ଜୁଇରେ ନିଆଁ ଲଗାଇବା ପୂର୍ବରୁ ହଠାତ ଉଠି ବସିଲେ କରୋନା ରୋଗୀ, ଆଖି ଖୋଲିବା ପରେ କାନ୍ଦିବାକୁ ଲାଗିଲେ

ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ମାଡ଼ି ଚାଲିଛି। ଦିନକୁ ହଜାର ହଜାର ଲୋକ କରୋନାରେ ପ୍ରାଣ ହରାଉଛନ୍ତି। ବିଗତ କିଛିଦିନ ତଳେ ଅନେକ ସହରର ଶ୍ମଶାନ ଘାଟରେ ଶହ ଶହ ସଂଖ୍ୟାରେ ଶବ ପୋଡା ଯାଉଥିବାର ଫଟୋ ସାମ୍ନାକୁ ଆସିଥିଲା। ଯଦିଓ ଏବେକାର ସ୍ଥିତି ପୂର୍ବଠୁ ସାମାନ୍ୟ ସୁଧୁରିଛି। କିନ୍ତୁ ଏହାରି ଭିତରେ ମହାରାଷ୍ଟ୍ରର ପୁଣେରେ ଏକ ଅଜବ ଘଟଣା ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି।

ଏଠାରେ ଜଣେ ବୃଦ୍ଧା ମହିଳା ନିଜ ଚିତା ଜଳିବା ଆଗରୁ ଜିଇଁ ଉଠିଛନ୍ତି। ମୁଢାଲେ ଗାଁରେ ରହୁଥିବା ୭୮ ବର୍ଷୀୟା ବୃଦ୍ଧା ଶକୁନ୍ତଳା ଗାୟକବାଡ଼ କିଛି ଦିନ ପୂର୍ବେ କରୋନାରେ ସଂକ୍ରମିତ ହୋଇଥିଲେ। ରିପୋର୍ଟ ପଜିଟିଭ ଆସିବା ପରେ ଘରେ ହିଁ ତାଙ୍କୁ ଆଇସୋଲେଶନରେ ରଖାଯାଇଥିଲା। ଏହାପରେ ବୟସାଧିକ୍ୟ କାରଣରୁ ଅନ୍ୟ ଗମ୍ଭୀର ଲକ୍ଷଣ ବି ଦେଖିବାକୁ ମିଳିଥିଲା।
୧୦ ମେ’ରେ ପରିବାର ଲୋକେ ତାଙ୍କୁ ଆମ୍ବୁଲାନ୍ସରେ ହସ୍ପିଟାଲ ନେଇଯାଇଥିଲେ। ସେମାନେ ହସ୍ପିଟାଲରେ ବେଡ ବ୍ୟବସ୍ଥା କରୁଥିବା ବେଳେ ଶକୁନ୍ତଳା ବାହାରେ ଆମ୍ବୁଲାନ୍ସ ଭିତରେ ଥିଲେ। ତେବେ ଏହାରି ଭିତରେ ସେ ବେହୋଶ ହୋଇଯାଇଥିଲେ। ଆମ୍ବୁଲାନ୍ସର ଜଣେ ଷ୍ଟାଫ ମହିଳାଙ୍କୁ ଦେଖି ମୃତ ଘୋଷଣା କରିଦେଇଥିଲେ। ଏହା ଶୁଣି ପରିବାର ଲୋକେ ସମ୍ପର୍କୀୟଙ୍କୁ ଖବର ଦେଇଥିଲେ।

ଏହାପରେ ମହିଳାଙ୍କ ‘ମୃତଦେହ’କୁ ଗାଁକୁ ନିଆଯାଇଥିଲା। ସେଠାରେ ଅନ୍ତିମ ସଂସ୍କାର ପ୍ରକ୍ରିୟା ବି ଆରମ୍ଭ ହୋଇଯାଇଥିଲା। କିନ୍ତୁ ଯେତେବେଳେ ହିଁ ମହିଳାଙ୍କ ଚିତାକୁ ନିଆଁ ଲଗାଯାଉଥିଲା, ସେତେବେଳେ ତାଙ୍କର ହୋଶ ଚାଲି ଆସିଥିଲା। ସେ ଆଖି ଖୋଲିଥିଲେ ଏବଂ ନିଜର ଏଭଳି ଅବସ୍ଥା ଦେଖି ଜୋରରେ କାନ୍ଦିବାକୁ ଲାଗିଲେ। ଏହାପରେ ସଙ୍ଗେ ସଙ୍ଗେ ତାଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

Spread the love