ଗାଡ଼ି ଖରାପ ହେବାରୁ ଜମିଗଲା ଲୋକ ଭିଡ଼: ଜାଣନ୍ତୁ ଟ୍ରକ୍‌ରେ ଥିଲା କେତେ ଶହ କୋଟି ଟଙ୍କା

ଚେନ୍ନାଇ: ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ରୁ  ୧,୦୭୦ କୋଟି ଟଙ୍କା ନେଇ ଯାଉଥିବା ଦୁଇ ଟ୍ରକ୍‌ ମଧ୍ୟରୁ ଗୋଟିକ ଅଧାବାଟରେ ଖରାପ ହୋଇଯାଇଛି। ଚେନ୍ନାଇରୁ ଆରବିଆଇର ୫୩୫ କୋଟି ଟଙ୍କା ନେଇ ଭିଲୁପୁରମ୍‌ ଯାଉଥିବା ବାଟରେ ଟ୍ରକ୍‌ଟି ଖରାପ ହୋଇ ବନ୍ଦ ହୋଇଯିବା ପରେ ସେଠାରେ ବିଭିନ୍ନ ଆଡୁ ଲୋକ ଆସି ଭିଡ଼ ଜମାଇଥିଲେ। ଏ ସଂପର୍କରେ ସୂଚନା ମିଳିବା ପରେ ତୁତନ୍ତ ୧୭ ଜଣ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଟ୍ରକ୍‌ଟିକୁ ଜଗି ରହିଥିଲେ।

ରିଜର୍ଭ ବ୍ୟାଙ୍କ୍‌ର ଟଙ୍କା ନେଇ ଯାଉଥିବା ଟ୍ରକ୍‌ଟି ବୈଷିୟିକ କାରଣ ପାଇଁ ଅଧାବାଟରେ ଅଟକି ଯିବାରୁ ସୁରକ୍ଷା ପାଇଁ ପୁଲିସ୍‌କୁ ସୂଚନା ଦିଆଯାଇଥିଲା। ଭିଲାପୁରମର ବିଭିନ୍ନ ବ୍ୟାଙ୍କ୍‌ରେ ଟଙ୍କା ପହଞ୍ଚାଇବାକୁ ଚେନ୍ନାଇର ଆରବିଆଇରୁ ଟ୍ରକ୍‌ ଦ୍ବୟ ବାହାରିଥିଲେ। ସେଥିମଧ୍ୟରୁ ଗୋଟାଏ ଟ୍ରକ୍‌ ଖରାପ ହୋଇଯିବା ପରେ ତାହାକୁ ସଜାଡ଼ିବା ପାଇଁ ମେକାନିକ୍‌କୁ ଡକାଯାଇଥିଲା। ହେଲେ ମେକାନିକ୍‌ ଟ୍ରକ୍‌ଟିକୁ ମରାମତି କରିନପାରିବାରୁ ୨ଟି ଯାକ ଟ୍ରକ୍‌କୁ ପୁଣି ଥରେ ଚେନ୍ନାଇର ରିଜର୍ଭ ବ୍ୟାଙ୍କକୁ ପଠାଯାଇଛି।

ସୂଚନାରୁ ପ୍ରକାଶ ଯେ, ଟ୍ରକ୍‌ ଯାଉଥିବା ବେଳେ ଅଚାନକ ଗୋଟାଏ ଟ୍ରକ୍‌ରୁ ଧୁଆଁ ବାହାରିବାକୁ ଲାଗିଲା। ଟ୍ରକ୍‌ଟିରୁ ଧୁଆଁ ବାହାରିବା ପରେ ଏହା ଚାଲିବା ବନ୍ଦ କରି ଦେଇଥିଲା। ତାପରେ ଦେଖିବାରୁ ଜଣାପଡ଼ିଲା ଯେ ଇଞ୍ଜିନ୍‌ ଖରାପ ଥିବା କାରଣରୁ ଟ୍ରକ୍‌ଟି ଅଧାରାସ୍ତାରେ ବନ୍ଦ ହୋଇଯାଇଛି।

ଗାଡ଼ିରେ ଥିବା ଆର୍‌ବିଆଇ କର୍ମଚାରୀ ତୁରନ୍ତ ପୁଲିସ୍‌କୁ ଖବର ଦେଇଥିଲେ। ସୁରକ୍ଷା ପାଇଁ ପୁଲିସ୍‌ ବି ଉଚିତ ସମୟରେ ଆସି ଘଟଣାସ୍ଥଳରେ ପହଞ୍ଚିଥିଲା। ତେବେ ପୁଲିସ୍‌କୁ ଦେଖି ଲୋକ ସନ୍ଦେହ କରି ସେଠାରେ ଆସି ଭିଡ଼ ଜମାଇଥିଲେ।

Spread the love