ସମ ଓ କିମ୍ସ ହସ୍ପିଟାଲରେ କରୋନା ପାଇଁ ପ୍ରସ୍ତୁତ ହେବ ୧ହଜାର ବେଡ଼

ଭୁବନେଶ୍ୱର, ୨୬/୦୩: ରାଜ୍ୟରେ କରୋନା ସଂକ୍ରମଣ ପ୍ରଥମ ପର୍ଯ୍ୟାୟରେ ଥିବା ବେଳେ ରାଜ୍ୟ ସରକାର ଅଧିକ ସତର୍କ ହୋଇଛନ୍ତି । କରୋନା ସଂକ୍ରମଣର ତୃତୀୟ ପର୍ଯ୍ୟାୟର ଭୟବହାତକୁ ହୃଦୟଙ୍ଗମ କରି ଆରମ୍ଭ କରିଦେଇଛନ୍ତି ଏହାର ପ୍ରସ୍ତୁତି । ଭୁବନେଶ୍ଵର ସ୍ଥିତ ସମ୍‌ ହସ୍ପିଟାଲ ଏବଂ କିମ୍ସ ହସ୍ପିଟାଲ ସହ ଚୁକ୍ତି ସ୍ଵାକ୍ଷର କରିଛନ୍ତି ରାଜ୍ୟ ସରକାର ।

ଏହି ଦୁଇଟି ଘରୋଇ ମେଡିକାଲରେ ସରକାରୀ ଏବଂ ଘରୋଇ ଭାଗେଦାରୀ ଉଦ୍ୟମରେ ଦୁଇଟି ୫୦୦ ଶଯ୍ୟା ବିଶିଷ୍ଟ ସ୍ଵତନ୍ତ୍ର କୋଭିଡ୍‌-୧୯ କରୋନା ହସ୍ପିଟାଲ ପାଇଁ ସରକାର ଚୁକ୍ତି ସ୍ବାକ୍ଷର କରିଛନ୍ତି । ଏହି ଚୁକ୍ତି ଅନୁଯାୟୀ, ସମ୍‌ ହସ୍ପିଟାଲ ଏବଂ କିମ୍ସ ହସ୍ପିଟାଲ କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ସ୍ଵତନ୍ତ୍ର ଆୟୋଜନ କରିବ ଏବଂ ସରକାରଙ୍କ ଉଦ୍ୟୋଗ ଓଡ଼ିଶା ମାଇନିଂ କର୍ପୋରେସନ୍‌ ଏବଂ ମହାନଦୀ କୋଲ୍‌ ଫିଲ୍ଡ୍‌ ଲିମିଟେଡ ଆବଶ୍ୟକୀୟ ସରଞ୍ଜାମ ଯୋଗାଇଦେଵ ।

ସୂଚନା ଅନୁଯାୟୀ, ରାଜ୍ୟ ସରକାରଙ୍କ କୋଭିଡ୍‌-୧୯ ମୁଖପାତ୍ର ସୁବ୍ରତ ବାଗ୍‌ଚୀ କହିଛନ୍ତି, ଏହି ସ୍ଵତନ୍ତ୍ର ହସ୍‌ପିଟାଲ୍‌ କେବଳ ବିପଜ୍ଜନକ ସ୍ଥିତିରେ ଥିବା ଲୋକଙ୍କୁ ଚିକିତ୍ସା କରିବା ପାଇଁ ଉଦ୍ଦିଷ୍ଟ ହେବ। ସେହିପରି କିମ୍ସ ହସ୍ପିଟାଲ ପକ୍ଷରୁ ଡା. ବିଷ୍ଣୁ ପାଣିଗ୍ରାହୀ କହିଥିଲେ ,ଏହା ଦେଶର ପ୍ରଥମ ସ୍ଵତନ୍ତ୍ର କୋଭିଡ୍‌-୧୯ ହସ୍ପିଟାଲ । ବିଶ୍ଵର ଅନ୍ୟ ପ୍ରଭାବିତ ରାଷ୍ଟ୍ରଙ୍କ ଭୁଲ୍‌ରୁ ଆମେ ଯାହା ଶିକ୍ଷା କରିଛୁ ତାହାକୁ ଆଉ ଥରେ ନଦୋହରାଇବା ଲାଗି ଏହି ହସ୍ପିଟାଲ କାର୍ଯ୍ୟ କରିବ। ଇଟାଲୀରେ ସାଧାରଣ ହସ୍ପିଟାଲରେ କରୋନା ରୋଗୀ ଚିକିତ୍ସା ପାଇଁ ଆସିବାରୁ ଅବସ୍ଥା ସାଂଘାତିକ ହୋଇଥିଲା, ତାହକୁ ଏଡ଼ାଇବା ପାଇଁ ଓଡ଼ିଶା ସରକାର ଆଗୁଆ ପ୍ରସ୍ତୁତ ହୋଇଛନ୍ତି ।

ଅପରପକ୍ଷରେ ସମ ହସ୍ପିଟାଲ ପକ୍ଷରୁ ଡା. ଅଶୋକ ମହାପାତ୍ର କହିଛନ୍ତି, ଆମେ ୫୦୦ ଶଯ୍ୟା ବିଶିଷ୍ଟ ସ୍ଵତନ୍ତ୍ର ହସ୍ପିଟାଲ ବ୍ୟବସ୍ଥା କରିବୁ । ଏଥିରେ କରୋନା ରୋଗୀ ଚାହୁଁଥିବା ବିଶ୍ଵସ୍ତରୀୟ ଚିକିତ୍ସା ସୁବିଧା ଉପଲବ୍ଧ ହେବ । ଆବଶ୍ୟକ ସ୍ଥଳେ ଆଇସିୟୁ ଏବଂ କ୍ରିଟିକାଲ୍‌ ବ୍ୟବସ୍ଥା ଉପଲବ୍ଧ ହେବ । ଆମେ ଏବେ ଏକ ସ୍ଵତନ୍ତ୍ର ଫ୍ଲୁ ଫିଭର ନିୟନ୍ତ୍ରଣ କକ୍ଷ ଖୋଲିଛୁ । ଯେଉଁ ରୋଗୀଙ୍କର କାଶ କଫ ହେଉଛି ସେମାନେ ଏହାର ସୁବିଧା ନେଇପାରିବେ ।

Spread the love