ରାଜ୍ୟରେ ସଂକ୍ରମଣ ହାର ମାତ୍ର ୧.୦୮ ପ୍ରତିଶତ
ଭୁବନେଶ୍ୱର ୧୫/୦୪ : ଭାରତରେ ସବୁଠାରୁ କମ୍ ସଂକ୍ରମଣ ହାର ଓଡ଼ିଶାରେ କମ୍ ରହିଛି । ଏହାର ଏକମାତ୍ର କାରଣ ହେଉଛି ଲକ୍ ଡାଉନ୍ କୁ ଠିକ୍ ଭାବେ ପାଳନ କରିବାରୁ ଏହାର ଫଳସ୍ୱରୂପ ଏଭଳି ଦେଖିବାକୁ ମିଳିଛି । ରାଜ୍ୟରେ ସଂକ୍ରମଣ ହାର ମାତ୍ର ୧,୦୮ ପ୍ରତିଶତ ରହିଛି । ତେବେ ଏତିକିରେ ଖୁସୀ ହେଲେ ହେବନାହିଁ, କରୋନା ସଂକ୍ରମଣ ଧାରାକୁ ସଂପୂର୍ଣ୍ଣ ଭାବେ ଆମକୁ ଲୋପ କରିବାକୁ ପଡ଼ିବ। ଜାତୀୟ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ଆଜି ଏହା କହିଛନ୍ତି । ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ରାଜ୍ୟବାସୀ ଲକଡାଉନର ନିୟମ ପାଳନ କରିଛନ୍ତି । ଏଥିରୁ ଆମକୁ ଲାଭ ମିଳିଛି ।
କରୋନା ନେଇ ଶ୍ରୀମତୀ ପଣ୍ଡିତ ଓଡ଼ିଶା ଓ ଦେଶର ଏକ ତୁଳନାତ୍ମକ ତଥ୍ୟ ଉପସ୍ଥାପନ କରିଛନ୍ତି । ସେ କହିଛନ୍ତି, ଆମର ଜନସଂଖ୍ୟା ସାଢ଼େ ଚାରି କୋଟି । କିନ୍ତୁ ଲୋକସଂଖ୍ୟା ହାରରେ ଆମର ପଜିଟିଭ ସଂଖ୍ୟା ବହୁତ କମ । ରାଜ୍ୟରେ ଏପର୍ଯ୍ୟନ୍ତ ପାଖାପାଖି ୫ ହଜାର ୫୦୦ କରୋନା ନମୁନା ପରୀକ୍ଷା ହୋଇଛି ଓ ମାତ୍ର ୬୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ ପରୀକ୍ଷା ହୋଇଥିବା ନମୁନାର ପାଖାପାଖି ୧୧ ପ୍ରତିଶତ, ତାମିଲନାଡୁରେ ୯ ପ୍ରତିଶତ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଭାରତରେ ଏହା ହାରାହାରି ୫ ପ୍ରତିଶତ କରୋନା ଚିହ୍ନଟ ହୋଇଛନ୍ତି । କିନ୍ତୁ ଓଡ଼ିଶାରେ ପ୍ରତି ୧୦୦ଟି ନମୁନା ଟେଷ୍ଟରେ ପଜିଟିଭ ସଂଖ୍ୟା ମାତ୍ର ୧.୦୮ ପ୍ରତିଶତ । ଅର୍ଥାତ ପରୀକ୍ଷା କରାଯାଇଥିବା ୧୦୦ ଜଣଙ୍କ ମଧ୍ୟରୁ ୧.୦୮ ପ୍ରତିଶତ ଲୋକ କରୋନା ସଂକ୍ରମିତ ହୋଇଛନ୍ତି । ରାଜ୍ୟ ସରକାର ପ୍ରତି ଜିଲ୍ଲାରେ କରୋନା ପରୀକ୍ଷା କରୁଛନ୍ତି ବୋଲି କହିଛନ୍ତି ଶ୍ରୀମତୀ ପଣ୍ଡିତ । ମାଲକାନଗିରି, ବଲାଙ୍ଗୀର ଓ କଲାହାଣ୍ଡିରେ ପ୍ରାୟ ୨୦୦ ଟେଷ୍ଟ ହୋଇଛିି । ଓଡ଼ିଶାବାସୀ ଲକଡାଉନ ନିୟମକୁ ମାନିଛନ୍ତି । ଲୋକେ ନିଜ ପରିବାରକୁ ସତର୍କ ରଖିଛନ୍ତି ବୋଲି ସ୍ଥିତି ଭଲ ଅଛି ।
ଶ୍ରୀମତୀ ପଣ୍ଡିତ କହିଛନ୍ତି, ସଂକ୍ରମଣକୁ ସଂପୂର୍ଣ୍ଣ ଭାବେ ଶେଷ କରିବା । ୬୦ଟି ସଂକ୍ରମଣ କେମିତି ହେଲା ଓ ଆମେ କେମିତି ରହିଲେ ସଂକ୍ରମଣ ହେବ ନାହିଁ ସେ ନେଇ ସମସ୍ତଙ୍କୁ ଚିନ୍ତା କରିବାର ଦରକାର । ସେଥିପାଇଁ ସାମାଜିକ ଦୂରତ୍ୱ ରଖିବା । ବାହାରକୁ ଗଲେ ମାସ୍କ ପିନ୍ଧିବା । ବାହାରୁ ଆସିଲେ ପ୍ରଥମେ ହାତ ଧୋଇବା । ନମୁନା ଟେଷ୍ଟିଂ ପାଇଁ ପ୍ରସ୍ତୁତ ରହିବା । ରାଜ୍ୟ ସରକାର କୋଭିଡ-୧୯ ମୁକାବିଲା ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଏବେ କରୋନା ଯୁଦ୍ଧ ଚାଲିଥିବା ବେଳ ଏଥିରେ ଆମେ ବିଜୟୀ ହେବା ବୋଲି ସେ କହିଛନ୍ତି ।