କଟକ ଜିଲ୍ଲାରେ ୨୦୧୯ପରଠୁ ୫ ଆସନର କଂଗ୍ରେସ ପ୍ରାର୍ଥୀଙ୍କ ଦେଖାନାହିଁ

କଟକ : ୨୦୨୪ ସାଧାରଣ ନିର୍ବାଚନ ପାଇଁ ଆରମ୍ଭ ହେଲାଣି ପାଗଭିଡ଼ା। ସାଂଗଠନିକ କାର୍ଯ୍ୟକ୍ରମରେ ବିଜେଡି ସବୁ ବେଳେ ସବୁଠି ଆଗରେ ଥିବା ବେଳେ ବିଜେପି ବି ନିଜ କାର୍ଯ୍ୟକ୍ରମ ଜାରି ରଖିଛି। କିନ୍ତୁ କଟକ ଜିଲ୍ଲାରେ କଂଗ୍ରେସର ସ୍ଥିତି କଣ, ନେତା କିଏ ବୋଲି ଏବେ ଦଳର କର୍ମୀମାନେ ବି ପ୍ରଶ୍ନ କରିବା ଆରମ୍ଭ କରି ଦେଇଛନ୍ତି। ଜିଲ୍ଲାର ୯ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଅଞ୍ଚଳ ମଧ୍ୟରୁ ୩/୪ଟି ଅଞ୍ଚଳକୁ ବାଦ ‌ଦେଲେ ଅନ୍ୟ ଅଞ୍ଚଳରେ ୨୦୧୯ ନିର୍ବାଚନରେ ଦଳର ଟିକେଟରେ ନିର୍ବାଚନ ଲଢିଥିବା ପ୍ରାର୍ଥୀଙ୍କର ଆଉ ଦେଖା ମିଳୁନି। ୨୦୧୯ ନିର୍ବାଚନରେ କଟକର ୯ଟି ବିଧାନସଭା ଆସନ ଓ ଗୋଟିଏ ସଂସଦୀୟ କ୍ଷେତ୍ରରେ ଯେଉଁମାନେ କଂଗ୍ରେସରୁ ପ୍ରାର୍ଥୀ ହୋଇଥିଲେ ସେମାନଙ୍କ ଭିତରୁ ୫ଟି ଆସନରେ କଂଗ୍ରେସ ପ୍ରାର୍ଥୀଙ୍କୁ ନିର୍ବାଚନ ପରଠାରୁ ଲୋକ ଦେଖିବାକୁ ପାଉନାହାନ୍ତି।

କେବଳ ବାଙ୍କୀ, ମାହାଙ୍ଗାରେ ସକ୍ରିୟ ଅଛନ୍ତି ପୁରୁଣା ପ୍ରାର୍ଥୀ
ବାରବାଟୀ ଗଡ଼ ଜିତିବା ପରେ ବି କଂଗ୍ରେସ ଶିବିର ଫାଙ୍କା!
ସୁରେଶ, ମାନସ, ଆକ୍ୟୁବ ଧରିଛନ୍ତି କଂଗ୍ରେସ ଧ୍ବଜା

କଟକ ଜିଲ୍ଲାରେ ୨୦୧୯ ନିର୍ବାଚନରେ ଜିଲ୍ଲାର ସଦର ମହକୁମା ବାରବାଟୀ-କଟକ ଆସନ କଂଗ୍ରେସ ହାତକୁ ଯାଇଥିବା ବେଳେ ଏହାକୁ ନେଇ ବେଶ ହଟଚମଟ ସୃଷ୍ଟି ହୋଇଥିଲା। କଂଗ୍ରେସ ସାରା ରାଜ୍ୟରେ ଅତ୍ୟନ୍ତ ଦୁର୍ବଳ ପ୍ରଦର୍ଶନ କରିଥିବା ବେଳେ ଉପକୂଳ ଜିଲ୍ଲାର ଗୁରୁତ୍ବପୂର୍ଣ୍ଣ ଆସନ ବାରବାଟୀ-କଟକରୁ ଇଂଜିନିୟର ମହମ୍ମଦ ମୋକିମ କଂଗ୍ରେସ ପ୍ରାର୍ଥୀ ଭାବେ ବିଜୟୀ ହୋଇଥିଲେ। ଦୀର୍ଘ ବର୍ଷ ପରେ କଟକ ସହର ଆସନ କଂଗ୍ରେସ ଖାତାକୁ ଯାଇଥିଲା। କିନ୍ତୁ ଏବେ ଶ୍ରୀ ମୋକିମ କଂଗ୍ରେସରେ ଥାଇ ନଥିଲା ଭଳି। ଦଳର ରାଜ୍ୟ ନେତୃବୃନ୍ଦଙ୍କ ଦ୍ବାରା ଅଲୋଡ଼ା ହେବା ପରେ ସିଏ ଅଥବା ତାଙ୍କ ସମର୍ଥକ ଆଉ କଂଗ୍ରେସ ବ୍ୟାନରରେ କୌଣସି କାର୍ଯ୍ୟକ୍ରମ କରୁନାହାନ୍ତି।

Spread the love