ଭୁବନେଶ୍ୱରରେ ଥିବା କରୋନା ରୋଗୀ  କେତେଜଣଙ୍କ ସଂସ୍ପର୍ଶରେ ଆସିଛନ୍ତି ସୂଚନା ଦେଲେ ସୁବ୍ରତ ବାଗଚୀ

ଭୁବନେଶ୍ୱର, ୧୬/୦୩: ଭୁବନେଶ୍ୱରରେ ପ୍ରଥମ କରୋନା ରୋଗୀ  ଚିହ୍ନଟ ଘଟଣାରେ ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗଚୀଙ୍କ ଅଧିକ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ପଜିଟିଭ ଚିହ୍ନଟ ସଂପୃକ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ୫୩ ଜଣ ଆସିଛନ୍ତି। ସଂପୃକ୍ତ ୫୩ ଜଣଙ୍କୁ ଚିହ୍ନଟ ପାଇଁ ପଦକ୍ଷେପ ନିଆଯାଉଛି। ଟ୍ରେନ୍‌ରେ ଆସିବା ବେଳେ ସେ ୭୬ ଜଣଙ୍କ ସଂପର୍କରେ ଆସିଛନ୍ତି। ସର୍ବମୋଟ ୧୨୯ ଜଣଙ୍କ ସଂସ୍ପର୍ଷରେ ସେ ଆସିଛନ୍ତି। ସମ୍ପୃକ୍ତ ବ୍ୟକ୍ତି ଜଣକ ଆସିବା ପରେ ଭୁବନେଶ୍ୱରରେ ଏକ ଘରୋଇ କ୍ଲିନିକକୁ ଯାଇଥିଲେ। ଉକ୍ତ ଘରୋଇ କ୍ଲିନିକ୍‌କୁ ଏବେ ବନ୍ଦ କରିଦିଆଯାଇଛି। ସଂପୃକ୍ତ ଡାକ୍ତର ଓ ଷ୍ଟାଫଙ୍କୁ ଆଇସୋଲେସନରେ ରଖାଯାଇଛି।

ସୂଚନା ଯୋଗ୍ୟ ଯେ, ଓଡ଼ିଶାରେ ପ୍ରଥମ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଛନ୍ତି। ରକ୍ତ ଓ ସ୍ୱାବ୍‌ ନମୁନା ପରୀକ୍ଷାରୁ ତାଙ୍କ ଠାରେ କରୋନା ଭାଇରସ୍‌ ପ୍ରବେଶ କରିଥିବା ଜଣାପଡ଼ିଛି। ସଂପୃକ୍ତ ଯୁବକଙ୍କ ରକ୍ତ ନମୁନା ପରୀକ୍ଷା ପରେ RMRCରୁ ରିପୋର୍ଟରେ କରୋନା ଭୂତାଣୁ ଚିହ୍ନଟ ହୋଇଛି।

ସମ୍ପୃକ୍ତ ଯୁବକ ଜଣଙ୍କ ୬ ତାରିଖରେ ଇଟାଲିରୁ ଦିଲ୍ଲୀ ଫେରିଥିଲେ। ଦିଲ୍ଲୀରେ କିଛି ଦିନ କ୍ୱାରେଣ୍ଟାଇନରେ ରହିଥିଲେ। ଏହା ପରେ ୧୨ ତାରିଖରେ ଟ୍ରେନ୍ ଯୋଗେ ଭୁବନେଶ୍ୱର ଆସିଥିଲେ। ତେବେ ୧୩ ତାରିଖରୁ ତାଙ୍କୁ ଥଣ୍ଡା ଓ ଜ୍ୱର ନ ଛାଡ଼ିବାରୁ ସେ କ୍ୟାପିଟାଲ ହସ୍ପିଟାଲ ଆସିଥିଲେ। ସେଠାରେ ତାଙ୍କ ନମୁନା ପଜିଟିଭ୍‌ ଆସିଥିବା ଜଣାପଡ଼ିଥିଲା।

Spread the love