ଅନୁସୂଚିତ ଜାତି, ଜନଜାତି ନିର୍ବାଚନମଣ୍ଡଳୀରେ ସଂଯୋଜକ ନିଯୁକ୍ତ କରିବ କଂଗ୍ରେସ

ଭୁବନେଶ୍ବର : ପ୍ରଦେଶ କଂଗ୍ରେସର ଅନୁସୂଚିତ ଜାତି, ଜନଜାତି ଓ ପଛୁଆବର୍ଗ ସେଲ୍‌ ରାଜ୍ୟ ଅଧ୍ୟକ୍ଷ ଓ ଜାତୀୟ ସଂଯୋଜକଙ୍କ ବୈଠକ ଆଜି କଂଗ୍ରେସ ଭବନରେ ଆୟୋଜିତ ହୋଇଯାଇଛି। ଏହି ବୈଠକରେ ପିସିସି ସଭାପତି ଶରତ ପଟ୍ଟନାୟକ ଯୋଗ ଦେଇଥିଲେ।

ଏହି ଅବସରରେ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ରାଜ୍ୟରେ ଅନୁସୂଚିତ ଜାତି, ଜନଜାତି, ପଛୁଆବର୍ଗ ଓ ସଂଖ୍ୟାଲଘୁ ଜନସାଧାରଣଙ୍କ ବିକାଶ ତଥା ସେମାନଙ୍କୁ କଂଗ୍ରେସ ଦଳ ପକ୍ଷରୁ ସେବା ଯୋଗାଇବାର ଆବଶ୍ୟକତା ରହିଛି। ରାଜ୍ୟରେ ଏ ବର୍ଗର ଲୋକଙ୍କ ସଂଖ୍ୟା ୯୪ ପ୍ରତିଶତରୁ ଅଧିକ ଥିବା ବେଳେ ଏହି ବର୍ଗକୁ ଗୁରୁତ୍ବ ଦେଇ ସେମାନଙ୍କ ବିକାଶ ପାଇଁ ଉତ୍ତମ ଓ ଦକ୍ଷ ନେତୃତ୍ବ ନେଇ ପାରୁଥିବା ବ୍ୟକ୍ତିଙ୍କ ଆବଶ୍ୟକତା ରହିଛି। ଏଥିପାଇଁ ରାଜ୍ୟରେ ପିସିସି ପକ୍ଷରୁ ଅନୁସୂଚିତ ଜାତି, ଜନଜାତି ଲୋକସଭା ଓ ବିଧାନସଭା ନିର୍ବାଚନ ମଣ୍ଡଳୀରେ ନେତୃତ୍ବ ବିକାଶ କାର୍ଯ୍ୟକ୍ରମ ଆରମ୍ଭ ହେବ। ଏଥିପାଇଁ ରାଜ୍ୟରେ ୩ଟି ଅନୁସୂଚିତ ଜାତି ଲୋକସଭା, ୨୪ଟି ଅନୁସୂଚିତ ଜାତି ବିଧାନସଭା, ୫ଟି ଜନଜାତି ଲୋକସଭା ଓ ୩୩ଟି ଜନଜାତି ବିଧାନସଭା ନିର୍ବାଚନ ମଣ୍ଡଳୀରେ ନେତୃତ୍ବ ବିକାଶ ପାଇଁ ଜଣେ ଲେଖ‌ା‌ଏ ସଂଯୋଜକଙ୍କୁ ନିଯୁକ୍ତ କରାଯିବ। ସେମାନେ ଜିଲ୍ଲା କଂଗ୍ରେସ କମିଟି, ବ୍ଲକ, ନଗର କଂଗ୍ରେସ କମିଟି ଓ ନିର୍ବାଚନ ମଣ୍ଡଳୀର ନେତୃମଣ୍ଡଳୀଙ୍କ ସହିତ ପରାମର୍ଶ କରି ତୃଣମୂଳସ୍ତରରୁ ସଂଗଠନକୁ ସୁଦଢ଼ କରିବା ପାଇଁ ଯତ୍ନବାନ ହେବେ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ଏହି ବୈଠକର ସଂଯୋଜକ ତଥା ପ୍ରଦେଶ ଅନୁସୂଚିତ ଜାତି ସେଲର ଅଧ୍ୟକ୍ଷ ବାଙ୍କନିଧି ବେହେରା, ଜନଜାତି ସେଲ ଅଧ୍ୟକ୍ଷ ଭୁଜବଳ ମାଝୀ, ସଂଖ୍ୟାଲଘୁ ସେଲ ଜାତୀୟ ସଂଯୋଜକ ଅବଦୁଲ କଲାମ, ଅନୁସୂଚିତ ଜାତି ସେଲ ସଂଯୋଜକ ମାନସ ମଲ୍ଲିକ, ପଛୁଆବର୍ଗ ସେଲ ସଂଯୋଜକ ରାଜକିଶୋର ବାରିକ ପ୍ରମୁଖ ସାମିଲ ‌ହୋଇଥିଲେ।

Spread the love