କରୋନା ମୁକାବିଲା ଗଠନ ହେଲା ଉଚ୍ଚସ୍ତରୀୟ କମିଟି

କରୋନା ମୁକାବିଲା ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କଲେ ରାଜ୍ୟ ସରକାର। କମିଟି ଗଠନ ସଂପର୍କରେ ମୁଖ୍ୟ ସଚିବ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି। ବିଶିଷ୍ଟ ଚିକିତ୍ସା ବିଜ୍ଞାନୀ ଡାକ୍ତର ଶ୍ରୀନାଥ ରେଡ୍ଡୀଙ୍କ ଅଧ୍ୟକ୍ଷତାରେ କମିଟି ଗଠନ  ହେବ। କମିଟିରେ ବହୁ ବରିଷ୍ଠ ଡାକ୍ତର, ବୈଜ୍ଞାନିକ ସଦସ୍ୟ ଅଛନ୍ତି। କମିଟି ରାଜ୍ୟରେ କରୋନା ପରିଚାଳନା ନେଇ ପରାମର୍ଶ ଦେବ। ଟିକାକରଣ, ପରବର୍ତ୍ତୀ ଲହର ସମ୍ଭାବନା ବିଷୟରେ ପରାମର୍ଶ ଦେବେ। କମିଟିର ପରାମର୍ଶ ଅନୁସାରେ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିବେ।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ଲକ୍ଷ ପାର । ୨୪ଘଣ୍ଟାରେ ୧୧ହଜାର ୮୦୫ ନୂଆ ପଜିଟିଭ । ଆଉ ୨୧ ଜୀବନ ନେଲା ମହାମାରୀ । ସଂକ୍ରମଣ ବଢ଼ୁଥିବା ଦେଖି ଆକ୍ରାନ୍ତଙ୍କ ଚିକିତ୍ସା ଉପରେ ଅଧିକ ଧ୍ୟାନ ଦେଉଛନ୍ତି ସରକାର । ରାଜ୍ୟରେ ଦୈନିକ ୧୨ହଜାର ପାଖାପାଖି କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଗୁରୁତର ରୋଗୀଙ୍କ ସଂଖ୍ୟା ବି ସେଇ ଅନୁପାତରେ ବଢ଼ୁଛି । ଅକ୍ସିଜେନ୍ ଆବଶ୍ୟକ କରୁଥିବା ରୋଗୀଙ୍କୁ ଆଇସିୟୁ ବେଡ୍ ସୁବିଧା ଦରକାର ପଡ଼ୁଛି । ହେଲେ ଆବଶ୍ୟକ ଅନୁଯାୟୀ, ଆଇସିୟୁ ବେଡ୍ ନ ମିଳିବାରୁ ବହୁ ରୋଗୀ ଆଖି ବୁଜୁଥିବା ଅଭିଯୋଗ ପରେ ଆକ୍ସନକୁ ଆସିଛି ସ୍ବାସ୍ଥ୍ୟ ବିଭାଗ । ଏଣିକି ଆଉସିୟୁ  ଯାଂଚ ପାଇଁ ୪ଟି ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଛି ।

ସେହିଭଳି ରାଜ୍ୟରେ ଟିକାକରଣକୁ ତ୍ବାରାନ୍ବିତ କରିବାକୁ ଗ୍ଲୋବାଲ ଟେଣ୍ଡର ମାଧ୍ୟମରେ ବିଦେଶରୁ ଟିକା ଆଣିବାକୁ ଉଦ୍ୟମ କରୁଛନ୍ତି ସରକାର । ଏମିତିରେ ୩ କୋଟି ୮୦ଲକ୍ଷ ଟିକା କିଣିବାକୁ  ବିଧିବଦ୍ଧ ଟେଣ୍ଡର କରାଯାଇଛି । ଏହାଛଡ଼ା ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣରେ ରହିଛି ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ।

୧୦ ଜିଲ୍ଲାରେ କମିଲା ସଂକ୍ରମଣ

ଲକ୍‌ଡାଉନ୍ ଫଳରେ  ୧୦ଜିଲ୍ଲାରେ କରୋନା ସଂକ୍ରମଣ କମିଛି । ବିଶେଷ କରି ଅଧିକ ପ୍ରଭାବିତ ହୋଇଥିବା ପଶ୍ଚିମ ଓଡ଼ିଶାରେ ସଂକ୍ରମଣ କମୁଛି ବୋଲି ସେ କହିଛନ୍ତି ।  ସେହିଭଳି ଗାଁଗୁଡ଼ିକରେ କିଭଳି ସଂକ୍ରମଣ ରୋକାଯାଇପାରିବ ତା’ ଉପରେ ଅଧିକ ଫୋକସ କରିଛନ୍ତି ସରକାର । ଗାଁରେ ଗୋଟିଏ ଲୋକ ସଂକ୍ରମିତ ହେଲେ ପୁରା ଗାଁ ସଂକ୍ରମିତ ହେବାର ସମ୍ଭାବନା ରହିଛି । ତେଣୁ ଏଥି ପ୍ରତି ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ।

ଟେଷ୍ଟିଂ ତୁଳନାରେ ପିଜିଟିଭିଟି ରେଟ୍ କମୁଥିବାରୁ ରାଜ୍ୟରେ  ସଂକ୍ରମଣ କମୁଛି ବୋଲି କୁହାଯାଉଛି । ଗଲା ୨୪ଘଣ୍ଟା ଭିତରେ ୫୬ଲକ୍ଷ ୬୦୨ଜଣଙ୍କ ଟେଷ୍ଟିଂ ହୋଇଥିବା ବେଳେ ସେଥି ମଧ୍ୟରୁ  ୧୧ ହଜାର ୮୦୫ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେଣୁ ପ୍ରତିଦିନ ଟେଷ୍ଟିଂ ସଂଖ୍ୟା ବଢ଼ୁଥିଲେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ୧୨ହଜାର ଭିତରେ ରହୁଛି। ଏହାକୁ ନଜରରେ ରଖି ରାଜ୍ୟରେ ସଂକ୍ରମଣ ସ୍ଥିର ରହିଥିବା କୁହାଯାଉଛି ।

ପଶ୍ଚିମବଙ୍ଗରେ ମେ’ ୩୦ଯାଏଁ ଲକ୍‌ଡାଉନ୍‌ ଘୋଷଣା ହୋଇଥିବାରୁ ସେପଟୁ ଓଡ଼ିଶାକୁ ବିପଦ କମିଛି । ହେଲେ ଆନ୍ଧ୍ର ଓ ଛତିଶଗଡ଼ ପଟୁ ଅବାଧ ଚଳପ୍ରଚଳ ରୋକିବାକୁ ଆଜି ମାଲକାନଗିରି ମୋଟୁ ବର୍ଡ଼ର ସ୍ଥିତି ଅନୁଧ୍ୟାନ ସହ ଚେକିଂ ଓ ବ୍ଲକିଂ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପୋଲିସ ଡିଜି ଅଭୟ । ଡିଜିପିଙ୍କ ସହ ଆଇଜି ପ୍ରବୀଣ କୁମାର ଓ ଗୁଇନ୍ଦା ନିର୍ଦ୍ଦେଶକ ଆର.କେ ଶର୍ମା ମଧ୍ୟ ଥିଲେ।

ଏହାରି ଭିତରେ ଆଉ ଗୋଟେ ଭଲ ଖବର ବି ସାମ୍ନାକୁ ଆସିଛି । ମହାମାରୀ କରୋନାକୁ ମାତ ଦେବା ପାଇଁ DRDO  ପ୍ରସ୍ତୁତ କରିଥିବା ଔଷଧ 2DG ଆସନ୍ତା ସପ୍ତାହରେ ବଜାରକୁ ଆସିବ । କିଛିଦିନ ତଳେ 2 deoxy-D-glucose, 2DG କରୋନା ଔଷଧକୁ ଡ୍ରଗ୍ସ କଣ୍ଟ୍ରୋଲର ଅଫ୍ ଇଣ୍ଡିଆ ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ଦେଇଥିଲା । ପ୍ରଥମ ବ୍ୟାଚ୍ରେ ୧୦ହଜାର ଡୋଜ୍  2DG କରୋନା ଔଷଧ ବଜାରେ ପହଞ୍ଚିବ ବୋଲି ଘୋଷଣା କରିଛି DRDO । ଏହି ମେଡିସିନର ବ୍ୟବହାର ସ୍ବାରା କରୋନା ରୋଗୀ ଶୀଘ୍ର ସୁସ୍ଥ ହେଉଛନ୍ତି ଏବଂ ରୋଗୀଙ୍କୁ ଅକ୍ସିଜେନ ଉପରେ ନିର୍ଭର କରିବାକୁ ପଡ଼ୁନି ବୋଲି କୁହାଯାଉଛି । ତେଣୁ କରୋନା ଲଢ଼େଇରେ 2DG  ଗେମ୍ ଚେଞ୍ଜର ହୋଇପାରିବ ବୋଲି ଆଶା କରାଯାଉଛି।

Spread the love