ରାଜ୍ୟରେ ୧୪ କରୋନା ଆକ୍ରାନ୍ତ, ସଂକ୍ରମିତଙ୍କ ସଂଖ୍ୟା ୩୯୧

ରାଜ୍ୟରେ କରୋନା ସ୍ଥିତି ଧୀରେ ଧୀରେ ଅସମ୍ଭାଳ ହେଉଛି । ଆଜି ସକାଳୁ ରାଜ୍ୟରେ ପୁଣି ୧୪ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ସଂକ୍ରମିତଙ୍କ ମଧ୍ୟରୁ ୧୨ଜଣ ଗଞ୍ଜାମରୁ ଏବଂ ଜଣେ ଲେଖାଏଁ କେନ୍ଦ୍ରାପଡ଼ା ଓ ସୁନ୍ଦରଗଡ଼ରୁ ଚିହ୍ନଟ ହୋଇଥିବାର ସୂଚନା ଦେଇଛି ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ । ପ୍ରତିଦିନ ନୂଆ ସଂକ୍ରମିତ ଚିହ୍ନଟ ହେଉଥିବାରୁ ରାଜ୍ୟ ସରକାରଙ୍କର ଚିନ୍ତା ବଢ଼ିଯାଇଛି । ବିଶେଷକରି ଗଞ୍ଜାମ ଜିଲ୍ଲାର ସ୍ଥିତି ଉଦ୍‌ବେଗଜନକ ରହିଛି । ଏଠାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩୭ରେ ପହଞ୍ଚିଛି । ସେହିପରି କେନ୍ଦ୍ରାପଡ଼ାରେ ଆଜି ସୁଦ୍ଧା ୯ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ସୁନ୍ଦରଗଡ଼ରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୪ରେ ପହଞ୍ଚିଛି । ସେହିପରି ଆଜି ଚିହ୍ନଟ ହୋଇଥିବା ୧୪ଜଣ ନୂଆ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୯୧କୁ ବୃଦ୍ଧି ପାଇଛି । ଏମାନଙ୍କୁ ମଧ୍ୟରୁ ୩୨୦ ସକ୍ରିୟ ସଂକ୍ରମିତ ରହିଥିବା ବେଳେ ୬୮ଜଣ ସଂକ୍ରମିତ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହୋଇସାରିଛନ୍ତି । ତେବେ ରାଜ୍ୟକୁ ପ୍ରବାସୀ ଓଡ଼ିଆମାନଙ୍କର ଫେରିବା ଧାରା ଜାରି ରହିଥିବାରୁ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ଦ୍ରୁତ ବୃଦ୍ଧି ପରିଲକ୍ଷିତ ହେଉଅଛି । ବିଶେଷକରି ଓ୍ୱେଷ୍ଟ ବେଙ୍ଗଲ ଓ ସୁରଟ୍‌ ଫେରନ୍ତାମାନେ କରୋନା ପଜିଟିଭ୍‌ ଚିହ୍ନଟ ହେଉଥିବାରୁ ରାଜ୍ୟ ପାଇଁ ସମସ୍ୟା ସୃଷ୍ଟି ହୋଇଛି ।

Spread the love