ବ୍ରିଜଭୂଷଣ ଶରଣ ସିଂଙ୍କ ମୁଣ୍ଡରେ ଆଉ ଏକ ଚଡ଼କ! ଯୌନ ଶୋଷଣ ମାମଲାରେ କୋର୍ଟଙ୍କ ସମନ

ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂଙ୍କ ଅଡ଼ୁଆ କମିବାର ନାଁ ନେଉନାହିଁ। ଏବେ ରାଉଜ୍‌ ଆଭେନ୍ୟୁ କୋର୍ଟ ଯୌନ ନିର୍ଯାତନା ମାମଲାରେ ୬ ଜଣ ମହିଳା କୁସ୍ତିଯୋଦ୍ଧାଙ୍କ ଦ୍ୱାରା ଦାଖଲ ଚାର୍ଜସିଟ୍‌କୁ ଗ୍ରହଣ କରିଛନ୍ତି।

ଏହି ମାମଲାରେ ବିଜେପି ସାଂସଦଙ୍କୁ ହାଜର ହେବାକୁ କୋର୍ଟ କହିଛନ୍ତି। କୋର୍ଟ ତାଙ୍କୁ ସମନ ଜାରି କରି ଡକାଇଛନ୍ତି। ସମନରେ ବ୍ରିଜ ଭୂଷଣଙ୍କୁ ଜୁଲାଇ ୧୮ରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି।

କୋର୍ଟ ଅଭିଯୁକ୍ତ ସାଂସଦଙ୍କ ବ୍ୟତୀତ ବିନୋଦ ତୋମାରଙ୍କୁ ମଧ୍ୟ ଜୁଲାଇ ୧୮ରେ ହାଜର ହେବାକୁ ଆଦେଶ ଦେଇଛନ୍ତି। କହି ରଖୁଛୁ ଯେ ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ଗମ୍ଭୀର ଧାରାରେ ମାମଲା ରୁଜୁ ହୋଇଛି।

୬ ମହିଳା କୁସ୍ତିଯୋଦ୍ଧା ତାଙ୍କ ବିରୋଧରେ ଯୌନ ଶୋଷଣର ଅଭିଯୋଗ ଆଣି ଏତଲା ଦାୟର କରିଥିଲେ, ଯେଉଁଥିରେ ପୋଲିସ ନିଜର ଚାର୍ଜସିଟ୍ ଦାଖଲ କରିଥିଲା। ଏହି ଚାର୍ଜସିଟ୍‌କୁ ଗ୍ରହଣ କରି କୋର୍ଟ ସାଂସଦଙ୍କୁ ସମନ ଜାରି କରିଛନ୍ତି।

ପୋଲିସ ନିଜ ଚାର୍ଜସିଟରେ ବ୍ରିଜ ଭୂଷଣଙ୍କ ବିରୋଧରେ ଯୌନ ଶୋଷଣ ସମ୍ବନ୍ଧିତ ଆଇପିସି ଧାରା ୩୫୪, ୩୫୪-ଏ ଓ ୩୫୪-ଡି ଏବଂ ବିନୋଦ ତୋମାରଙ୍କ ବିରୋଧରେ ଧାରା ୧୦୯, ୩୫୪, ୩୫୪-ଏ ଓ ୫୦୬ ଅନୁଯାୟୀ ମାମଲା ରୁଜୁ କରିଛି।

Spread the love