‘ସାଂପ୍ରତିକ ପରିସ୍ଥିତିରେ ସମ୍ବିଧାନକୁ ରକ୍ଷା କରିବା ସବୁଠାରୁ ବଡ଼ ଆହ୍ୱାନ’

ଭୁବନେଶ୍ୱର : ଭାରତର ସାଂପ୍ରତିକ ପରିସ୍ଥିତି ଅତି କଠିନ ସମୟ ଦେଇ ଗତି କରୁଛି । ଡ. ବି.ଆର. ଆମ୍ବେଦକରଙ୍କ ଦ୍ୱାରା ପ୍ରଣୀତ ଭାରତବର୍ଷର ସମ୍ବିଧାନ ଆଜି ସବୁଠାରୁ ବଡ଼ ଚ୍ୟାଲେଞ୍ଜକୁ ସାମ୍‍ନା କରୁଛି ବୋଲି ବିଚାରପତି କେ. ଚନ୍ଦ୍ରୁ ଭୁବନେଶ୍ୱରରେ ଆୟୋଜିତ ଏକ ସେମିନାରରେ ଉଦ୍‍ବୋଧନ ଦେଇ କହିଛନ୍ତି । ଜନ ଚେତନା ମଞ୍ଚ ତରଫରୁ ଭୁବନେଶ୍ୱର ଜୟଦେବ ଭବନଠାରେ ଆୟୋଜିତ ଏକ ସେମିନାରରେ ମୁଖ୍ୟବକ୍ତା ଭାବେ ଉଦ୍‍ବୋଧନ ଦେଇ ମାଡ୍ରାସ୍‍ ଉଚ୍ଚନ୍ୟାୟାଳୟର ଅବସରପ୍ରାପ୍ତ ବିଚାରପତି କେ.ଚନ୍ଦ୍ରୁ କହିଲେ ଯେ, ବିଗତ ୯ ବର୍ଷ ଧରି ଆମ ଦେଶର ସମ୍ବିଧାନର ମୌଳିକ ସ୍ତମ୍ଭଗୁଡିକ ଭୂଲୁଣ୍ଠିତ ହେଉଛି । ଆମର ଧର୍ମନିରପେକ୍ଷ ଗଣତନ୍ତ୍ର, ଆର୍ଥିକ ସାର୍ବଭୌମତ୍ୱ, ସାମାଜିକ ନ୍ୟାୟ ଏବଂ ସଂଘୀୟ ବ୍ୟବସ୍ଥା ସର୍ବାଧିକ ଆକ୍ରମଣର ସମ୍ମୁଖୀନ । ଭାରତ ବର୍ଷ ଭଳି ଏକ ଧର୍ମନିରପେକ୍ଷ ରାଷ୍ଟ୍ରରେ ପ୍ରତିଟି ପ୍ରସଙ୍ଗ ଉପରେ ଧର୍ମକୁ ରାଜନୀତି ସହିତ ମୋଦି ସରକାର ତରଫରୁ ବ୍ୟବହାର କରାଯାଇ ଧର୍ମାନ୍ଧତା ସୃଷ୍ଟି କରାଯାଉଛି ।

ସଂଖ୍ୟାଲଘୁ ବର୍ଗ ଉପରେ ସବୁଦିଗରୁ ଆକ୍ରମଣ ବଢିଛି । ଏହାଦ୍ୱାରା ଆମ ସମାଜ ଦିନକୁ ଦିନ ବିଷମତା ଦେଇ ଗତିକରୁଛି । ଠିକ୍‍ ସେହିଭଳି ଭାରତର ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡିକୁ ସୁରକ୍ଷିତ କରିବା ପରିବର୍ତ୍ତେ କିଛି ମୁଷ୍ଟିମେୟ ବୃହତ ଉଦ୍ୟୋଗପତିଙ୍କ ହାତରେ ଟେକି ଦିଆଯାଉଛି । ଏହାଦ୍ୱାରା ଭାରତର ଅର୍ଥନୀତି ଦୁର୍ବଳ ହେବା ସାଂଗକୁ ଆର୍ଥିକ ସାର୍ବଭୌମତ୍ୱ ବିପନ୍ନ ହେଉଛି । ସମ୍ବିଧାନର ଅନ୍ୟତମ ମୌଳିକ ସ୍ତମ୍ଭ ହେଉଛି ସାମାଜିକ ନ୍ୟାୟ । ଅନୁସୂଚିତ ଜାତି, ଜନଜାତି, ପଛୁଆବର୍ଗ ଏବଂ ସଂଖ୍ୟାଲଘୁଙ୍କୁ ଦିଆଯାଇଥିବା ସାମ୍ବିଧାନିକ ଗଣତାନ୍ତ୍ରିକ ଅଧିକାରଗୁଡିକୁ କ୍ରମେ ଦୁର୍ବଳ କରାଯାଉଛି । ମଣିପୁର ରାଜ୍ୟରେ ଜାତିଗତ ସଂଘର୍ଷ ଦ୍ୱାରା ବିଗତ ୨ମାସ ଧରି ପରିସ୍ଥିତି ଅଣାୟତ ରହିଛି । ସରକାର ଏହାକୁ ନିୟନ୍ତ୍ରଣ କରିବା ଦିଗରେ ସଂପୂର୍ଣ୍ଣଭାବେ ବିଫଳ ହୋଇଛନ୍ତି । ଆମର ସଂଘୀୟ ବ୍ୟବସ୍ଥା ଉପରେ ଆକ୍ରମଣ ତୀବ୍ରତର ହୋଇଛି । ରାଜ୍ୟଗୁଡିକର କ୍ଷମତା ଦିନକୁ ଦିନ ସଙ୍କୁଚିତ ହେଉଛି । ଏପରିକି ବିଚାର ବ୍ୟବସ୍ଥାରେ ଏବଂ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ମୋକଦ୍ଦମାଗୁଡିକର ରାୟରେ ସମ୍ବିଧାନିକ ମୂଲ୍ୟବୋଧ ଏବଂ ନୀତି ନିୟମକୁ ଗୁରୁତ୍ୱ ଦେବା ପରିବର୍ତ୍ତେ ପୁରୁଣାକାଳିଆ ଋଢିବାଦ ବର୍ଣ୍ଣବାଦ ଏବଂ ମନୁବାଦକୁ ପ୍ରାଧାନ୍ୟ ଦେବାର ନଜିର ରହିଛି । ସମାନ ଆଚରଣ ସଂହିତା ଅର୍ଥାତ୍‍ ୟୁନିଫାର୍ମ କମନ୍‍ ସିଭିଲ୍‍ କୋଡ ନାମରେ ହିନ୍ଦୁ କୋଡକୁ ଅନ୍ୟ ଧର୍ମାବଲମ୍ବୀ ଜନସମୁଦାୟଙ୍କ ଉପରେ ଲଦି ଦେବା ପାଇଁ
ଖୋଦ୍‍ ପ୍ରଧାନମନ୍ତ୍ରୀ ପ୍ରଚାର ଆରମ୍ଭ କରିଛନ୍ତି । ଭାରତର ବୈଶିଷ୍ଟ୍ୟ ହେଉଛି ବିବିଧତା ମଧ୍ୟରେ ଏକତା । ଆମ ସମ୍ବିଧାନ
ସ୍ପଷ୍ଟଭାବେ ଉଲ୍ଲେଖ କରିଛି ଯେ, ଜାତି, ଧର୍ମ, ବର୍ଣ୍ଣ, ଭାଷା, ନିର୍ବିଶେଷରେ ପ୍ରତ୍ୟେକ ନାଗରିକ ସମାନ ଅଧିକାର
ପାଇବେ । କିନ୍ତୁ ଆଜି ଶିକ୍ଷା, ସ୍ୱାସ୍ଥ୍ୟ, ବାସଗୃହ ଓ ଆଇନଗତ ଅଧିକାର ଇତ୍ୟାଦି ସବୁ କ୍ଷେତ୍ରରେ ବିଶାଳ ସଂଖ୍ୟକ
ଜନସମୁଦାୟଙ୍କୁ ଉଚିତ ନ୍ୟାୟ ମିଳୁନାହିଁ । ସୁତରାଂ ସାଂପ୍ରତିକ ପରିସ୍ଥିତି ଭାରତ ବର୍ଷକୁ ସାମାଜିକ, ରାଜନୈତିକ, ଅର୍ଥନୈତିକ ଏବଂ ସାଂସ୍କୃତିକ ଭାବେ ଏକ ବିଷମ ପରିସ୍ଥିତି ଆଡକୁ ନେଉଛି । ଭାରତ ବର୍ଷକୁ ରକ୍ଷା କରିବାର ଏକମାତ୍ର
ରକ୍ଷା କବଚ ହେଉଛି ଭାରତୀୟ ସମ୍ବିଧାନ ଏବଂ ଦେଶପ୍ରେମୀ ଜନତାଙ୍କ ସଂଗଠିତ ଜନଆନ୍ଦୋଳନ । ଭାରତ ବର୍ଷର
ସକଳ ସ୍ତରର ସାଧାରଣ ମଣିଷ ଏବଂ ଦେଶପ୍ରେମୀ ନାଗରିକମାନେ ସମ୍ବିଧାନ ଏବଂ ଏହାର ମୌଳିକ ସ୍ତମ୍ଭଗୁଡିକୁ ରକ୍ଷା କରିବା ପାଇଁ ଐକ୍ୟବଦ୍ଧ ହେବା ଜରୁରୀ ବୋଲି ସେ କହିଛନ୍ତି । ଭାରତୀୟ ଜନତା ପାର୍ଟି, ଏହି ଦଳର ବିଭିନ୍ନ ସଂଗଠନର ଉସ୍‍କାନୀମୂଳକକାର୍ଯ୍ୟକଳାପ ଏବଂ ଏହି ଦଳ ଗ୍ରହଣ କରୁଥିôବା ଜନବିରୋଧୀ ଓ ବିଭ୍ରାନ୍ତିମୂଳକ ନୀତିଗୁଡିକ ଦେଶବାସୀଙ୍କ ପାଇଁ ବହୁତ ମହଙ୍ଗା ପଡିଛି ବୋଲି ବିଚାରପତି କେ.ଚନ୍ଦ୍ରୁ ଦୃଢତାର ସହିତ କହିଥିଲେ । ଓଡ଼ିଶା ଭଳି ରାଜ୍ୟରେ
ସକଳସ୍ତରର ସମଚିନ୍ତାଧାରାର ରାଜନୈତିକ ଦଳ, ବୁଦ୍ଧିଜୀବୀ ଏବଂ ଜନସଂଗଠନମାନେ ଐକ୍ୟବଦ୍ଧ ହୋଇ ଆଗେଇ ଆସିବା ଦରକାର ବୋଲି ସେ ଆହ୍ୱାନ ଦେଇଥିଲେ । ଆଜିକାର ଏହି ଆଲୋଚନା ସଭାରେ ଓଡ଼ିଶାର ପୂର୍ବତନ ପୁଲିସ ମହାନିର୍ଦ୍ଦେଶକ ଅମୀୟ ଭୂଷଣ ତ୍ରିପାଠୀ ସଭାପତିତ୍ୱ କରିଥିଲେ । ଅବସରପ୍ରାପ୍ତ ପ୍ରଶାସକ ସଞ୍ଜିବ ହୋତା ବକ୍ତବ୍ୟ ପ୍ରଦାନ କରିବା ସହିତ ବରିଷ୍ଠ ବାମପନ୍ଥୀ ନେତା ଜନାର୍ଦ୍ଦନ ପତି ସ୍ୱାଗତ ଭାଷଣ ଦେଇଥିଲେ । ବରିଷ୍ଠ ସାମ୍ବାଦିକ ପ୍ରଫୁଲ୍ଲ ଦାଶ ଆଲୋଚନା ସଭାକୁ ସଞ୍ଚାଳନ କରିଥିବାବେଳେ ସୁରେଶ ପାଣିଗ୍ରାହୀ ସଭା ପ୍ରସ୍ତୁତି କାର୍ଯ୍ୟକୁ ସଂଯୋଜନା କରିଥିଲେ । ଏହି ସଭାରେ ଓଡ଼ିଶାର ବରିଷ୍ଠ ରାଜନେତା ସର୍ବଶ୍ରୀ ନିରଞ୍ଜନ ପଟ୍ଟନାୟକ, ଜଗନ୍ନାଥ ପଟ୍ଟନାୟକ, ପଞ୍ଚାନନ କାନୁନଗୋ, ଶ୍ରୀକାନ୍ତ ଜେନା, ଅଳିକିଶୋର ପଟ୍ଟନାୟକ, ଜଗନ୍ନାଥ ମିଶ୍ର, ସନ୍ତୋଷ ଦାସ, ଅଭୟ ସାହୁ, ରାଧାକାନ୍ତ ସେଠୀ, ଜ୍ୟୋତିରଞ୍ଜନ ମହାପାତ୍ର, ସୁଦର୍ଶନ ପ୍ରଧାନ, ହେମନ୍ତ କୁମାର, ପ୍ରଭାସ ସାମନ୍ତରାୟ ସମେତ ଦେବୀପ୍ରସନ୍ନ ପଟ୍ଟନାୟକ, ବିଜୟ ବହିଦାର, ରବି ଦାଶ, ବସନ୍ତ
ମାଝି, ପ୍ରଦୀପ୍ତ ନାୟକ, ମହିଳା ନେତ୍ରୀ ପୁଷ୍ପା ଦାଶ, ତାପସୀ ପ୍ରହରାଜ, ସଂଘମିତ୍ରା ଜେନା ପ୍ରମୁଖ ବହୁ ବୁଦ୍ଧିଜୀବୀ, ଯୁବଛାତ୍ର, ମହିଳା ଏବଂ ସାମାଜିକ କର୍ମୀମାନେ ଅଂଶଗ୍ରହଣ କରିଥିଲେ ।

Spread the love