ଖୋର୍ଦ୍ଧାରେ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବ୍‌ସାଇଟ୍‌ରେ ଏହି ସୂଚନା ଦିଆଯାଇଛି।ମୃତ କରୋନା ଆକ୍ରାନ୍ତ ଖୋର୍ଦ୍ଧା ଜିଲ୍ଲାର ବୋଲି ସୂଚନା ମିଳିଛି। ତେବେ ସେ କେତେ ନମ୍ବର କରୋନା ଆକ୍ରାନ୍ତ, ସେ ବିଷୟରେ କିଛି ଜଣାପଡ଼ିନି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବ୍‌ସାଇଟ୍‌ରେ ମଧ୍ୟ କିଛି ଉଲ୍ଲେଖ କରାଯାଇନି।

ସୂଚନାଯୋଗ୍ୟ, ମୃତ ପ୍ରଥମ କରୋନା ଆକ୍ରାନ୍ତ ବି ଖୋର୍ଦ୍ଧା ଜିଲ୍ଲାର ଥିଲେ। ଏହି ଜିଲ୍ଲାରେ ମୋଟ ୪୭ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ୩୧ ଜଣ ସୁସ୍ଥ ହୋଇସାରିଥିବା ବେଳେ ୧୪ ଜଣ ଚିକିତ୍ସାଧୀନ ରହିଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବ୍‌ସାଇଟ୍‌ରେ ଦିଆଯାଇଥିବା ସୂଚନା ଅନୁଯାୟୀ, ଏବେ ରାଜ୍ୟରେ ମୋଟ ୧୭୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୧୫ ଜଣ ଚିକିତ୍ସାଧୀନ ଅଛନ୍ତି। ୬୦ ଜଣ ସୁସ୍ଥ ହୋଇସାରିଛନ୍ତି। ଯାଜପୁର ଜିଲ୍ଲାରେ ସବୁଠୁ ଅଧିକ ୫୩ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏଠାରେ ମାତ୍ର ଜଣେ ସୁସ୍ଥ ହୋଇଥିବା ବେଳେ ୫୨ ଜଣ ଚିକିତ୍ସାଧୀନ ରହିଛନ୍ତି।

Spread the love