ଦେଶରେ ଯେମିତି ହେଲେ ଆସିବ ତୃତୀୟ ଲହର

ଭାରତରେ କରୋନାର ତୃତୀୟ ଲହର ନିଶ୍ଚୟ ଆସିବ। ଏହା ଅବଶ୍ୟମ୍ଭାବୀ । ତେଣୁ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଦେବାକୁ ପରାମର୍ଶ ଦେଇଛନ୍ତି ଫର୍ଟିସ ଏସ୍କର୍ଟସ ହାର୍ଟ ଇନଷ୍ଟିଚ୍ୟୁଟର ଅଧ୍ୟକ୍ଷ ଅଶୋକ ସେଠ୍।

ସେ କହିଛନ୍ତି ଯେ, ବର୍ତ୍ତମାନ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ତେଣୁ ଏହା ଭାରତରେ ତୃତୀୟ କୋଭିଡ ଲହରର କାରଣ ହୋଇପାରେ। ତେବେ ଏହା ଯୋଗୁଁ ଜଟିଳ ସ୍ଥିତି ଉପଜିନପାରେ। ଯେମିତିକି ବହୁ ସଂଖ୍ୟାରେ ଲୋକ ସଙ୍କଟାପନ୍ନ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇନପାରନ୍ତି କିମ୍ବା ଅକ୍ସିଜେନର ଅଭାବ ଭଳି ସ୍ଥିତି ଉପୁଜି ନପାରେ । କିନ୍ତୁ ଓମିକ୍ରନ ଅତ୍ୟଧିକ ସଂକ୍ରାମକ ହୋଇଥିବାରୁ ବହୁ ସଂଖ୍ୟାରେ ଲୋକ ଆକ୍ରାନ୍ତ ହୋଇପାରନ୍ତି। ବିଶେଷ କରି ଯେଉଁମାନଙ୍କର ରୋଗ ପ୍ରତିରୋଧକ ଶକ୍ତି କମ ସେମାନଙ୍କ ପାଇଁ ଏହା ଘାତକ ହୋଇପାରେ। ଏଣୁ ତୃତୀୟ ଲହର କାୟାବିସ୍ତାର କରିବା ପୂର୍ବରୁ ବୁଷ୍ଟର୍ ଡୋଜ୍ ର ବ୍ୟବସ୍ଥା କରିବା ନିହାତି ଦରକାର।

ସେହିପରି ମେଡିକାଲ ଭିତ୍ତିଭୂମି ସହିତ ଅଧିକ ସଂଖ୍ୟକ ଆକ୍ରାନ୍ତଙ୍କୁ କେମିତି ଚିକିତ୍ସା ସୁବିଧା ଯୋଗାଇ ହେବ ସେନେଇ ପ୍ରସ୍ତୁତ ରହିବା ଲାଗି ସେ ପରାମର୍ଶ ଦେଇଛନ୍ତି । ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଦେବାକୁ ଦରକାର ବୋଲି ସେ କହିଛନ୍ତି ।

Spread the love