COVID-19 ମୁକାବିଲା : ଓଡିଶାରେ ୨୦ କୋଟି ଶ୍ରମ ଦିବସ ସୃଷ୍ଟି ଲାଗି ଯୋଜନା କରିଛନ୍ତି ସରକାର

କରୋନା ଭାଇରସ୍ ମହାମାରୀ କେବଳ ଦେଶର ଆର୍ଥବ୍ୟବସ୍ଥାକୁ ଧରାଶାୟୀ କରିଛି ତା ନୁହେଁ ଲୋକଙ୍କ ହାତରୁ କାମଧନ୍ଦା ମଧ୍ୟ ଛଡାଇନେଇଛି। ବାହାର ରାଜ୍ୟମାନଙ୍କରେ କାମଦାମ କରୁଥିବା ହଜାହଜାର ଶ୍ରମିକ ରୋଜଗାର ହରାଇ ଭିଟାମାଟିକୁ ଫେରିଛନ୍ତି। ଏପରି ଲୋକଙ୍କୁ ରାଜ୍ୟରେ ରୋଜଗାର ଯୋଗାଇ ଦେବା ନିମନ୍ତେ ଓଡିଶା ସରକାର ମହାତ୍ମାଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମଏନଆରଇଜିଏସ୍)ରେ ୨୦ କୋଟି ଶ୍ରମଦିବସ ସୃଷ୍ଟି ଲାଗି ଯୋଜନା କରିଥିବା ଜଣାପଡିଛି।

୫.୨୨ଲକ୍ଷ ଲୋକଙ୍କୁ ଏହି ଯୋଜନାରେ କର୍ମ ଯୋଗାଇ ଦିଆଯିବାକୁ ଥିବା ବେଳେ ରାଜ୍ୟରେ ଅଧିକ ୧.୩ଲକ୍ଷ ପୁଷ୍କରିଣୀ ଖନନ ଲାଗି ସରକାର ନିର୍ଦ୍ଦେଶ ଦେଇଛନ୍ତି।  ଏଥିଲାଗି ଜିଲ୍ଲାପାଳମାନଙ୍କୁ ତ୍ୱରିତ ପଦକ୍ଷେପ ନେବାକୁ କୁହାଯାଇଛି।   ଜିଲ୍ଲାପାଳମାନେ ତୃଣମୂଳ ସ୍ତରରେ ଯୋଜନା ପ୍ରସ୍ତୁତ କରି ଯେପରି ସମସ୍ତଙ୍କୁ ଯେପରି ନିୟୋଜିତ କରାଯାଇପାରିବ ତାହା ସୁନିଶ୍ଚିତ କରିବାକୁ କୁହାଯାଇଛି। ତେବେ ଅଧିକାରୀକ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ସଡକ, ବନ୍ଧବାଡ, ବନିକରଣ ଆଦି ପ୍ରକଳ୍ପ ଦ୍ୱାରା ଅନେକ ଲୋକଙ୍କୁ କର୍ମ ନିଯୁକ୍ତି ଯୋଗାଦେବାକୁ ମଧ୍ୟ ଯୋଜନା ରହିଛି।  ଏଥିପାଇଁ ପଞ୍ଚାୟତରାଜ ବିଭଗ ସମେତ ଅନ୍ୟ ସମସ୍ତ ବିଭାଗଙ୍କ ସମନ୍ୱୟରେ ଶ୍ରମ ଦିବସ ସୃଷ୍ଟି କରାଯିବ ବୋଲି କୁହାଯାଇଛି।

ତେବେ କୃଷି ଓ କୃଷକ ସଶକ୍ତିକରଣ ସଚିବ ସୌରଭ ଗର୍ଗ ଏମଏନଆରଇଜିଏସ୍ ଯୋଜନାରେ ୧ ଲକ୍ଷ ୩ ହଜାର ଚାଷ ପୋଖରୀ ଖୋଳିବା କାମରେ ଏପରି ପ୍ରବାସୀ ଶ୍ରମିକଙ୍କୁ  ନିୟୋଜିତ ରଖିବାକୁ ଏବେ ଯୋଜନା କରାଯାଉଥିବା କହିଛନ୍ତି। କେନ୍ଦ୍ର ପ୍ରାୟୋଜିତ ଏମଏନଆରଇଜିଏସ୍ ରାଜ୍ୟରେ ଏକ ସଫଳ କର୍ମଯୋଗାଣ ଯୋଜନା । ଏପରି ଯୋଜନା ନଥିଲେ ବିପୁଳ କର୍ମଜୀବୀଙ୍କୁ ଜୀବିକା ଯୋଗାଇ ଦେବା ଏବେ କଷ୍ଟକର ହୋଇଥାନ୍ତା ବୋଲି ସେ କହିଛନ୍ତି।

କର୍ମଦିବସ ସୃଷ୍ଟି ଲାଗି ୨୫ ଲକ୍ଷ ଚାଷୀଙ୍କୁ କୃଷି ଓ ଉଦ୍ୟାନ କୃଷି ନିମନ୍ତେ ଉତ୍ସାହିତ କରିବା ଲାଗି ୨୦୦ କୋଟି ଟଙ୍କାର ପ୍ୟାକେଜ ମଧ୍ୟ ଚୂଡାନ୍ତ ହୋଇଥିବାର ଅଧିକାରୀ କହିଛନ୍ତି। ଏଥିରେ ଚାଷୀଙ୍କୁ ଛତୁଚାଷ ପ୍ଲାଷ୍ଟିକ୍ କ୍ରେଟ୍ ଯୋଗାଣ ଆଦି ନେଇ ମଧ୍ୟ ପ୍ରଶିକ୍ଷଣ ପ୍ରଦାନ କରାଯିବ। ସେହିପରି ଶ୍ରମ ଦିବସ ସୃଷ୍ଟି ଲାଗି ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ ସାମାଜିକ ଓ ଆର୍ଥିକ ଯୋଜନା ମଧ୍ୟ କାର୍ଯ୍ୟକାରୀ କରାଯିବ। ଏଥିରେ ଜୀବିକା ଉପାର୍ଜନ ଲାଗି ବିଭିନ୍ନ କାର୍ଯ୍ୟକ୍ରମ ସାଙ୍ଗକୁ ସ୍ୱୟଂସହାୟକ ଗୋଷ୍ଠୀ ସଂରଚନା, ସଡକ ୟୋଗାଯୋଗ, ଶକ୍ତି ବିତରଣ ପ୍ରଣାଳୀର ବିକାଶ ଆଦି ମଧ୍ୟ କରାଯିବ ବୋଲି ଜଣାପଡିଛି।

Spread the love