କରୋନାର ଚତୁର୍ଥ ଲହର ଆରମ୍ଭ

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣର ଦ୍ରୁତ ବୃଦ୍ଧି ସହିତ ଚତୁର୍ଥ ଲହର ଆରମ୍ଭ ହୋଇଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟାରେ ଦେଶରେ ୭୨୪୦ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କ୍ରମାଗତ ଦ୍ବିତୀୟ ଦିନ ପାଇଁ ଦୈନିକ ସଂକ୍ରମଣରେ ୪୦% ବୃଦ୍ଧି ହୋଇଛି। ଗତ ବୁଧବାର ମଧ୍ୟ ଦୈନିକ ସଂକ୍ରମଣରେ ୪୦% ବୃଦ୍ଧି ହୋଇଥିଲା। ଗତକାଲି ଦିନକରେ ୮ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ସଂକ୍ରମଣ ବୃଦ୍ଧି ସହିତ ଦେଶରେ ଚିକିତ୍ସାଧୀନ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩୨,୪୯୮କୁ ବୃଦ୍ଧି ପାଇଛି। ଏହି ନୂଆ ସଂକ୍ରମଣରୁ ୮୧ ପ୍ରତିଶତ ୪ଟି ରାଜ୍ୟ ମହାରାଷ୍ଟ୍ର, କେରଳ, କର୍ଣ୍ଣାଟକ ଓ ଦିଲ୍ଲୀରୁ ଚିହ୍ନଟ ହୋଇଛନ୍ତି। ଦେଶରେ କରୋନା ସଂକ୍ରମଣ ବୃଦ୍ଧିକୁ ନେଇ ଗତକାଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ସରକାରଗୁଡିକୁ ସ୍ବତନ୍ତ୍ର ପରାମର୍ଶ ଦିଆଯାଇଛି। କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣଙ୍କ ପକ୍ଷରୁ ଜାରି ପରାମର୍ଶରେ କରୋନା ନମୁନା ପରୀକ୍ଷା ବଢାଇବା, ସଂକ୍ରମିତଙ୍କ ନମୁନାର ଜିନୋମ ସି‌େକ୍ବନ୍ସ (ଜିନ୍ ଅନୁଶୀଳନ) କରିବା, ସଂକ୍ରମଣ ହଟସ୍ପଟ ଅଞ୍ଚଳରେ ନଜର ରଖିବା, ପ୍ରତିଷେଧକ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି। କୌଣସି ପରିସ୍ଥିତିରେ କରୋନା ନିୟମରେ ଖିଲାପ ନକରିବାକୁ କୁହାଯାଇଛି। ନମୁନା ପରୀକ୍ଷା ସହିତ ସଂକ୍ରମିତଙ୍କ ଚିକିତ୍ସା, କଣ୍ଟାକ୍ଟ ଟ୍ରେସିଂ କରିବାକୁ କୁହାଯାଇଛି। ସଂକ୍ରମଣ ନିୟନ୍ତ୍ରଣ ପାଇଁ ଟିକାକରଣ ଉପରେ ଗୁରୁତ୍ବ ଦେବାକୁ ସ୍ବାସ୍ଥ୍ୟ ସଚିବ ପରାମର୍ଶ ଦେଇଛନ୍ତି।

Spread the love