ଖାଇବା ତେଲ ଦରବୃଦ୍ଧିକୁ ନେଇ ସରକାର ଗଠନ କଲେ ଉଚ୍ଚସ୍ତରୀୟ କମିଟି

ନୂଆଦିଲ୍ଲୀ : ଦେଶରେ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ବିଶେଷକରି ଖାଇବା ତେଲ, ଖାଦ୍ୟ ସାମଗ୍ରୀର ଦର ବଢିଚାଲିଥିବାରୁ ତାହା ଉପରେ ନଜର ରଖିବାକୁ ଯାଇ ସରକାର ଏକ ଉଚ୍ଚକ୍ଷମତା ସଂପନ୍ନ ଅନ୍ତର୍ମନ୍ତ୍ରିମଣ୍ଡଳୀୟ  କମିଟି ଗଠନ କରିଛନ୍ତି । କେନ୍ଦ୍ର ଖାଦ୍ୟ ସଚିବ ସୁଧାଂଶୁ ପାଣ୍ଡେ ଏହି କମିଟିର ଅଧ୍ୟକ୍ଷ ଅଛନ୍ତି ।

କମିଟି କିଛି ଦିନ ତଳେ ଖାଇବା ତେଲର ଦର ଓ ଉପଲବ୍ଧତା ସ୍ଥିତିର ସମୀକ୍ଷା କରିଥିଲା । ଏହି ସମୀକ୍ଷା ବୈଠକରେ ଦେଶର ପ୍ରମୁଖ ତୈଳ ପ୍ରକ୍ରିୟାକରଣ ସଂଘମାନଙ୍କ ସହ ଆଲୋଚନା କରାଯାଇଥିଲା ।ଭାରତ ନିଜ ଖାଇବା ତେଲ ଆବଶ୍ୟକତାର ଦୁଇ ତୃତୀୟାଂଶ ବିଦେଶରୁ ଆମଦାନୀ କରିଥାଏ । କିନ୍ତୁ ୟୁକ୍ରେନ ଯୁଦ୍ଧ ଓ ଇଣ୍ଡୋନେସିଆ ଦ୍ବାରା ରପ୍ତାନି କଟକଣା ଯୋଗୁଁ ଦର ହଠାତ ବଢିଯାଇଛି । ଆଗକୁ ଦର ଆହୁରି ବଢିବାର ଆଶଙ୍କା ଥିବାରୁ ସରକାର ଚିନ୍ତିତ ହୋଇପଡ଼ିଛନ୍ତି ।ଖାଦ୍ୟ ମନ୍ତ୍ରାଳୟର ତଥ୍ୟ ଅନୁସାରେ ଭାରତରେ ଏବେ ୨.୧ ନିୟୁତ ଟନ ଖାଇବା ତେଲ ଗଚ୍ଛିତ ଅଛି, ଯାହାକି ମେ ମାସର ଆବଶ୍ୟକତା ମେଣ୍ଟାଇବ । ଆହୁରି ୧.୫ ନିୟୁତ ଟନ ଆମଦାନୀ ହୋଇ ଆସୁଛି । ଏଣୁ ଆସନ୍ତା ଜୁନ ମାସ ପର୍ଯ୍ୟନ୍ତ ଦେଶରେ ଖାଇବା ତେଲର ଅଭାବ ରହିବ ନାହିଁ ।

Spread the love