ଶକ୍ତି ସଞ୍ଚୟ ନାଁରେ ଦୁର୍ନୀତି
ଭୁବନେଶ୍ବର: ଶକ୍ତି ସଞ୍ଚୟ ନାଁରେ ବିଏମ୍ସିରେ ଦୁର୍ନୀତି ଚାଲିଛି। ୮୦ ପ୍ରତିଶତ ପର୍ଯ୍ୟନ୍ତ ବିଜୁଳି ବଞ୍ଚାଇବା ବା ବିଜୁଳି ବିଲ୍ରେ ପୂର୍ବାପେକ୍ଷା ୮୦ ପ୍ରତିଶତ ଟଙ୍କା ବଞ୍ଚାଇବା ଚୁକ୍ତି କରିଥିବା ସଂସ୍ଥାକୁ କେହି ଜଗିବାକୁ ନାହାନ୍ତି। ଅଧିକାରୀ ସଂସ୍ଥା ସହ ହାତ ମିଶାଇଥିବାରୁ ମୋଟା ଅଙ୍କର ଅର୍ଥ ବାଟ ମାରଣା ହେଉଛି। ୧୦ ବର୍ଷ ଧରି ଠିକା ସଂସ୍ଥା ଶକ୍ତି ସଞ୍ଚୟ ନାମରେ ହରିଲୁଟ୍ କରୁଥିଲେ ମଧ୍ୟ ଜଗିବା ପାଇଁ ବିଏମ୍ସି ଯେଉଁ ‘ଇଣ୍ଡିପେଣ୍ଡେଣ୍ଟ ଏନର୍ଜି ଅଡିଟର’ ନିଯୁକ୍ତ କରିବା କଥା ତାହା କରିନାହିଁ। ସୋଡିୟମ ବଲ୍ବ୍ ହଟାଇ ଲଗାଯାଇଥିବା ଏଲ୍ଇଡି ବଲ୍ବ୍ର ଦକ୍ଷତା ମାପିବା ପାଇଁ ବର୍ଷକୁ ଦୁଇଥର ହେବାକୁ ଥିବା ‘ଲକ୍ସ ଲେଭେଲ୍ ମେଜରମେଣ୍ଟ’ ୧୦ ବର୍ଷ ମଧ୍ୟରେ ଥରୁଟିଏ ହୋଇ ନାହିଁ। ଗୋଟିଏ ଅନାମଧେୟ ସଂସ୍ଥା ବର୍ଷ ବର୍ଷ ଧରି ବିଦ୍ୟୁତ ବଲ୍ବ୍ ଯୋଗାଇ ଚାଲିଛି। କେଉଁଠି ଷ୍ଟ୍ରିଟ୍ଲାଇଟ୍ ଜନିତ ସମସ୍ୟା ହେଲେ ତାହାକୁ ୪୮ ଘଣ୍ଟା ମଧ୍ୟରେ ମରାମତି କରିବାକୁ ଦୁଇଟି ସଂସ୍ଥା ବିଏମ୍ସି ସହ ଚୁକ୍ତି କରିଛନ୍ତି। ଧାର୍ଯ୍ୟ ସମୟ ମଧ୍ୟରେ ମରାମତି ନ ହେଲେ ସେମାନଙ୍କ ଠାରୁ ଜରିମାନା ଆଦାୟ କରାଯିବାକୁ ଚୁକ୍ତି ରହିଥିଲେ ମଧ୍ୟ ଆଜି ଯାଏଁ ଟଙ୍କାଟିଏ ଆଦାୟ ହୋଇ ନାହିଁ। ସବୁଠାରୁ ବଡ଼ କଥା ହେଉଛି ବିଏମ୍ସିର ଏହି ବିଜୁଳି ଉପବିଭାଗ ଦାୟିତ୍ବରେ ଯେଉଁ ଇଞ୍ଜିନିୟର ଅଛନ୍ତି ସେ ସିଭିଲ୍ ଇଞ୍ଜିନିୟର। ଏଣୁ ବର୍ଷ ବର୍ଷ ଧରି ଏହି ବ୍ୟବସ୍ଥାରେ ହରିଲୁଟ୍ ଚାଲିଥିଲେ ମଧ୍ୟ ଧରିବାକୁ କେହି ନାହାନ୍ତି ବୋଲି ଅଭିଯୋଗ ହୋଇଛି।
ସହର ସାରା ଲାଗିଥିବା ଷ୍ଟ୍ରିଟ୍ଲାଇଟ୍ରେ ସୋଡିୟମ ବଲ୍ବ୍ ଲାଗିଥିବାରୁ ଅଧିକ ବିଲ୍ ଆସୁଥିଲା। ଏଣୁ ଏ ସବୁକୁ ବଦଳାଇ ଏଲ୍ଇଡି ଲଗାଇଲେ ଶକ୍ତି ସଞ୍ଚୟ ହେବା ସହ ବିଲ୍ ବାବଦକୁ ଯାଉଥିବା କୋଟି କୋଟି ଟଙ୍କା ବିଏମ୍ସିର ସଞ୍ଚୟ ହେବ। ଏଭଳି ଚିନ୍ତା କରି ବିଏମ୍ସି ୨୦୧୩ ମସିହାରେ ପିପିପି ମୋଡ୍ରେ ‘ଏନର୍ଜି ସେଭିଂ ମୋଡ୍ ପ୍ରକଳ୍ପ’ର ପରିକଳ୍ପନା କରିଥିଲା। ଏଥିପାଇଁ ବିଏମ୍ସି ସୁପର ୱେଲ୍ଥ ଫାଇନାନ୍ସିଆଲ୍ ଏଣ୍ଟରପ୍ରାଇଜର୍ସ ପ୍ରାଇଭେଟ୍ ଲିମିଟେଡ୍ ସହ ୨୦୧୩ ମସିହାରେ ୧୦ ବର୍ଷ ପର୍ଯ୍ୟନ୍ତ ଚୁକ୍ତି କରିଥିବା ବେଳେ ଓ ନିଲ୍ ପ୍ରାଇଭେଟ୍ ଲିମିଟେଡ୍ ସହ ୨୦୧୭ରେ ୭ ବର୍ଷ ପର୍ଯ୍ୟନ୍ତ ଚୁକ୍ତି କରିଥିଲା। ଏହି ଦୁଇଟି ଠିକା ସଂସ୍ଥା ଲାଇଟ୍ ଲଗାଇବା ସହ ସମସ୍ତ ପ୍ରକାରର ରକ୍ଷଣାବେକ୍ଷଣ କରିବେ। ବିଏମ୍ସିକୁ ପୂର୍ବାପେକ୍ଷା ୮୦.୦୨ ପ୍ରତିଶତ କମ୍ ବିଲ୍ ପୈଠ କରିବାକୁ ହେବ। ଏଥିରୁ କମିଲେ ସଂସ୍ଥାମାନେ ଜରିମାନା ଦେବେ, ଏଥିରୁ ଭଲ ପ୍ରଦର୍ଶନ କଲେ ବିଏମ୍ସି ଇନ୍ସେଣ୍ଟିଭ୍ ଦେବ। ଏହାକୁ ନିୟନ୍ତ୍ରଣ କରିବା ପାଇଁ ବିଏମ୍ସି ‘ଇଣ୍ଡିପେଣ୍ଡେଣ୍ଟ ଏନର୍ଜି ଅଡିଟର(ଆଇଇଏ)’ ନିଯୁକ୍ତ କରିବ। ପ୍ରତ୍ୟେକ ଦିନ ଏହି ସଂସ୍ଥାମାନଙ୍କର ପ୍ରଦର୍ଶନର ରେକର୍ଡ କରାଯିବ। ଏହି ଇଇଏ ରିପୋର୍ଟ ଆଧାରରେ ବିଏମ୍ସି ଏମାନଙ୍କ ଠାରୁ ଜରିମାନା ଆଦାୟ କରିବ କିମ୍ବା ଇନ୍ସେଣ୍ଟିଭ୍ ଦେବ। ୧୦ ବର୍ଷ ମଧ୍ୟରେ ବିଏମ୍ସି ୨୦୧୮, ୨୦୧୯ ଓ ୨୦୨୦ ମସିହା ଏଭଳି ତିନିବର୍ଷରେ ସୁପରୱେଲ୍ଥ ଫାଇନାନ୍ସିଆଲ୍ ଏଣ୍ଟରପ୍ରାଇଜର୍ସ ପ୍ରାଇଭେଟ୍ ଲିମିଟେଡ୍ ଠାରୁ ୬ କୋଟି ୩ ଲକ୍ଷ ୧୬ ହଜାର ୬୮୦ ଟଙ୍କା ଜରିମନା ବାବାଦରେ ଆଦାୟ କରିଛି। ଏହି ଜରିମାନା ଆଦାୟ ବି ସନ୍ଦେହ ଘେରରେ। ବିଏମ୍ସିରେ ଆଇଇଏ ନିଯୁକ୍ତି ହୋଇ ନଥିଲା ବେଳେ ଏହି ଜରିମାନା ଆଦାୟ ପାଇଁ କିଏ ସୁପାରିସ୍ କଲା, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ବିଏମ୍ସିର ଚୁକ୍ତି ମୁତାବକ, ୧୬ ୱାଟ୍ରୁ ଆରମ୍ଭ କରି ୨୫୦ ୱାଟ୍ ପର୍ଯ୍ୟନ୍ତ କ୍ଷମତା ବିଶିଷ୍ଟ ଏଲ୍ଇଡି ବଲ୍ବ୍ ଲାଗିଛି। କିନ୍ତୁ ଏହି ସବୁ ବଲ୍ବ୍ କ୍ଷମତା ଅନୁଯାୟୀ ବିଦ୍ୟୁତ ଶକ୍ତି ବ୍ୟବହାର କରୁଛନ୍ତି ନା କମ୍ କ୍ଷମତା ବିଶିଷ୍ଟ ଲଗାଇ ଅଧିକା ଦର୍ଶାଯାଉଛି ତାହାର ହିସାବ କରିବା ପାଇଁ ‘ଲକ୍ସ ଲେଭେଲ୍ ମେଜରମେଣ୍ଟ(ଏଲ୍ଏଲ୍ଏମ୍)’ ବର୍ଷକୁ ଦୁଇଥର ହେବା କଥା। ଏହାକୁ ଆଇଇଏ ପ୍ରମାଣିତ କରିବ। ହେଲେ ୧୦ ବର୍ଷ ମଧ୍ୟରେ ଏଭଳି ଏଲ୍ଏଲ୍ଏମ୍ ଥରୁଟିଏ ମଧ୍ୟ ହୋଇ ନଥିବା ଅଭିଯୋଗ ହୋଇଛି। ଫଳରେ ଯଦି ଗୋଟିଏ ବଲ୍ବ୍ରେ ଗୋଟିଏ ୱାଟ୍ କମାଇ ଦିଆଯାଏ ତେବେ ଲକ୍ଷାଧିକ ବଲ୍ବ୍ ହିସାବରେ ବର୍ଷକୁ କୋଟି କୋଟି ଟଙ୍କା ହରିଲୁଟ୍ କରାଯାଉଥିବା ଅଭିଯୋଗ ହୋଇଛି।
ସେହିଭଳି ରକ୍ଷଣାବେକ୍ଷଣ ଦାୟିତ୍ବ ନେଇଥିବା ସଂସ୍ଥାମାନେ ବିଏମ୍ସି ଅଫିସ୍ରେ ଏକ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲି ଅଭିଯୋଗର ୪୮ ଘଣ୍ଟା ମଧ୍ୟରେ ସମାଧାନ କରିବାକୁ ଚୁକ୍ତି ରହିଥିଲା। ୪୮ ଘଣ୍ଟାରୁ ବିଳମ୍ବ ହେଲେ ସମ୍ପୃକ୍ତ ସଂସ୍ଥା ଠାରୁ ଜରିମାନା ଆଦାୟ କରାଯିବ। ଚୁକ୍ତି ମୁତାବକ ପୁରୁଣା ଅଫିସ୍ରେ ବିଏମ୍ସି ଏକ ଘର ଯୋଗାଇ ଦେଇଥିଲା। ହେଲେ ସେଠାରେ କେହି ରହୁନଥିଲେ କିମ୍ବା ୪୮ ଘଣ୍ଟା ମଧ୍ୟରେ କୌଣସି ଅଭିଯୋଗର ସମାଧାନ ହେଉନଥିଲା। ହେଲେ ବିଏମ୍ସି ଏ ବାବଦରେ ଟଙ୍କାଟିଏ ଆଦାୟ କରିନାହିଁ।
ଏହି ପ୍ରସଙ୍ଗରେ ଲଗାତାର ଦୁଇଟି କର୍ପୋରେସନ ବୈଠକରେ ବରିଷ୍ଠ କର୍ପୋରେଟର୍ ନୃପେଶ ନାୟକ ଆପତ୍ତି ଉଠାଇବା ପରେ ତନାଘନା ହୋଇଛି। କାହିଁକି ଆଇଇଏ ନିଯୁକ୍ତ କରାଯାଇ ନାହିଁ, କେଉଁଠି ସମସ୍ୟା ରହିଛି ତାହାକୁ ନେଇ ଖୋଳତାଡ଼ ହୋଇଛି। ଖୋଳତାଡ଼ ବେଳେ ଜଣାପଡ଼ିଛି କି ‘ଲକ୍ସ ଲେଭେଲ୍ ମେଜରମେଣ୍ଟ’ ପାଇଁ ଦୁଇଟି ସଂସ୍ଥା ନିମନ୍ତେ ଦୁଇଟି ଇଇଏ ବଛା ଯାଇଥିଲା। କିନ୍ତୁ ସେମାନେ କାମ ନ କରିବାରୁ ୨୦୧୫ରେ ବସିଥିବା କର୍ପୋରେସନ ବୈଠକରେ ଏହି ଏନର୍ଜି ଅଡିଟର ଚୁକ୍ତିକୁ ରଦ୍ଦ କରାଯାଇଥିଲା। ସେବେଠାରୁ ଏନର୍ଜି ଅଡିଟ୍ ହୋଇ ନାହିଁ। ଫଳରେ ଏଥିରେ ଲୁଟ୍ତରାଜ୍ ଚାଲିଥିବା ଅଭିଯୋଗ ହୋଇଛି।