କିଏ ହେବ କଂଗ୍ରେସର ନୂଆ ବସ୍‌? ମଲ୍ଲିକାର୍ଜୁନ ଖଡ୍‌ଗେ ଏବଂ ଶଶି ଥରୁରଙ୍କ ମଧ୍ୟରେ ଚାଲିଛି ଟକ୍କର

ନୂଆଦିଲ୍ଲୀ: କିଏ ହେବ କଂଗ୍ରେସର ନୂଆ ବସ୍‌ । ଆଜି କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ହେବ ନିର୍ବାଚନ । ମଲ୍ଲିକାର୍ଜୁନ ଖଡ୍‌ଗେ ଏବଂ ଶଶି ଥରୁରଙ୍କ ମଧ୍ୟରେ ହେବ ସିଧାସଳଖ ଲଢେଇ । ସକାଳ ୧୦ଟାରୁ ୪ଟା ମଧ୍ୟରେ ହେବ ଭୋଟ୍‌ । ସମଗ୍ର ଦେଶରେ ୪୦ଟି କେନ୍ଦ୍ରରେ ୬୮ଟି ବୁଥ୍‌ ହୋଇଛି । ପ୍ରତ୍ୟେକ ରାଜ୍ୟର ପ୍ରତିନିଧି ପ୍ରାର୍ଥୀଙ୍କ ନାମ ସାମ୍ନାରେ ‘ଟିକ୍‌’ ମାର୍କ ଦେଇ ଭୋଟ୍‌ ଦେବେ। ମତଦାନ କରିବେ ପ୍ରାୟ ୯ ହଜାରରୁ ଅଧିକ ପ୍ରତିନିଧି । ସୋନିଆ ଗାନ୍ଧୀ, ମନମୋହନ ସିଂ, ପ୍ରିୟଙ୍କା ଗାନ୍ଧୀଙ୍କ ସହ ସିଡବ୍ଲୁସିର ସମସ୍ତ ସଦସ୍ୟ କଂଗ୍ରେସ୍‌ ମୁଖ୍ୟାଳୟରେ ହୋଇଥିବା ବୁଥ୍‌ରେ ମତଦାନ କରିବେ । ତେବେ କଂଗ୍ରେସ୍‌ର ଭାରତ ଯୋଡୋ ଯାତ୍ରା ପାଇଁ ବର୍ତ୍ତମାନ କର୍ଣ୍ଣାଟକରେ ଅଛନ୍ତି ରାହୁଲ ଗାନ୍ଧୀ । ତେଣୁ ସେଠାରେ ଥିବା ବୁଥ୍‌ରୁ ମତଦାନ କରିବେ ରାହୁଲ । ମଲ୍ଲିକାର୍ଜୁନ ଖଡଗେ ବେଙ୍ଗାଳୁରୁ ଏବଂ ଶଶି ଥରୁର ଥିରୁଅନନ୍ତପୁରମ ସ୍ଥିତ ରାଜ୍ୟ କଂଗ୍ରେସ୍‌ କାର୍ଯ୍ୟାଳୟରେ ମତଦାନ କରିବେ ।

ମତଦାନ ପରେ ୧୮ ତାରିଖରେ ଦିଲ୍ଲୀ ଅଣାଯିବ ବାଲଟ୍‌ ବକ୍ସ । ୧୯ରେ ମତଗଣନା ହେବ । ଏହା ପରେ ଜଣା ପଡିବ କିଏ ଧରିବ କଂଗ୍ରେସ୍‌ କମାଣ। ତେବେ ୨୨ ବର୍ଷ ପରେ କଂଗ୍ରେସ୍‌ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେଉଛି। କଂଗ୍ରେସର ୧୩୭ ବର୍ଷ ଇତିହାସ ମଧ୍ୟରେ ଷଷ୍ଠ ଥର ପାଇଁ ଅଧ୍ୟକ୍ଷ ପଦ ନିର୍ବାଚନରେ ଭୋଟିଂ ହେଉଛି । ପ୍ରାୟ ୨୪ ବର୍ଷ ପରେ ଗାନ୍ଧୀ ପରିବାର ବାହାରୁ ଜଣେ ଦଳର ଅଧ୍ୟକ୍ଷ ହେବାକୁ ଯାଉଛନ୍ତି। ଓଡ଼ିଶା କଂଗ୍ରେସରୁ ୪୨୮ ଜଣ ଦଳର ଅଧ୍ୟକ୍ଷଙ୍କୁ ଚୟନ କରିବେ। ଦୁଇ ଦିନ ତଳେ ଓଡ଼ିଶା ଆସିଥିଲେ ମଲିକାର୍ଜୁନ ଖଡଗେ। ଶଶି ଥରୁର ଓଡ଼ିଶା ଆସି ନଥିଲେ ମଧ୍ୟ ସୋସିଆଲ ମିଡିଆ ଜରିଆରେ ପ୍ରଚାର କରିଥିଲେ ।

Spread the love