COP-27 ସମ୍ମିଳନୀ: ଜଳବାୟୁ ସଂକଟ ପାଇଁ ଆମେରିକା ଏବଂ ଏହାର ସହଯୋଗୀ ହେଉଛନ୍ତି ଖଳନାୟକ !

ନୂଆଦିଲ୍ଲୀ: ଜଳବାୟୁ ପରବିର୍ତ୍ତନ ରୋକିବା ଦିଗରେ ଖର୍ଚ୍ଚ ପାଇଁ ଗଠନ ହୋଇଥିବା ପାଣ୍ଠିକୁ ଆମେରିକା, ବ୍ରିଟେନ, କାନାଡା ଏବଂ ଅଷ୍ଟ୍ରେଲିଆର ସମ୍ପୂର୍ଣ୍ଣ ଚାନ୍ଦା ଦେଉ ନାହାନ୍ତି । କାର୍ବନ ବ୍ରିଫ ନାମକ ଏକ ସଂସ୍ଥାର ବିଶ୍ଲେଷଣରୁ ଏହି ତଥ୍ୟ ସାମନାକୁ ଆସିଛି । ଜଳବାୟୁ ପରିବର୍ତ୍ତନ ରୋକିବା ଦିଗରେ ଯୋଜନା ପ୍ରସ୍ତୁତ କରିବାରେ ବିକାଶଶୀଳ ଦେଶକୁ ସାହାଯ୍ୟ କରିବା ପାଇଁ ଏହି ପାଣ୍ଠିର ଗଠନ ହୋଇଥିଲା।

ଅଙ୍ଗାରକାମ୍ଲ ନିର୍ଗମନରେ ବିଭିନ୍ନ ଦେଶର ଭାଗ ଏବଂ ଏହାର ଅନୁପାତରେ ସେମାନଙ୍କ ଦ୍ୱାରା ଦିଆଯାଇଥିବା ଅର୍ଥ ରାଶିକୁ ତୁଳନା କରି କାର୍ବନ ବ୍ରିଫ୍ ଏହି ରିପୋର୍ଟ ପ୍ରସ୍ତୁତ କରିଛି । ଜଳବାୟୁ ପରିବର୍ତ୍ତନ ସଂକଟର ମୁକାବିଲା କରିବା ଦିଗରେ ଏହି ଦେଶ ଗୁଡିକ ନିଜ ପ୍ରତିଶ୍ରୁତି କେତେ ପୂରଣ କରିଛନ୍ତି ତାହା ଏହି ରିପୋର୍ଟରେ ଦର୍ଶାଯାଇଛି । ଇଜପ୍ଟୀରେ ହେବାକୁ ଥିବା କୋପ-୨୭ ସମ୍ମିଳନୀ ପୂର୍ବରୁ କାର୍ବନ ବ୍ରିଫ ଏହି ରିପୋର୍ଟ ପ୍ରକାଶ କରିଛି ।

ଧନୀ ଦେଶ ଗୁଡିକ ୨୦୨୦ ସୁଦ୍ଧା ଜଳବାୟୁ ପାଣ୍ଠିରେ ୧୦୦ ବିଲିୟନ ଡଲାରର ଯୋଗଦାନ ନେଇ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଏହି ସମୟସୀମା ଭିତରେ ସେମାନେ ନିଜ ପ୍ରତିଶ୍ରୁତି ପୂରଣ କରି ନାହାନ୍ତି । କାର୍ବନ ବ୍ରିଫ ଅନୁସାରେ, ଅଙ୍ଗାରକାମ୍ଲ ନିର୍ଗମନ ମାତ୍ରା ହିସାବରେ ଆମେରିକା ଏହି ପାଣ୍ଠିକୁ ୪୦ ବିଲିୟନ ଡଲାର ଦେବା କଥା, କିନ୍ତୁ ୨୦୨୦ ସୁଦ୍ଧା କେବଳ ୭.୬ ବିଲିୟନ ଡଲାର ଦେଇଛି । ୨୦୨୦ ପରର ଡାଟା ଉପଲବ୍ଧ ନାହିଁ।

ଅଷ୍ଟ୍ରେଲିଆ ଏବଂ କାନାଡା ମଧ୍ୟ ଅଙ୍ଗାରକାମ୍ଲ ନିର୍ଗମନରେ ନିଜ ଅଂଶ ତୁଳନାରେ କେବଳ ଏକ ତୃତୀୟାଂଶ ରାଶିର ଯୋଗଦାନ କରିଛନ୍ତି । ତେବେ ଏହି ତିନି ଦେଶ ତୁଳନାରେ ବ୍ରିଟେନର ପ୍ରଦର୍ଶନ ଭଲ ରହିଛି । ବ୍ରିଟେନ ପ୍ରାୟ ତିନି ତୃତୀୟାଂଶ ରାଶି ପାଣ୍ଠିକୁ ଦେଇଛି।

Spread the love