କଂଗ୍ରେସରୁ ନିଲମ୍ବିତ ହେଲେ ସୁର ରାଉତରାୟଙ୍କ ପୁଅ ମନ୍ମଥ

ଜଟଣୀ ବିଧାୟକ ସୁର ରାଉତରାୟଙ୍କ ପୁଅ ତଥା ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ ମନ୍ମଥ ରାଉତରାୟଙ୍କୁ କଂଗ୍ରେସରୁ ନିଲମ୍ବିତ କରାଯାଇଛି। ଦଳୀୟ ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ତାଙ୍କୁ ଭାରତୀୟ ଜାତୀୟ କଂଗ୍ରେସରୁ ନିଲମ୍ବନ କରାଯାଇଛି। ଏ ନେଇ ଓଡ଼ିଶା ପ୍ରଦେଶ କଂଗ୍ରେସ ଡିସିପ୍ଲିନାରୀ ଆକ୍ସନ କମିଟି ପକ୍ଷରୁ ବିବୃତ୍ତି ପ୍ରକାଶ ପାଇଛି। ମନ୍ମଥ କଂଗ୍ରେସରେ ପିସିସି ସଦସ୍ୟଥିଲେ। ହେଲେ  ସେ ସ୍ୱାଧୀନ ଏବଂ ତାଙ୍କର କେଉଁ ରାଜନୈତିକ ଦଳ ସହ ସଂପୃକ୍ତି ନାହିଁ ବୋଲି କିଛି ଦିନ ତଳେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଥିଲେ। ଏନେଇ କଂଗ୍ରେସ ପକ୍ଷରୁ ଗତକାଲି ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା। ତେବେ ସେ ତାହାର ଉତ୍ତର ଦେଇ ନଥିଲେ। ଏଥିପାଇଁ  ତାଙ୍କୁ ଦଳରୁ ନଲମ୍ବନ କରାଯାଇଥିବା କଂଗ୍ରେସ ଶୃଙ୍ଖଳା କମିଟି ଅଧ୍ୟକ୍ଷ ସନ୍ତୋଷ ସିଂ ସାଲୁଜା ଦର୍ଶାଇଛନ୍ତି।

କଂଗ୍ରେସରୁ ନିଲମ୍ବିତ ହେବା ପରେ ମନ୍ମଥ କହିଛନ୍ତି, ମୋତେ କଂଗ୍ରେସରେ ପିସିସି ସଦସ୍ୟ କରିବା ପୂର୍ବରୁ ମୁଁ  କ‘ଣ କରୁଛି ମୋର ବ୍ରେକଗ୍ରାଉଣ୍ଡ ଯାଞ୍ଚ କରିବା ଦରକାର ଥିଲା।  ଯିଏ କି ମୋତେ ପିସିସିର ସଦସ୍ୟ କରିଛନ୍ତି , ଯେ ଜାଣିବା ଦରକାର ଥିଲା ଯେ ମୁଁ ସେଣ୍ଟ୍ରାଲ ଗମେଣ୍ଟ ଚାକିରିଆ ଥିଲି।  ମୁଁ ଆଇନଗତ ଭାବେ କୌଣସି ଦଳରେ ଯୋଗ ଦେଇପାରିବିନି। ଏହି ବିଷୟରେ ଯାଞ୍ଚ କରିବାର ଥିଲା।

ସେ ଆହୁରି କହିଛନ୍ତି, ପିସିସି ସଦସ୍ୟରେ ମୋ ନାଁ ରହିଛି ବୋଲି ମୁଁ ଜାଣିନାହିଁ। ଯଦି ସେମାନେ ପିସିସି ସଦସ୍ୟ କରିଛନ୍ତି ତାହାହେଲେ ସେ ଭୁଲ କରିଛନ୍ତି। ଭୁଲ ଉପରେ ଭୁଲ କରୁଛନ୍ତି। ଜଣେ ପିସିସିରେ ମେମ୍ବର ହୋଇପାରିବନି ତାକୁ ମେମ୍ବର କରି  ନିଲମ୍ବିତ କରିବା ଭୁଲ ଅଟେ। ବୁଝିସୁଝି ସବୁ କରିବାର ଥିଲା। 

ସୂଚନାଯୋଗ୍ୟ, କିଛି ଦିନ ତଳେ କଂଗ୍ରେସରୁ ଲଢ଼ିବେନି ବୋଲି ମନ୍ମଥ କହିଥିଲେ। ତେବେ  କେଉଁ ଦଳରୁ ଲଢ଼ିବେ, ଅକ୍ଟୋବରରେ ଘୋଷଣା କରିବେ ବୋଲି ଗଣମାଧ୍ୟମରେ କହିଥିଲେ।  ମନ୍ମଥଙ୍କ ଏପରି ମନ୍ତବ୍ୟକୁ ନେଇ ରାଜନୀତି ସରଗରମ ହୋଇଥିଲା। ଗୋଟିଏ ପକ୍ଷରେ ପୁଅ ମନ୍ମଥ କଂଗ୍ରେସରୁ ଲଢ଼ିବେ ବୋଲି ସୁର ରାଉତରାୟ କହୁଥିବା ବେଳେ ଅନ୍ୟ ପକ୍ଷରେ ମନ୍ମଥ  କଂଗ୍ରେସରୁ ଲଢ଼ିବେନି ବୋଲି କହିବାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଥିଲା।

Spread the love