍ଣ୍ଣାଟକ ଓ ରାଜସ୍ଥାନରେ କ୍ରସ ଭୋଟିଂ ହୋଇଥିବା ବେଳେ ଏହି ଦୁଇ ରାଜ୍ୟର ଫଳାଫଳ ମଧ୍ୟ ପ୍ରକାଶ ପାଇଛି। ରାଜସ୍ଥାନରେ ୪ ଆସନରୁ କଂଗ୍ରେସ ୩ ଆସନରେ ବିଜୟୀ ହୋଇଥିବା ବେଳେ ବିଜେପିକୁ ମିଳିଛି ମାତ୍ର ଗୋଟିଏ।

ରାଜସ୍ଥାନର ବିଜେପି ପ୍ରାର୍ଥୀ ଘନଶ୍ୟାମ ତିୱାରୀଙ୍କୁ ୪୩ ଭୋଟ୍ ମିଳିଥିବା ନିର୍ଦ୍ଦଳୀୟ ପାଟିରୁ ନିର୍ବାଚନ ଲଢ଼ିଥିବା ସୁଭାଷ ଚନ୍ଦ୍ରା ପରାଜିତ ହୋଇଛନ୍ତି। ତାଙ୍କୁ ମାତ୍ର ୩୦ଟି ଭୋଟ ମିଳିଛି। ସେହିପରି କଂଗ୍ରେସର ରଣଦୀପ ସୂର୍ଯେୱାଲା ୪୩, ମୁକୁଲ ବାସନିକ ୪୨ ଓ ପ୍ରମୋଦ ତିୱାରୀଙ୍କୁ ୪୧ ଭୋଟ ମିଳିବା ସହ ସେମାନେ ବିଜୟୀ ହୋଇଛନ୍ତି।

ରାଜସ୍ଥାନରେ କ୍ରସ୍ ଭୋଟିଂ ଅଭିଯୋଗରେ ବିଜେପି ଶୋଭାରାଣୀ କୁଶୱାହାଙ୍କୁ ନିଲମ୍ବିତ କରିଛି। ସେ କ୍ରସ ଭୋଟିଂ କରି କଂଗ୍ରସର ପ୍ରମୋଦ ତିୱାରୀଙ୍କୁ ଭୋଟ୍ ଦେଇଥିଲେ ବୋଲି ତାଙ୍କ ବିରୋଧରେ ଅଭିଯୋଗ ହୋଇଛି। ଏହି ମାମାଲରେ ପାର୍ଟି ହାଇକମାଣ୍ଡ ଦଳୀୟ ସଭାପତିଙ୍କୁ ରିପୋର୍ଟ ମାଗିଥିଲେ। ରିପୋର୍ଟ ଆସିବା ପରେ ଏଭଳି କାର୍ଯ୍ୟାନୁଷ୍ଠାନ ହୋଇଛି।

ଚାରି ରାଜ୍ୟରେ ମୁକାବିଲା ଜୋର୍‌ଦାର ଥିବାରୁ ଘୋଡ଼ା ବେପାର ଆଶଙ୍କା କରାଯାଉଥିଲା। ଏଥିପାଇଁ ହରିୟାଣା ଓ ରାଜସ୍ଥାନରେ କଂଗ୍ରେସ ନିଜର ବିଧାୟକଙ୍କୁ ଏକାଠି କରି ହୋଟେଲ୍‌ରେ ରଖିଥିଲା।

କର୍ଣ୍ଣାଟକ ନିର୍ବାଚନ

ସେପଟେ କର୍ଣ୍ଣାଟକରେ ମଧ୍ୟ ଫଳାଫଳ ଘୋଷଣା ହୋଇଛି। ଏଥିରେ ବର୍ତ୍ତମାନ ଅର୍ଥମନ୍ତ୍ରୀ ଥିବା ନିର୍ମଳା ସୀତାରମଣ ଓ କଂଗ୍ରେସ ନେତା ଜୟରାମ ରମେଶ ବିଜୟୀ ହୋଇଛନ୍ତି। ଦ୍ୱିତୀୟ ରାଉଣ୍ଡରେ ଗଣନାରେ ଜଗ୍ଗେଶ ୪୪, ଜୟରାମ ରମେଶ ୪୬, ନିର୍ମଳା ସୀତାରମଣଙ୍କୁ ୪୬, ଭୂପେନ୍ଦ୍ର ରେଡ୍ଡୀଙ୍କୁ ୩୦, ମନ୍‌ସୁର ଅଲ୍ଲୀ ଖାନଙ୍କୁ ୨୫, ଲହର ସିଂହ ୩୩ ଭୋଟ ମିଳିଛି। କର୍ଣ୍ଣାଟକରେ ଜିତିବା ପାଇଁ ୪୫ ଭୋଟର ଆବଶ୍ୟକତା ପଡୁଥିବା ବେଳେ ବିଜେପି ପ୍ରାର୍ଥୀ ଜଗ୍ଗେଶ କେବଳ ଗୋଟିଏ ଭୋଟ୍ ପାଇଁ ହାରିଯାଇଛନ୍ତି।

ରାଜ୍ୟସଭାରେ ୧୫ ରାଜ୍ୟରୁ ମୋଟ ୫୭ ଆସନ ଖାଲି ହୋଇଥିଲା. ଏଥିରେ ୪୧ ଆସନରେ ପ୍ରାର୍ଥୀ ନିର୍ଦ୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବା ବେଳେ ଆଜି ୪ ରାଜ୍ୟର ୧୬ ସିଟ୍ ପାଇଁ ନିର୍ବାଚନ ହୋଇଛି।

Spread the love