ସଂକ୍ରମଣ ବୃଦ୍ଧିକୁ ନେଇ ଚିନ୍ତା କରିବା ଅନାବଶ୍ୟକ: ବାଗଚୀ

ପ୍ରବାସୀ ଓଡ଼ିଆଙ୍କ ଫେରନ୍ତାଙ୍କ ଯୋଗୁ ରାଜ୍ୟରେ କରୋନା ସଂକ୍ରମଣ ମାମଲା ଅଧିକ ବୃଦ୍ଧି ପାଉଥିବା ନେଇ ଚିନ୍ତିତ ନହେବା ନିମନ୍ତେ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି। ଏବେ ଚତୁର୍ଥ ପର୍ଯ୍ୟାୟର ମୁକାବିଲା ଚାଲିଛି ଓ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ତେବେ ଏଥିପାଇଁ ଓଡ଼ିଶା ଫେରନ୍ତାଙ୍କ ସହଯୋଗ ଓ ଶୃଙ୍ଖଳା ଜରୁରି ବୋଲି ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତୋ ବାଗଚୀ କହିଛନ୍ତି।

ଶ୍ରୀ ବାଗଚୀ ଆଜି ପୁଣିଥରେ ପ୍ରବାସୀ ଓଡ଼ିଆଙ୍କ ଘରବାହୁଡ଼ା ଉପରେ ପ୍ରଶ୍ନ ଉଠାଉଥିବା ଲୋକମାନଙ୍କ ସଂଶୟ ଦୂର କରିବାକୁ ପ୍ରୟାସ କରିଛନ୍ତି। ସେ ପ୍ରବାସୀ ଓଡ଼ିଆଙ୍କ ଘରବାହୁଡ଼ା ସପକ୍ଷରେ ଯୁକ୍ତି ବାଢ଼ି କହିଛନ୍ତି ଯେ ଏହାର ୩ଟି କାରଣ ରହିଛି। ପ୍ରଥମତଃ ନୈତିକତା ବା ମାନବିକତା, ଦ୍ୱିତୀୟ ଆଇନଗତ ଓ ତୃତୀୟ ବାସ୍ତବତା। ପ୍ରବାସୀ ଓଡ଼ିଆଙ୍କ ଫେରିବାର ମାନବିକତା ଦିଗ ସମ୍ପର୍କରେ ମୁଖ୍ୟମନ୍ତ୍ରୀ କହି ସାରିଥିବାବେଳେ ସେ ଏହାର ଆଇନଗତ ଓ ବାସ୍ତବ ଦିଗ ସମ୍ପର୍କରେ ସୂଚନା ଦେଇଥିଲେ।

ଶ୍ରୀ ବାଗଚୀ କହିଥିଲେ ଯେ, ଓଡ଼ିଶାର ପ୍ରାୟ ୧୨.୭୦ଲକ୍ଷ ଲୋକ ବାହାର ରାଜ୍ୟରେ କାମ କରୁଥିବାବେଳେ ଅନ୍ୟ ରାଜ୍ୟର ୮.୬୦ଲକ୍ଷ ଲୋକ ମଧ୍ୟ ଓଡ଼ିଶା ଆସି କାମ କରୁଛନ୍ତି। ତେଣୁ ଓଡ଼ିଶାରେ କର୍ମ ସଂସ୍ଥାନ ନାହିଁ ବୋଲି କହିବା ଅନୁଚିତ୍।

ଏବେ ବ୍ୟୁହଭେଦ ହୋଇସାରିଛି ଓ ଘମାଘୋଟ ଲଢ଼େଇ ଆରମ୍ଭ ହୋଇଛି। ଓଡ଼ିଶା ଫେରନ୍ତାଙ୍କ ସହଯୋଗ ଓ ଶୃଙ୍ଖଳାରେ ରାଜ୍ୟ ସରକାର ଏହି ଲଢ଼େଇକୁ ସଫଳତାର ସହ ମୁକାବିଲା କରିପାରିବେ। ୨୮ଦିନର କଷ୍ଟ ଓ ତ୍ୟାଗ ସେମାନଙ୍କୁ ସ୍ୱୀକାର କରିବାକୁ ପଡ଼ିବ। ନିଜକୁ ଶୃଙ୍ଖଳିତ ରଖି କ୍ୱାରେଣ୍ଟାଇନ ପରିଚାଳନାରେ ନିଜକୁ ସାମିଲ କରିବା ନିମନ୍ତେ ଶ୍ରୀ ବାଗଚୀ ସେମାନଙ୍କୁ ପରାମର୍ଶ ଦେଇଛନ୍ତି।

ସେହିପରି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ସଚିବ ସଞ୍ଜୟ ସିଂ କହିଛନ୍ତି ଯେ ଗତକାଲି ମଧ୍ୟରାତ୍ରି ସୁଦ୍ଧା ରାଜ୍ୟରେ ମୋଟ ୫୬୩୨୨ଟି ନମୂନା ପରୀକ୍ଷା ହୋଇଥିବାବେଳେ ସେଥିରୁ ୨୯୪ଟି ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏବେସୁଦ୍ଧା ୬୮ଜଣ ସୁସ୍ଥ ହୋଇ ହସ୍ପିଟାଲରୁ ଫେରିଥିବାବେଳେ ୨୨୪ଜଣ ସକ୍ରିୟ ରୋଗୀ ଚିକିତ୍ସିତ ହେଉଛନ୍ତି।

Spread the love