କରୋନା ଫ୍ରି ଗୁପଚୁପ: ସ୍ୱାଦ ଠିକ୍ ଠେଲା ଭଳି କିନ୍ତୁ ହାଇଜିନିକ୍

ନୂଆଦିଲ୍ଲୀ ୦୬/୧୨ : ସମସ୍ତେ ଚାହିଁବେ ଯେ ତାଙ୍କ ପ୍ରିୟ ଷ୍ଟ୍ରିଟ ଫୁଡ ସଫା ଓ ବ୍ୟାକ୍ଟେରିଆ ଫ୍ରି ତରିକାରେ ମିଳୁ। ଯଦି ସତରେ ଏମିତି ହୁଏ ତାହେଲେ କରୋନା ସମୟରେ ଗୁପଚୁପର ସ୍ୱାଦ ପାଟିରୁ ଯିବନି। ରାଜଧାନୀ ଦିଲ୍ଲୀରେ ଜଣେ ବ୍ୟକ୍ତି ଲୋକଙ୍କ ଭାବନାକୁ ଦୃଷ୍ଟିରେ ରଖି ଏମିତି ଗୁପଚୁପ ତିଆରି କରୁଛନ୍ତି ଯାହା ଆପଣଙ୍କୁ କରୋନାରୁ ରକ୍ଷା କରିବ। ଏହି ଗୁପଚୁପ ଆପଣ ଅଚିନ୍ତା ହୋଇ ଖାଇପାରିବେ।

ଗୁପଚୁପ ପ୍ରତି ଲୋକଙ୍କର ଏକ ଅଲଗା ଦୁର୍ବଳତା ରହିଛି ଯେଉଁଥିପାଇଁ ଲୋକେ ରାସ୍ତା କଡରେ ଛିଡା ହୋଇ ଗୁପଚୁପ ଖାଇବାକୁ ପସନ୍ଦ କରନ୍ତି। ଲୋକଙ୍କ ପସନ୍ଦକୁ ଦେଖି ଆଜିକାଲି ହାଇଫାଇ ରେସ୍ତୋରାଁରେ ମଧ୍ୟ ଗୁପଚୁପ ପରସା ଯାଉଛି।

କରୋନା କଟକଣା ସମୟରେ ଷ୍ଟ୍ରିଟ ଫୁଡ ବନ୍ଦ ହୋଇଗଲା। ଲୋକେ ଗୁପଚୁପ ଖାଇବାକୁ ଇଣ୍ଟରନେଟର ସାହାରା ନେଲେ। ଇଣ୍ଟରନେଟରୁ ଲୋକେ ଗୁପଚୁପ ତିଆରି କରିବ ଶିଖିଲେ ଓ ଘରେ ତିଆରି କରି ଖାଇଲେ। କିନ୍ତୁ ଠେଲାର ଯେଉଁ ମଜା ଓ ଯେଉଁ ସ୍ୱାଦ ତାହା ଘରେ ମିଳିଲାନି। ଠେଲାରେ ଗୁପଚୁପ ଖାଇବାର ସ୍ୱାଦ ହିଁ ଅଲଗା।

ଦିଲ୍ଲୀର ଯୁବକ ଗୁପଚୁପର ଏମିତି ଏକ ଭେଂଡିଙ୍ଗ ମେସିନ ତିଆରି କରିଛନ୍ତି ଯାହା ଆପଣଙ୍କୁ କରୋନାରୁ ଦୁରେଇ ରଖିବ କିନ୍ତୁ ସ୍ୱାଦ ଠିକ ସେହି ଭଳି। ଏହାକୁ ଏକ ରୋବଟ ଜରିଆରେ ଅପରେଟ କରାଯାଏ। ମେସିନର ବିଶେଷତ୍ୱ ହେଲା ଏହାକୁ କୌଣସି ମାନବ ଅପରେଟ କରିବା ଆବଶ୍ୟକ ନାହିଁ। ଆପଣ ଆସି ମେସିନରେ ଲାଗିଥିବା QR Code କୁ ସ୍କାନ କରି ମାତ୍ର ୨୦ ଟଙ୍କା ପେମେଣ୍ଟ କରିବେ। ପେମେଣ୍ଟ କରିବା ପରେ ଆପଣଙ୍କୁ ଭେଂଡିଙ୍ଗ ମେସିନରୁ ଗୋଟିଏ ପ୍ୟାକେଟ ମିଳିବ ଯାହା ଭିତରେ ଗୁପଚୁପ, ମସଲା ଥିବ। ଏହାସହ ମିଳିବ ବାୟୋଡିଗ୍ରେଡେବଲ ଗ୍ଲାସ। ୩ ମିନିଟ ଭିତରେ ଗ୍ଲାସରେ ଆପଣ ନିଜ ଇଛା ମୁତାବକ ପାଣି ଆଣି ପାରିବେ। ଏଠାରେ ୪ ପ୍ରକାର ଫ୍ଲେଭରର ପାଣି ଉପଲବ୍ଧ। ଏହା ସେନ୍ସର ଜରିଆରେ ଗ୍ଲାସକୁ ପାଖକୁ ଆଣିଲେ ପାଣି ବାହାରିବ ଓ ଗ୍ଲାସ ତଳକୁ ନେଲେ ବନ୍ଦ ହୋଇଯିବ। ଏହିଭଳି ସବୁ ଜିନିଷ ନେଇ ଆପଣ ନିଜେ ନିଜ ଗୁପଚୁପ ପ୍ରସ୍ତୁତ କରି ଖାଇପାରିବେସେ ବି ହାଇଜିନିକ।

ଏହି ଭିଡିଓକୁ ଫୁଡ ବ୍ଲଗର ବିଶାଲ ୟୁଟ୍ୟୁବରେ ସେୟାର କରିଛନ୍ତି। ଭିଡିଓକୁ ଏବେଯାଏଁ ୮ ଲକ୍ଷ ୭୦ ହଜାରରୁ ଅଧିକ ୟୁଜର୍ସ ଦେଖି ସାରିଛନ୍ତି। ପ୍ରାୟ ୫୦ ହଜାର ୟୁଜର୍ସ ଭିଡିଓକୁ ଲାଇକ କରିଛନ୍ତି। ମେସିନର ହାଇଜିନ ଲେଭେଲକୁ ଲୋକେ ବହୁତ ପସନ୍ଦ କରିଛନ୍ତି।

Spread the love