କରୋନା ବିରୋଧୀ ଲଢେଇରେ ଓଡିଶା ଆଗୁଆ : ଜାତୀୟ ହାର ଠାରୁ ଓଡିଶାରେ କରୋନା ସଂକ୍ରମଣ ହାର କମ୍‌

ଭୁବନେଶ୍ୱର,୧୫/୦୪: ଦେଶରେ କରୋନା ସଂକ୍ରମଣ ହାର ତୁଳନାରେ ଓଡିଶାରେ ସଂକ୍ରମଣ ହାର କମ ରହିଛି । ଜାତୀୟ ସ୍ତରରେ ଦିଲ୍ଲୀରେ ସଂକ୍ରମଣ ହାର ୧୧ ପ୍ରତିଶତ, ତାମିଲନାଡୁରେ ୯ ପ୍ରତିଶତ ଥିବାବେଳେ ଓଡିଶାରେ ସଂକ୍ରମଣ ହାର ରହିଛି ୧.୦୮ ପ୍ରତିଶତ । ଓଡିଶାବାସୀ ଦେଶର ଅନ୍ୟ ରାଜ୍ୟବାସୀଙ୍କ ତୁଳନାରେ କଡା କଡି ଭାବେ ଲକଡାଉନକୁ ପାଳନ କରିଥିବାରୁ ଏହା ସମ୍ଭ ହୋଇ ପାରିଛି । ସେହିପରି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍‌ଟନାୟକଙ୍କ ଦୃଢ ନିଷ୍ପତ୍ତି ଏବଂ ରାଜ୍ୟବାସୀଙ୍କ ଦୃଢ ସମର୍ଥନ ଯୋଗୁ ଓଡିଶା କରୋନା ବିରୋଧୀ ଲଢେଇରେ ଅନ୍ୟ ରାଜ୍ୟଙ୍କ ଠାରୁ ଆଗୁଆ ରହିଛି ।

ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଜାତୀୟ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ଏହା କହିଛନ୍ତି । ସେ କହିଛନ୍ତି,ରାଜ୍ୟବାସୀ ଲକଡାଉନର ନିୟମ ପାଳନ କରିଛନ୍ତି । ଏଥିରୁ ଆମକୁ ଲାଭ ମିଳିଛି । ଏତିକିରେ ଖୁସୀ ହେଲେ ହେବନାହିଁ, କରୋନା ସଂକ୍ରମଣ ଧାରାକୁ ସଂପୂର୍ଣ୍ଣ ଭାବେ ଆମକୁ ଲୋପ କରିବାକୁ ପଡ଼ିବ।

ସେ କହିଛନ୍ତି, ଆମର ଜନସଂଖ୍ୟା ସାଢ଼େ ଚାରି କୋଟି । କିନ୍ତୁ ଲୋକସଂଖ୍ୟା ହାରରେ ଆମର ପଜିଟିଭ ସଂଖ୍ୟା ବହୁତ କମ । ରାଜ୍ୟରେ ଏପର୍ଯ୍ୟନ୍ତ ପାଖାପାଖି ୫ ହଜାର ୫୦୦ କରୋନା ନମୁନା ପରୀକ୍ଷା ହୋଇଛି ଓ ମାତ୍ର ୬୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ ପରୀକ୍ଷା ହୋଇଥିବା ନମୁନାର ପାଖାପାଖି ୧୧ ପ୍ରତିଶତ, ତାମିଲନାଡୁରେ ୯ ପ୍ରତିଶତ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଭାରତରେ ଏହା ହାରାହାରି ୫ ପ୍ରତିଶତ କରୋନା ଚିହ୍ନଟ ହୋଇଛନ୍ତି । କିନ୍ତୁ ଓଡ଼ିଶାରେ ପ୍ରତି ୧୦୦ଟି ନମୁନା ଟେଷ୍ଟରେ ପଜିଟିଭ ସଂଖ୍ୟା ମାତ୍ର ୧.୦୮ ପ୍ରତିଶତ । ଅର୍ଥାତ ପରୀକ୍ଷା କରାଯାଇଥିବା ୧୦୦ ଜଣଙ୍କ ମଧ୍ୟରୁ ୧.୦୮ ପ୍ରତିଶତ ଲୋକ କରୋନା ସଂକ୍ରମିତ ହୋଇଛନ୍ତି । ରାଜ୍ୟ ସରକାର ପ୍ରତି ଜିଲ୍ଲାରେ କରୋନା ପରୀକ୍ଷା କରୁଛନ୍ତି ବୋଲି କହିଛନ୍ତି ଶ୍ରୀମତୀ ପଣ୍ଡିତ । ମାଲକାନଗିରି, ବଲାଙ୍ଗୀର ଓ କଲାହାଣ୍ଡିରେ ପ୍ରାୟ ୨୦୦ ଟେଷ୍ଟ ହୋଇଛିି । ଓଡ଼ିଶାବାସୀ ଲକଡାଉନ ନିୟମକୁ ମାନିଛନ୍ତି । ଲୋକେ ନିଜ ପରିବାରକୁ ସତର୍କ ରଖିଛନ୍ତି ବୋଲି ସ୍ଥିତି ଭଲ ଅଛି ।

ଶ୍ରୀମତୀ ପଣ୍ଡିତ କହିଛନ୍ତି, ସଂକ୍ରମଣକୁ ସଂପୂର୍ଣ୍ଣ ଭାବେ ଶେଷ କରିବା । ୬୦ଟି ସଂକ୍ରମଣ କେମିତି ହେଲା ଓ ଆମେ କେମିତି ରହିଲେ ସଂକ୍ରମଣ ହେବ ନାହିଁ ସେ ନେଇ ସମସ୍ତଙ୍କୁ ଚିନ୍ତା କରିବାର ଦରକାର । ସେଥିପାଇଁ ସାମାଜିକ ଦୂରତ୍ୱ ରଖିବା । ବାହାରକୁ ଗଲେ ମାସ୍କ ପିନ୍ଧିବା । ବାହାରୁ ଆସିଲେ ପ୍ରଥମେ ହାତ ଧୋଇବା । ନମୁନା ଟେଷ୍ଟିଂ ପାଇଁ ପ୍ରସ୍ତୁତ ରହିବା । ରାଜ୍ୟ ସରକାର କୋଭିଡ-୧୯ ମୁକାବିଲା ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଏବେ କରୋନା ଯୁଦ୍ଧ ଚାଲିଥିବା ବେଳ ଏଥିରେ ଆମେ ବିଜୟୀ ହେବା ବୋଲି ସେ କହିଛନ୍ତି

Spread the love