ଓଡ଼ିଶାରେ କରୋନା: ଇଟାଲି ଫେରନ୍ତା ଭୁୁବନେଶ୍ୱରର ଯୁବକ ଆକ୍ରାନ୍ତ

ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରବଳ ପ୍ରତିକାର ପଦକ୍ଷେପ ସତ୍ତ୍ୱେ ଓଡ଼ିଶାକୁ ଆସିଛି କରୋନା ଭୂତାଣୁ । ଇଟାଲି ଫେରନ୍ତା ଭୁବନେଶ୍ୱର ସହରର ଜଣେ ଯୁବକ କରୋନାରେ ଆକ୍ରାନ୍ତ ହୋଇଛନ୍ତି । କ୍ୟାପିଟାଲ୍ ହସ୍ପିଟାଲ୍ ରେ ଚିକିତ୍ସିତ ଏହି ଯୁବକଙ୍କ ରକ୍ତ ନମୁନା ପଜିଟିଭ୍ ଆସିଛି । ଅନ୍ୟ ୨ ଜଣଙ୍କୁ ସନ୍ଦେହ କରାଯାଉଥିଲେ ମଧ୍ୟ ସେମାନଙ୍କଠାରେ କରୋନା ଭୂତାଣୁ ଚିହ୍ନଟ ହୋଇନାହିଁ ।
ମିଳିଥିବା ସୂଚନା ଅନୁଯାୟୀ, ଭୁବନେଶ୍ୱର ବରଗଡ଼ ଅଞ୍ଚଳର ୩୧ ବର୍ଷୀୟ ଏହି ଯୁବକ ଏକ ରିସର୍ଚ୍ଚ କାର୍ଯ୍ୟରେ ଇଟାଲୀ ଯାଇଥିଲେ । ଚୀନ୍ ପରେ କରୋନା କବଳରେ ଅଧିକ କ୍ଷତିଗ୍ରସ୍ତ ଇଟାଲୀରୁ ଗତ ୬ ତାରିଖରେ ଦିଲ୍ଲୀ ପହଞ୍ଚିଥିଲେ । ଦିଲ୍ଲୀ ବିମାନବନ୍ଦରରେ ସ୍କ୍ରିନିଂ ପରେ ଅନ୍ୟମାନଙ୍କ ସହ ଯୁବକଙ୍କୁ କ୍ୱାରେଣ୍ଟିନ୍ ରେ ରଖାଯାଇଥିବା କିଛି ସୂତ୍ର କହୁଥିଲେ ମଧ୍ୟ ସେଠାରୁ ଲୁଚି ସେ ଟ୍ରେନ୍ ଯୋଗେ ଭୁବନେଶ୍ୱର ପଳାଇ ଆସିଥିବା ସନ୍ଦେହ କରାଯାଉଛି । ଗତ ୧୨ ତାରିଖରେ ଟ୍ରେନ୍ ଯୋଗେ ଭୁବନେଶ୍ୱରରେ ପହଞ୍ଚିବା ପରେ ତାଙ୍କୁ ଥଣ୍ଡା, ଜ୍ୱର ହୋଇଥିଲେ ମଧ୍ୟ ସମ୍ଭବତଃ କରୋନା ଭୟରେ ପ୍ରଥମେ ଡାକ୍ତରଙ୍କ ପାଖକୁ ଯାଇ ନ ଥିଲେ କି ନିଜେ ସତର୍କତା ଅବଲମ୍ବନ କରି ନ ଥିଲେ । ପରିବାର ଓ ସମ୍ପର୍କୀୟମାନଙ୍କ ସହ ଅବାଧରେ ମିଳାମିଶା କରିଥିଲେ । ତେବେ ଥଣ୍ଡା, ଜ୍ୱର ନ ଛାଡ଼ିବାରୁ ଦିନକ ପରେ ଏକ ଘରୋଇ କ୍ଲିନିକ୍ ଯାଇ ଡାକ୍ତରଙ୍କୁ ଦେଖାଇଥିଲେ । ସଂପୃକ୍ତ ଡାକ୍ତର ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍ ପଠାଇ ଦେଇଥିଲେ ।
କ୍ୟାପିଟାଲ୍ ହସ୍ପିଟାଲ୍ ରେ ତାଙ୍କୁ ଆଇସୋଲେସନ୍ ୱାର୍ଡରେ ରଖାଯାଇ ତାଙ୍କ ରକ୍ତ ଓ ସ୍ୱାବ୍ ନମୁନା ପରୀକ୍ଷା ପାଇଁ ଆରଏମଆରସି ପଠାଯାଇଥିଲା । ଗତକାଲି ରାତିରେ ଆସିଥିବା ରିପୋର୍ଟରେ ସଂପୃକ୍ତ ଯୁବକ କରୋନା(କୋଭିଡ୍-୧୯) ଭୂତାଣୁ ଦ୍ୱାରା ଆକ୍ରାନ୍ତ ବୋଲି ଜଣାପଡ଼ିଛି । ତେବେ ସରକାରୀ ଭାବେ ଏ ପର୍ଯ୍ୟନ୍ତ ଏହା ପ୍ରକାଶ କରାଯାଇନାହିଁ ।
ଓଡ଼ିଶାରେ ପ୍ରଥମ କରୋନା ଭୂତାଣୁ ଚିହ୍ନଟ ପରେ ରାଜ୍ୟ ସରକାର ଅଧିକ ତତ୍ପର ହୋଇଛନ୍ତି । କ୍ୟାପିଟାଲ୍ ହସ୍ପିଟାଲ୍ କର୍ତ୍ତୃପକ୍ଷଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗର ପଦାଧିକାରୀମାନେ ପରିସ୍ଥିତିର ମୁକାବିଲା ପାଇଁ ବ୍ୟାପକ ତନାଘନା ଚଳାଇଛନ୍ତି । କରୋନା ମୁକାବିଲା ପାଇଁ ସ୍ୱତନ୍ତ୍ର ନିଯୁକ୍ତି ପାଇଥିବା ୪ ଅଧିକାରୀ ବିଳମ୍ବିତ ରାତି ଯାଏଁ ବୈଠକ କରି ବିଚାରବିମର୍ଷ କରିଥିଲେ ।
କରୋନା ଆକ୍ରାନ୍ତ ଯୁବକଙ୍କ ସଂସ୍ପର୍ଶରେ ଆସିଥିବା ସବୁ ଲୋକଙ୍କ ତନାଘନା ଚାଲିଛି । ଇଟାଲୀରୁ ଫେରିଲା ପରେ ସେ ଯେଉଁମାନଙ୍କ ସହ ମିଶିଛନ୍ତି ସେମାନଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍ ଅଣାଯାଇ ଆଇସୋଲେସନ୍ ୱାର୍ଡରେ ଭର୍ତ୍ତି କରାଯାଉଛି । ଏପରିକି ସେ ଦିଲ୍ଲୀରୁ ଫେରିବା ବେଳେ ତାଙ୍କ ବଗିରେ ଆସୁଥିବା ଯାତ୍ରୀଙ୍କ ସନ୍ଧାନ ଖୋଜାଚାଲିଛି ।
ଯାହା ବି ହେଉ, କରୋନାକୁ ନେଇ ଅଯଥାରେ ଭୟଭୀତ ନ ହେବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି । କରୋନା କୁ ନ ଡରି ଲୋକମାନେ ସତର୍କ ଓ ସଚେତନ ରହିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ବାରମ୍ବାର ନିବେଦନ କରାଯାଉଛି ।
Spread the love