କୋଭିଡ଼ ପାଇଁ ଆରମ୍ଭ ‘ହର୍ ଘର୍ ଦସ୍ତଖ ୨.୦’ ଅଭିଯାନ
ନୂଆଦିଲ୍ଲୀ : ସମଗ୍ର ଦେଶରେ ଗତକାଲି ଜୁନ ପହିଲାଠାରୁ ଦୁଇମାସ ବ୍ୟାପି ‘ହର୍ ଘର୍ ଦସ୍ତକ୍ ୨.୦’ ଅଭିଯାନ ଆରମ୍ଭ ହୋଇଛି । ଏହି ଅଭିଯାନ କାଳରେ ଦେଶରେ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ କୋଭିଡ ଟିକାକରଣ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯିବ । ଏହି କାର୍ଯ୍ୟକ୍ରମଟି ମିଶନ ମୋଡରେ କାର୍ଯ୍ୟକାରୀ ହେଉଥିବାରୁ ଏଥିରେ ସବୁ ଯୋଗ୍ୟ ବ୍ୟକ୍ତିବିଶେଷଙ୍କୁ କୋଭିଡ ଟିକା ପ୍ରଦାନ କରିବାକୁ ରାଜ୍ୟମାନଙ୍କୁ ପରାମର୍ଶ ଦିଆଯାଇଛି ।କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଗତ ସପ୍ତାହରେ ସବୁ ରାଜ୍ୟ/ କେନ୍ଦ୍ର ଶାସିତ ଅଞ୍ଚଳର ସ୍ୱାସ୍ଥ୍ୟ ସଚିବ, ଜାତୀୟ ସ୍ୱାସ୍ଥ୍ୟ ମିଶନର ପରିଚାଳନା ନିର୍ଦ୍ଦେଶକମାନଙ୍କ ସହିତ ଦେଶର କୋଭିଡ ଟିକାଦାନ କାର୍ଯ୍ୟକ୍ରମର ସମୀକ୍ଷା କରିବା ପରେ ଟିକାକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ସହ ସବୁ ଯୋଗ୍ୟ ବ୍ୟକ୍ତିଙ୍କୁ ଏହା ଦେବାକୁ ସମସ୍ତ ରାଜ୍ୟ ସରକାରଙ୍କୁ ଚିଠି ଲେଖିଥିଲେ । ଏଥିରେ ହର୍ ଘର୍ ଦସ୍ତଖ ଅଭିଯାନର ପ୍ରଥମ ଅଭିଯାନର ଅଭିଜ୍ଞତା ଓ ଅନୁଭୂତିକୁ କାର୍ଯ୍ୟରେ ଲଗାଇ ଏହାର ଦ୍ୱିତୀୟ ସଂସ୍କରଣକୁ ନିର୍ଦ୍ଧାରିତ ସମୟ ମଧ୍ୟରେ କାର୍ଯ୍ୟକାରୀ କରି ଲକ୍ଷ୍ୟପୂରଣ କରିବାକୁ ସେ ତାଙ୍କ ଚିଠି ପରାମର୍ଶ ଦେଇଛନ୍ତି ।ସୂଚନାଯୋଗ୍ୟ ଯେ, ପ୍ରଥମ ‘ହର ଘର୍ ଦସ୍ତଖ’ ଅଭିଯାନ ୨୦୨୧ ନଭେମ୍ବରରେ ଆରମ୍ଭ ହୋଇଥିଲା । ଏବେ ‘ହର୍ ଘର୍ ଦସ୍ତଖ’ ଅଭିଯାନ ୨.୦’ ଜୁନ ପହିଲାରୁ ଆରମ୍ଭ ହୋଇଛି ଓ ଏହା ଜୁଲାଇ ୩୧ ଯାଏ ଚାଲିବ। ଏହି ଅଭିଯାନର ଲକ୍ଷ୍ୟ ହେଲା ଘରକୁ ଘର ବୁଲି ସବୁ ଯୋଗ୍ୟ ନାଗରିକଙ୍କୁ କୋଭିଡ ଟିକାର ସମସ୍ତ ୩ଟି ଯାକ ଡୋଜ (ପ୍ରଥମ, ଦ୍ୱିତୀୟ ଓ ବୁଷ୍ଟର) ପ୍ରଦାନ କରିବା। କେହି ଯେପରି କୋଭିଡ ଟିକାର କୌଣସି ଡୋଜରୁୁ ବାଦ ନ ପଡନ୍ତି ଏବଂ ସମସ୍ତେ ସଂମ୍ପୂର୍ଣ୍ଣ ଡୋଜ ନିଅନ୍ତି ତାହାକୁ ରାଜ୍ୟ ସରକାରମାନେ ଏହି ଅଭିଯାନ କାଳରେ ସୁନିଶ୍ଚିତ କରିବେ। ଏଥିରେ ୬୦ବର୍ଷ ବୟସରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ତୃତୀୟ ବା ବୁଷ୍ଟର ଡୋଜ ପ୍ରଦାନ ଏବଂ ୧୨-୧୪ ବର୍ଷ ବୟସ ବର୍ଗର ପିଲାଙ୍କ ଟିକାକରଣକୁ ତ୍ୱରାନ୍ୱିତ କରିବାକୁ ଗୁରୁ୍ତ୍ୱ ଦିଆଯିବ। ଏହାଛଡା ସବୁ ଜରାଶ୍ରମ ଓ କାରଗାର ଅନ୍ତେଃବାସୀ ସ୍ମୁଲ, କଲେଜ ପିଲା ଓ ସ୍କୁଲ ଆସୁ ନ ଥିବା ୧୨ରୁ ୧୫ବର୍ଷ ବୟସ ପିଲା ଓ ଇଟାଭାଟି ଆଦିରେ କାମ କରୁଥିବା ଲୋକଙ୍କୁ ଅଗ୍ରାଧିକାର ଭିତ୍ତିରେ ଟିକା ଦେବାକୁ ରାଜ୍ୟ ସରକାରମାନଙ୍କୁ ପରାମର୍ଶ ଦିଆଯାଇଛି। ସବୁ ହିତାଧିକାରୀଙ୍କ ଟିକାକରଣକୁ ନିରୀକ୍ଷଣ କରିବା ସହିତ ଟିକା ନେଇଥିବା ଲୋକଙ୍କ ତାଲିକା ପ୍ରସ୍ତୁତ କରିବାକୁ ରାଜ୍ୟମାନଙ୍କୁ କୁହାଯାଇଛି । ସେହିଭଳି ୧୮ରୁ ୫୯ବର୍ଷ ବୟସର ଯେଉଁ ଲେକାମାନେ ଘରୋଇ ହସ୍ପିଟାଲରେ ବୁଷ୍ଟର ଡୋଜ ଟିକା ନେଇଛନ୍ତି ତା’ଉପରେ ନଜର ଦେଇ ତାହାର ନିୟମିତ ହିସାବ ରଖିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି ।ଜାତୀୟ କୋଭିଡ ଟିକାକରଣ ଅଭିଯାନ ଭାରତ ସରକାରଙ୍କ ସବିଶେଷ ଯୋଜାନ ଓ ବ୍ୟାପକ ଉଦ୍ୟମ ଫଳରେ ଅଦ୍ୱିତୀୟ ସଫଳତା ହାସଲ କରିଛି । ଏଯାବତ୍ ସମଗ୍ର ଦେଶରେ ୧୯୩.୫୭କୋଟି କୋଭିଡ ଡୋଜ ଲୋକଙ୍କୁ ପ୍ରଦାନ କରାଯାଇଛି । ପନ୍ଦର ବର୍ଷ ବୟସରୁ ଅଧିକ ୯୬.୩ ଭାଗ ଲୋକ ଅତିକମ୍ରେ ଏହି ଟିକାର ଗୋଟିଏ ଡୋଜ ନେଇଥିବାବେଳେ ୮୬. ୩% ଦୁଇଟି ଡୋଜ ନେଇଛନ୍ତି । ‘ହର ଘର ଦସ୍ତଖ’ ଟିକାକରଣ ଅଭିଯାନକୁ ମିଶନ ଇନ୍ଦ୍ରଧନୁଷର ସଫଳ ରଣନୀତି ଆଧାରରେ କାର୍ଯ୍ୟକାରୀ କରାଯାଉଛି । ଏଥିରେ ଯେଉଁମାନେ ପ୍ରଥମ ଓ ଦ୍ୱିତୀୟ ଡୋଜ କୋଭିଡ ଟିକା ନେଇନାହାନ୍ତି ସେ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରି ସେମାନଙ୍କୁ ଟିକା ଦିଆଯାଉଛି ।