କଂଗ୍ରେସର ବରିଷ୍ଠ ନେତା ଅସ୍କାର ଫର୍ଣ୍ଣାଣ୍ଡିସଙ୍କ ପରଲୋକ

ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଅସ୍କାର ଫର୍ଣ୍ଣାଣ୍ଡିସଙ୍କ ପରଲୋକ । କର୍ଣ୍ଣାଟକ ମାଙ୍ଗାଲୁରୁରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ଅସ୍କାର । ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କ ନିଧନ ନେଇ ହସ୍ପିଟାଲ ପକ୍ଷରୁ ସ୍ପଷ୍ଟ କରାଯାଇଛି ।୮୦ ବର୍ଷୀୟ ଅସ୍କାର ଫର୍ଣ୍ଣାଣ୍ଡିସ ଦୀର୍ଘ ଦିନରୁ ଅସୁସ୍ଥ ଥିଲେ । କିଛି ସପ୍ତାହ ହେବ ମାଙ୍ଗାଲୁରୁର ହସ୍ପିଟାଲରେ ଚିକିତ୍ସାଧିନ ଥିଲେ ଫର୍ଣ୍ଣାଣ୍ଡିସ । ଯୋଗ କରୁଥିବା ସମୟରେ ତାଙ୍କୁ ଆଘାତ ଲାଗିଥିଲା । ଏହାପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିଥିଲା ।

ଅସ୍କାର ଫର୍ଣ୍ଣାଣ୍ଡିସ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ବେଶ ନିକଟତର ବୋଲି କୁହାଯାଏ । ସେ ୟୁପିଏ ସରକାରରେ ସଡକ ପରିବହନ ମନ୍ତ୍ରୀ ଥିଲେ । ଏବେ ରାଜ୍ୟସଭା ସାଂସଦ ଥିଲେ ଫର୍ଣ୍ଣାଣ୍ଡିସ । ୟୁପିଏ ସରକାରର ଦୁଇଟି କାର୍ଯ୍ୟକାଳରେ ମନ୍ତ୍ରୀ ରହିଥିବା ଅସ୍କାର ଫର୍ଣ୍ଣାଣ୍ଡିସ ଦୀର୍ଘ ଦିନ ଗାନ୍ଧୀ ପରିବାର ସହିତ କାମ କରିଛନ୍ତି । ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ସଂସଦୀୟ ସଚିବ ଥିଲେ ଅସ୍କର ।

୧୯୮୦ରେ କର୍ଣ୍ଣାଟକର ଉଡପ୍ପି ଲୋକସଭା ଆସନର ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ ଅସ୍କାର ଫର୍ଣ୍ଣାଣ୍ଡିସ । ଏହାପରେ ୧୯୯୬ ପର୍ଯ୍ୟନ୍ତ କ୍ରମାଗତ ସେ ଏହି ଆଶନରୁ ଜିତିଆସିଥିଲେ । ୧୯୯୮ରେ କଂଗ୍ରେସ ତାଙ୍କୁ ରାଜ୍ୟସଭାକୁ ପଠାଇଥିଲା । ସେବେଠାରୁ ଫର୍ଣ୍ଣାଣ୍ଡିସ ରାଜ୍ୟସଭା ସାଂସଦ ରହିଆସିଛନ୍ତି ।

୨୭ ମାର୍ଚ୍ଚ ୧୯୪୧ରେ କର୍ଣ୍ଣାଟକର ଉଡୁପ୍ପିରେ ଅସ୍କାର ଫର୍ଣ୍ଣାଣ୍ଡିସଙ୍କ ଜନ୍ମ । ସେ ପରିବାରର ୧୨ ଜଣ ସନ୍ତାନଙ୍କ ମଧ୍ୟରୁ ଜଣେ ଥିଲେ ।

Spread the love