କୋର୍ଟଙ୍କ ଅନୁମତିରେ ରିଟାୟର ଦିନ ପୋଲିସ ଅଧିକାରୀ ପିନ୍ଧିଲେ ରାଜୀବ ହତ୍ୟା ରାତ୍ରିର ରକ୍ତ ଜୁବୁଡୁ ଟୋପି ଓ ବ୍ୟାଜ୍

ତିରୁଅନନ୍ତପୁରମ ୨।୧୦:  ଭାରତୀୟ ପୋଲିସ ସେବା( ଆଇପିଏସ୍) ଅଧିକାରୀ ପ୍ରତୀପ ଭି. ଫିଲିପ୍ ଗୁରୁବାର ଚାକିରୀରୁ ଡିଜିପି (ଟ୍ରେନିଂ) ଭାବେ ଅବସର ଗ୍ରହଣ କରିଛନ୍ତି। ତେବେ କୋର୍ଟଙ୍କ ଅନୁମତିରେ ସେଦିନ ସେ ସେହି ରକ୍ତ ଜୁଡୁବୁଡୁ ଟୋପି ଓ ବ୍ୟାଜ୍‌ ପିନ୍ଧିଥିଲେ ଯାହା ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ହତ୍ୟା ରାତ୍ରିରେ ପିନ୍ଧିଥିଲେ। ଏହି ଦୁଇଟି ସାମଗ୍ରୀକୁ ପୋଲିସ ସାକ୍ଷ ଭାବେ ବିସ୍ଫୋରଣ ସ୍ଥଳରୁ ଜବତ କରିଥିଲା। ଯାହା ଏବେବି ଜାତୀୟ ଅନ୍ୱେଷଣ ବ୍ୟୁରୋ (ସିବିଆଇ)ଙ୍କ ହେପାଜତରେ ଅଛି।

ଚାକିରୀରୁ ଅବସର ପୂର୍ବରୁ ପ୍ରତୀପ ପ୍ରଥମ ଅତିରିକ୍ତ ସେସନ ଜଜ୍‌ଙ୍କ କୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ। ଯେଉଁଥିରେ ସେ ଚାକିରୀରୁ ଅବସର ଦିନ ସେହି ଟୋପି ଓ ବ୍ୟାଜ୍‌ ପିନ୍ଧିବାକୁ ଆଗ୍ରହ କରିଥିଲେ ଯାହା ସେ ରାଜୀବଙ୍କ ହତ୍ୟାରାତ୍ରିରେ ଡ୍ୟୁଟିରେ ମୁତୟନ ଥିବା ସମୟରେ ପିନ୍ଧିଥିଲେ। ଏଥିପାଇଁ ତାଙ୍କୁ ଅନୁମତି ଦେବା ଲାଗି ସେ କୋର୍ଟଙ୍କୁ ନିବେଦନ କରିଥିଲେ।

ଏକ ଅପ୍ରତ୍ୟାଶିତ ନିର୍ଦ୍ଦେଶରେ ଅତିରିକ୍ତ ସେସନ ଜଜ୍ ଟି.ଚନ୍ଦ୍ର ଶେଖରନ ଆବେଦନକାରୀଙ୍କୁ ୧ ଲକ୍ଷ ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ଟୋପି ଓ ବ୍ୟାଜ୍‌ ଯାହା ସିସି ନମ୍ବର ୩/୧୯୯୨ର ଏମଓ ୩୮ ଏବଂ ଏମଓ ୩୯ ଆକାରରେ ସାକ୍ଷଭାବେ ଗ୍ରହଣ କରାଯାଇଥିଲା ତାକୁ ଫେରସ୍ତ ଯୋଗ୍ୟ ସର୍ତ୍ତରେ ନେଇଯିବାକୁ ଅନୁମତି ଦେଇଥିଲେ। ତେବେ ଉଦ୍ଦେଶ୍ୟ ପୂର୍ତ୍ତି ପରେ ଏମଓ ୩୮ ଏବଂ ଏମଓ ୩୯କୁ ୨୮।୧୦।୨୦୨୧ ଦିନ ଅଥବା ପୂର୍ବରୁ କୋର୍ଟରେ ଜମା ଦେବାକୁ ସର୍ତ୍ତ ରଖିଥିଲେ।

ସେହି ଅନୁସାରେ ଡିଜିପି ଭାରତୀୟ ପୋଲିସ ସେବାରେ ଭର୍ତ୍ତି ହେବା ଦିନ ପାଇଥିବା ତାଙ୍କ ନାମ ବ୍ୟାଜ୍‌ ଓ ଟୋପି ଯାହାକୁ ସେ ରାଜୀବ ଗାନ୍ଧିଙ୍କ ଶ୍ରୀପେରମ୍ବୁଦୂର ଗସ୍ତକାଳରେ ଡ୍ୟୁଟିରେ ଥିବା ବେଳେ ପିନ୍ଧିଥିଲେ ତାହା ପିନ୍ଧି ଚାକିରୀରୁ ଅବସର ନେଇଛନ୍ତି। ଆଇପିଏସ୍‌ ପ୍ରତୀପ ଏହି ଦୁଇଟି ଜିନିଷ ମୋ ପରିବାର ଓ ମୋ ପାଇଁ ବୃତ୍ତିଗତ, ବ୍ୟକ୍ତିଗତ ଓ ଭାବପ୍ରବଣ ଭାବେ ଅମୂଲ୍ୟ ସମ୍ପଦ ଯାହାକୁ ଆମେ କୋର୍ଟରୁ ଉଦ୍ଧାର କରିଛୁ ବୋଲି କହିଛନ୍ତି।

ଟୋପି ଓ ବ୍ୟାଜ୍‌ ଆମ ପରିବାରକୁ ସେହି ମୁହୂର୍ତ୍ତର ଅନୁଭବ କରାଇବାକୁ ଯଥେଷ୍ଟ ଯାହା ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ହତ୍ୟା କାଳରେ ହୋଇଥିଲା। ମାନବ ବୋମା ବିସ୍ଫୋରଣରେ ରାଜୀବଙ୍କୁ ହତ୍ୟା କରାଯାଇଥିଲା। ଏହି ଦୁର୍ଘଟଣାର ୧୦ ଦିନ ପୂର୍ବରୁ ମୋ ବଡ଼ ଝିଅ ନିମିଷା ଜନ୍ମ ହୋଇଥାଏ। ପ୍ରଧାନମନ୍ତ୍ରୀଙ୍କ ଗସ୍ତକାର୍ଯ୍ୟକ୍ରମ ଯୋଗୁ ମୋର ଡ୍ୟୁଟି ଶ୍ରୀପେରମ୍ବୁଦୂରରେ ଲଗାଯାଇଥାଏ। ୨୦୦୦ ମସିହାରେ ମୋ ସାନ ଝିଅ  ନିଶାଲାର ଜନ୍ମ ହୋଇଛି ଏଥିରେ ସେ ସେଦିନକୁ ନିଶ୍ଚିତ ଅନୁଭବ କରିପାରିବ ବୋଲି ପ୍ରତୀପ କହିଛନ୍ତି।

୧୯୮୭ ବ୍ୟାଚ୍‌ ଆଇପିଏସ ଅଫିସର ପ୍ରତୀପ ଭି.ଫିଲିପ୍ ଆସିଷ୍ଟାଣ୍ଟ ପୋଲିସ ସୁପରିଣ୍ଟେଣ୍ଡେଣ୍ଟ ଭାବେ ୨୧ ମେ ୧୯୯୧ ରାତିରେ ରାଜୀବଙ୍କ ଗସ୍ତକାର୍ଯ୍ୟକ୍ରମରେ ମୁତୟନ ଥିବା ବେଳେ ତାଙ୍କର ଅତି ନିକଟରେ ମାନବ ବୋମା ବିସ୍ଫୋରଣ ହୋଇଥିଲା। ଏଥିରେ ପ୍ରତୀପ ଗୁରୁତର ଆହତ ହୋଇ ଜୀବିତ ବର୍ତ୍ତି ଯାଇଥିଲେ। ତାଙ୍କ ପୋଷାକରୁ ନାମ ବ୍ୟାଜ୍‌ ଛିଣ୍ଡି ଛିଟିକି ପଡିଥିବା ବେଳେ ଟୋପିଟି ମୁଣ୍ଡରୁ ଉଡ଼ି ଯାଇଥିଲା। ଘଟଣା ବେଳକୁ ସ୍ମରଣ କରି ପ୍ରତୀପ କହନ୍ତି ଏହା ନର୍କର ଏକ ଦୃଶ୍ୟ ଥିଲା। ଲାଲ କାର୍ପେଟ ହୁତହୁତ ହୋଇ ଜଳୁଥିଲା ବେଳେ ରାଜୀବଙ୍କ କବନ୍ଧ ତଳେ ପଡିଥିଲା। ହାତ ମାରିବା ବେଳକୁ ମୁହଁ ରକ୍ତରେ ନେଶି ହୋଇଯାଇଥିବା ପରି ଲାଗିଥିଲା।

ଘଟଣା ପରେ ମୋ ହାତ ବଲ ଭଳି ହୋଇଯାଇଥିଲା । ସେହି ହାତଟି ଭାଙ୍ଗି ଯାଇଥିବା ବେଳେ ଦେହରେ ଶହଶହ ପେଲେଟ୍‌ ପଶିଯାଇଥିଲା। ଗୋଟିଏ ପାଲେଟ ଜଣେ ମଣିଷକୁ ମାରିବାକୁ ଯଥେଷ୍ଟ। ଅତି ନିକଟରେ ଥିବାରୁ ଏତେ ପେଲେଟ୍ ମୋ ଦେହରେ ପଶି ଯାଇଥିଲା ହେଲେ ଜାଣିପାରିନଥିଲି। ଆକ୍ରମଣରେ ଭୟଭୀତ ପ୍ରତୀପଙ୍କ ଡ୍ରାଇଭର ଘଟଣାସ୍ଥଳ ଛାଡି ପଳାଇଥିଲା। ଯନ୍ତ୍ରଣାରେ ଆଗକୁ ବଢୁଥିବା ବେଳେ ଚାକୋ ନାମକ ଜନୈକ ପୋଲିସ ଇନିସପେକ୍ଟର ତାଙ୍କୁ ସାହାରା ଦେଇ ପୋଲିସ ଜିପ୍ ପର୍ଯ୍ୟନ୍ତ ନେଇ ଆସିବା ସହ ପଛପାଖରେ ପକାଇ ମୋତେ ଅନ୍ୟମାନଙ୍କୁ ମଧ୍ୟ ଉଦ୍ଧାର କରିବାକୁ ହେବ କହି ଚାଲିଯାଇଥିଲେ। ମୁଁ ଅର୍ଦ୍ଧଚେତନ ଅବସ୍ଥାରେ ଥିବାରୁ କୌଣସି ନିର୍ଦ୍ଦେଶ ଦେଇପାରୁନଥିଲି ବୋଲି ସେ କହିଛନ୍ତି।

ଜୀବନର ଏହି ସ୍ମରଣୀୟ ମୁହୂର୍ତ୍ତକୁ ପରିଭାଷିତ କରିବାଲାଗି ମୁଁ ଦୀର୍ଘ ୩୦ ବର୍ଷ ହେଲା ଅପେକ୍ଷା କରିରହିଥିଲି ବୋଲି କହିଛନ୍ତି  ପ୍ରତୀପ। କ୍ରାଇମ ସିନ୍‌ରୁ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ତାଙ୍କ ଟୋପି ଓ ନାମ ବ୍ୟାଜ୍‌ ସଂଗ୍ରହ କରି ପ୍ରମାଣର ସାକ୍ଷ ସ୍ୱରୂପ ଏପର୍ଯ୍ୟନ୍ତ ହେପାଜତରେ ରଖିଥିଲେ।  ସେ କହିଛନ୍ତି ଯେ ସେଦିନ ‘ଡ୍ୟୁଟି ଲାଇନ୍‌ରେ ମୋର ପ୍ରାୟତଃ ମୃତ୍ୟୁ ହୋଇଯାଇଥିଲା। ତେବେ ଗୁରୁତର ଆଘାତ ପ୍ରାପ୍ତ ହୋଇ ବଞ୍ଚିଯାଇଥିବାର ଏହା ହେଉଛି ପ୍ରମାଣ’ । ଏବେବି ମୋ ଶରୀରରେ ଶତାଧିକ ଷ୍ଟିଲ ପାଲେଟ୍ ପଶି ରହିଛି ବୋଲି ସେ କହିଛନ୍ତି।

ମାନବ ବୋମା ବିସ୍ଫୋରଣରେ ଗୁରୁତର ଆହତ ପ୍ରତୀପ ପ୍ରାୟ ୧ ବର୍ଷ କାଳ ହସ୍ପିଟାଲରେ ରହିବା ପରେ ସୁସ୍ଥ ହୋଇ ଡ୍ୟୁଟିରେ ଯୋଗଦେଇଥିଲେ। ସମ୍ମାନଜନକ ସେବା ଲାଗି ତାଙ୍କୁ ୨୦୦୩ ମସିହାରେ ପ୍ରଧାନମନ୍ତ୍ରୀ ମେଡାଲରେ ସମ୍ମାନୀତ କରାଯାଇଥିଲା। ୨୦୧୨ ମସିହାରେ ବିଶିଷ୍ଟ ସେବା ଲାଗି ରାଷ୍ଟ୍ରପତି ପଦକରେ ସେ ସମ୍ବର୍ଦ୍ଧିତ  ହୋଇଛନ୍ତି।

Spread the love