କରୋନା ମୁକାବିଲାରେ ପ୍ରଭାବୀ ହେଉଛି ମିଳିମିଳା ଓ ଟିଟାନାସ ଟିକା: ନୂଆ ଅଧ୍ୟୟନ

ନୂଆଦିଲ୍ଲୀ ୧।୯: ଦେଶରେ ଏବେବି କରୋନା ଭାଇରସ ମହାମାରୀର ପ୍ରକୋପ ଜାରି ରହିଛି। ସଂକ୍ରମଣ ମୁକାବିଲା ଲାଗି ସରକାର ଟିକାକରଣ ଚଳାଇଥିବାବେଳେ ମହମାରୀକୁ ନେଇ ବିଶ୍ୱରେ ଚଳାଯାଇଥିବା ବିଭିନ୍ନ ଅଧ୍ୟୟନରୁ ନୂଆ ନୂଆ ତଥ୍ୟ ମଧ୍ୟ ଆସିବାରେ ଲାଗିଛି। ଏଥିରେ ଏକ ସଦ୍ୟତମ ଅଧ୍ୟୟନରୁ ମିଳିମିଳା ଓ ଟିଟାନାସ ଟିକା ଭୂତାଣୁ ମୁକାବିଲାରେ ବେଶ ସହାୟକ ହେଉଥିବା ଦାବି କରାଯାଇଛି। ଏହି ଅଧ୍ୟୟନରେ ଶିଶୁଙ୍କୁ ଦିଆଯାଉଥିବା ମିଜିଲସ-ମମ୍ପସ-ରୁବେଲା (ଏମଏମଆର) ଓ ଟିଟାନାସ-ଡିପଥେରିଆ-ପର୍ଟୁସିସ୍‌ (ଡିପିଟି) ଟିକା ମଧ୍ୟ ଅନେକାଂଶରେ କରୋନା ଭାଇରସ ମହାମାରୀରୁ ସୁରକ୍ଷା ଦେଇ ପାରୁଥିବା କୁହାଯାଇଛି।

କରୋନା ଭାଇରସ ମହମାରୀ ବଡ଼ ଲୋକଙ୍କ ଉପରେ ଯେପରି ପ୍ରକୋପ କରୁଛି ଶିଶୁଙ୍କଠାରେ ସେପରି ପ୍ରକୋପ ଏପର୍ଯ୍ୟନ୍ତ ଦେଖାଯାଇ ନାହିଁ। ଏହି ଟିକାକରଣ ହିଁ ଏହାର ଏକ ମୁଖ୍ୟ କାରଣ ବୋଲି ଏହି ଅଧ୍ୟାୟନରେ କୁହାଯାଇଛି। ଆମେରିକା ବ୍ରିଘମ ଏଣ୍ଡ ଓମେନ୍‌ ହସ୍ପିଟାଲର ଗବେଷକମାନେ ଏହି ଅଧ୍ୟାୟନ କରିଛନ୍ତି। ଯାହାର ଫଳାଫଳ ମେଡ ଜର୍ଣ୍ଣାଲରେ ପ୍ରକାଶିତ ହୋଇଛି। ଶିଶୁଙ୍କୁ ଏମଏମଆର ଟିକା ଜନ୍ମ ସମୟରେ ଦିଆଯାଇଥାଏ ଓ ଡିପିଟି ପ୍ରତି ୧୦ ବର୍ଷରେ ଥରେ ଦିଆଯାଏ। ଏହି ଟିକାକୁ ଏପରି ତିଆରି କରାଯାଇଛି ଯାହା ଦୀର୍ଘ ସମୟ ପର୍ଯ୍ୟନ୍ତ ପିଲାଙ୍କ ଇମ୍ୟୁନେ ସିଷ୍ଟମରେ ଟି-ସେଲସ ଓ ବି-ସେଲସ ତିଆରି କରି ସେମାନଙ୍କୁ ଭୂତାଣୁ ବିରୋଧରେ ପ୍ରସ୍ତୁତ କରିଥାଏ। ଏଥିରେ କରୋନା ଭାଇରସ ମୁକାବିଲାରେ ମଧ୍ୟ ଏହା ପ୍ରଭାବି ବୋଲି ଏବେ ଜଣାପଡିଛି।

ଗବେଷକଙ୍କ ଅନୁସାରେ ଟିଟାନାସ ଓ ମିଳିମିଳା ଟିକାରେ ଯେଉଁ ଟି ଓ ବି ସେଲସ୍ ନିର୍ମିତ ହୁଏ ତାହା ଅନ୍ୟ ରୋଗ ସୃଷ୍ଟିକାରୀ ଆଣ୍ଟିଜେନର ସାମ୍ନା କରିବାକୁ ମଧ୍ୟ ସକ୍ଷମ ହୋଇଥାଏ। ଏଥିରେ କରୋନା ଭାଇରସ ମହାମାରୀକୁ ରୋକିବାରେ ମଧ୍ୟ ଏହି ପ୍ରତିରୋଧୀ ପ୍ରଣାଳୀ ଅନେକାଂଶରେ ସହଯୋଗ କରୁଛି। ଏହି ଅଧ୍ୟୟନର ସହ ଲେଖକ ତଥା ଗବେଷକ ଏଣ୍ଡ୍ର୍ୟୁ ଲିଚମ୍ୟାନଙ୍କ ଅନୁସାରେ ଅଧ୍ୟୟନ କାଳରେ କରୋନା ଭାଇରସରେ ସଂକ୍ରମିତ ବ୍ୟକ୍ତି ଯେଉଁମାନେ ଏହି ଟିକାକରଣ କରିଛନ୍ତି ସେମାନେ ଏତେ ଗୁରୁର ପରିସ୍ଥିତିକୁ ଯାଇ ନଥିବା ଦେଖା ଯାଇଛି ।

ଯେଉଁମାନେ ପିଲାଦିନେ ଏମଏମଆର ଟିକାକରଣ କରାଇଥିଲେ ସେମାନଙ୍କ ହସ୍ପିଟାଲାଇଜେସନ ହାରାହାରି ୩୮ ପ୍ରତିଶତ କମ ଥିଲା। ସେହିପରି ଆଇସିୟୁରେ ଏପରି ଲୋକଙ୍କ ମୃତ୍ୟୁହାର ୩୨ ପ୍ରତିଶତ ପର୍ଯ୍ୟନ୍ତ କମ ଥିବା ବେଳେ ହସ୍ପିଟାଲରେ ଭର୍ତ୍ତି ପ୍ରତିଶତ ୨୩ ପ୍ରତିଶତ ଓ ମୃତ୍ୟୁ ଆଶଙ୍କା ୨୦ ପ୍ରତିଶତ କମ ଥିଲା ବୋଲି ସେ କହିଛନ୍ତି।

Spread the love