ରାଷ୍ଟ୍ରପତିଙ୍କୁ ଭେଟି କୃଷି ଆଇନ ଉଚ୍ଛେଦ ନିମନ୍ତେ ଅନୁରୋଧ କଲେ କଂଗ୍ରେସ ନେତା

ସେପ୍ଟେମ୍ବର ମାସରେ ଆଇନ୍‌ରେ ପରିଣତ କରାଯାଇଥିବା କୃଷକ ବିରୋଧୀ, କୃଷି ବିରୋଧୀ ଏବଂ ଗରିବ ବିରୋଧୀ ତିନୋଟି କୃଷି ଆଇନକୁ ଉଚ୍ଛେଦ କରିବା ନିମନ୍ତେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଗୁରୁବାର ଦିନ କଂଗ୍ରେସ ଅନୁରୋଧ କରିଛି। ସ୍ୱେଚ୍ଛାଚାରୀ ମୋଦୀ ସରକାର କୃଷକମାନଙ୍କର ଦୁଃଖଯନ୍ତ୍ରଣା ପ୍ରସଙ୍ଗ ମଧ୍ୟ ଶୁଣିବାକୁ ଅଗ୍ରାହ୍ୟ କରୁଥିବା କଥା କଂଗ୍ରେସ ରାଷ୍ଟ୍ରପତିଙ୍କୁ ଅବଗତ କରାଇଛି। ଏହି ଆଇନକୁ ପ୍ରତ୍ୟାହାର କରି ନେବାକୁ ସରକାର ସଂସଦର ସ୍ୱତନ୍ତ୍ର ମିଳିତ ଅଧିବେଶନ ଡାକନ୍ତୁ ବୋଲି ରାଷ୍ଟ୍ରପତିଙ୍କୁ ଭେଟିଥିବା କଂଗ୍ରେସ ନେତାମାନେ ଦାବି କରିଛନ୍ତି।

ରାହୁଳ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସର ଏକ ପ୍ରତିନିଧି ଦଳ ରାଷ୍ଟ୍ରପତିଙ୍କୁ ଭେଟି ଏହି ଆଇନ ବିରୋଧରେ ଗତ ତିନି ମାସରେ ସଂଗୃହୀତ ୨୦ ନିୟୁତ ଦସ୍ତଖତ ସମ୍ବଳିତ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ।

୬୨ କୋଟି କୃଷକ ଏବଂ କୃଷି ଶ୍ରମିକଙ୍କ ଜୀବନଜୀବିକା ପ୍ରତିବଦଳରେ ସାମ୍ପ୍ରତିକ ସରକାର କେବଳ ତାଙ୍କର ମୁଷ୍ଟିମେୟ ପୁଞ୍ଜିପତି ବନ୍ଧୁମାନଙ୍କ ସ୍ୱାର୍ଥ ରକ୍ଷା କରୁଥିବା ପରି ମନେହେଉଛି ବୋଲି ଉକ୍ତ ସ୍ମାରକପତ୍ରରେ େଉଲ୍ଲଖ ଅଛି।

ରାଷ୍ଟ୍ରପତି ଭବନକୁ ଯାଇ ରାଷ୍ଟ୍ରପତିଙ୍କୁ ଭେଟିବା ପୂର୍ବରୁ ନୂଆଦିଲ୍ଲୀସ୍ଥିତ ଦଳର ମୁଖ୍ୟାଳୟରେ ପ୍ରତିନିଧିମାନେ ସମବେତ ହୋଇଥିଲେ।

କିନ୍ତୁ, ପୁଲିସ କେବଳ ରାହୁଳ ଗାନ୍ଧୀ, ରାଜ୍ୟସଭାର ବିରୋଧୀ ଦଳର ନେତା ଗୁଲାମ ନବି ଆଜାଦ ଏବଂ କଂଗ୍ରେସର ଲୋକସଭା ନେତା ଅଧୀରରଞ୍ଜନ ଚୌଧୁରୀଙ୍କୁ ରାଷ୍ଟ୍ରପତି ଭବନକୁ ଯାଇ ରାଷ୍ଟ୍ରପତିଙ୍କୁ ଭେଟିବାକୁ ଛାଡ଼ିଥିଲା।

Spread the love