୬ଟି ଦେଶରୁ ଆସୁଥିଲେ ଆରଟି-ପିସିଆର ଜରୁରୀ; କରୋନା ସଂକ୍ରମଣ ବଢ଼ିବା ଆଶଙ୍କା ମଧ୍ୟରେ କେନ୍ଦ୍ରର ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ଦୁନିଆର ଅନେକ ଦେଶରେ କରୋନା ସଂକ୍ରମଣ ପୁଣି ଥରେ ବୃଦ୍ଧି ପାଇବାରେ ଲାଗିଛି। ଚୀନରେ ଏବେ ପରିସ୍ଥିତି ସବୁଠାରୁ ଖରାପ। ନୂଆ ବର୍ଷରେ ସେଠାରେ ଅବସ୍ଥା ଆହୁରି ଖରାପ ହେବ ବୋଲି ବିଶେଷଜ୍ଞମାନେ ଦାବି କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଗୁରୁବାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭ୍ୟ କହିଛନ୍ତି ଯେ, ଜାନୁଆରୀ ୨ ତାରିଖରୁ ୬ଟି ଦେଶରୁ ଆସୁଥିବା ଯାତ୍ରୀଙ୍କ ପାଇଁ ଆରଟି- ପିସିଆର ପରୀକ୍ଷା ବାଧ୍ୟତାମୂଳକ କରାଯାଇଛି। ଯାତ୍ରା ପୂର୍ବରୁ ସେମାନଙ୍କୁ ଏୟାର ସୁବିଧା ପୋର୍ଟାଲରେ କରୋନା ନେଗେଟିକ ରିପୋର୍ଟ ଅପଲୋଡ୍ କରିବାକୁ ପଡିବ।

ଯେଉଁ ଦେଶଗୁଡିକ ପାଇଁ ସରକାର ଆରଟି- ପିସିଆର ପରୀକ୍ଷା ବାଧ୍ୟତାମୂଳକ କରିଛନ୍ତି, ସେଥିରେ ଚୀନ୍, ହଂକଂ, ଜାପାନ, ଦକ୍ଷିଣ କୋରିଆ, ସିଙ୍ଗାପୁର ଏବଂ ଥାଇଲ୍ୟାଣ୍ଡ ଅନ୍ତର୍ଭୁକ୍ତ। ତେବେ ଅନ୍ତର୍ଜାତୀୟ ଭ୍ରମଣ ସମ୍ବନ୍ଧୀୟ ନିର୍ଦ୍ଦେଶାବଳୀ ଉପରେ ଦ୍ୱନ୍ଦ୍ୱ ଯୋଗୁଁ ଏୟାର ସୁବିଧା ପୋର୍ଟାଲ କାର୍ଯ୍ୟକାରୀ ହୋଇଛି। ତେବେ ଡିସେମ୍ବର ୨୪ରୁ ବିଦେଶରୁ ଆସୁଥିବା ୨ପ୍ରତିଶତ ଯାତ୍ରୀଙ୍କ କରୋନା ପରୀକ୍ଷା କରାଯାଉଛି। ଏହା ବ୍ୟତୀତ ବିମାନବନ୍ଦରରେ କୋଭିଡ ପ୍ରୋଟୋକଲ ଅନୁସରଣ କରାଯାଉଛି। ସ୍ୱାସ୍ଥ୍ୟ ଅଧିକାରୀମାନେ ବିମାନବନ୍ଦରରେ ପ୍ରବେଶ କରିବା ପୂର୍ବରୁ ଯାତ୍ରୀମାନଙ୍କର ଥର୍ମାଲ ସ୍କ୍ରିନିଂ କରୁଛନ୍ତି। ସ୍କ୍ରିନିଂ ସମୟରେ ଯଦି ଲକ୍ଷଣ ଦେଖାଯାଏ, ସେମାନଙ୍କୁ ପ୍ରୋଟୋକଲ୍ ଅନୁଯାୟୀ ଚିକିତ୍ସା ସୁବିଧା ଯୋଗାଇଦିଆଯାଉଛି। ଦେଶରେ କରୋନା ସଂକ୍ରମଣ ସ୍ଥିତି ଦେଖିବାକୁ ଗଲେ ଆଜି ଭାରତରେ କୋଭିଡ୍‌-୧୯ ସଂକ୍ରମଣ ସଂଖ୍ୟା ୨୬୮ ଥିବା ବ‌େଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ସାମାନ୍ୟ ବୃଦ୍ଧି ପାଇ ସାଢ଼େ ୩ ହଜାର ଟପିଛି।

Spread the love