ବିଜେପି ମୁଖ୍ୟାଳୟରେ ପଶିଲା Covid-19, ୪୨ କର୍ମଚାରୀ ଓ ସୁରକ୍ଷା କର୍ମୀ ସଂକ୍ରମିତ

ନୂଆଦିଲ୍ଲୀ ୧୨।୧:  ଭାରତୀୟ ଜନତା ପାର୍ଟି ( ବିଜେପି) ଦିଲ୍ଲୀ ମୁଖ୍ୟାଳୟରେ କରୋନା ବିସ୍ଫୋରଣ। ଦିନଦୟାଲ ଉପାଧ୍ୟାୟ ମାର୍ଗରେ ଥିବା  କାର୍ଯ୍ୟାଳୟରେ ମୋଟ ୪୨ ଜଣ କର୍ମଚାରୀ ଓ ସୁରକ୍ଷା କର୍ମୀ କୋଭିଡ-୧୯ରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ଘଟଣା ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି। କିଛି ଦିନ ପୂର୍ବେ କେନ୍ଦ୍ରମନ୍ତ୍ରୀ ନୀତିନଗଡକରୀ କୋଭିଡ ପଜିଟିଭ ଚିହ୍ନଟ ହୋଇଥିଲେ। ଏବେ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ମୋଟ ୪୨ ଜଣଙ୍କ ପରୀକ୍ଷଣ ରିପୋର୍ଟ ପଜିଟିଭ ଆସିଛି।

ପଜିଟିଭ ଚିହ୍ନଟ କର୍ମଚାରୀଙ୍କ ମଧ୍ୟରେ କାର୍ଯ୍ୟାଳୟର ସଫେଇ କର୍ମଚାରୀଙ୍କ ସମେତ ସୁରକ୍ଷା କର୍ମୀ ମଧ୍ୟ ସଂକ୍ରମିତ ଥିବା ଜଣାପଡିଛି। ଦେଶର ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏଣୁ ମୁଖ୍ୟାଳୟ ଚଳଚଞ୍ଚଳ ଥିବା ବେଳେ ବୈଠକ ପରେ ବୈଠକ ଅନୁଷ୍ଠିତ ହେଉଛି। ଗତ ବୁଧବାର ବିଜେପି କୋର କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ସପ୍ତାହଟେ ନ ବିତୁଣୁ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ପଜିଟିଭ ଚିହ୍ନଟ ହୋଇଛନ୍ତି।

ଆଗକୁ ଅନେକ ଦଳୀୟ କର୍ମୀ ସଂକ୍ରମଣର ଶିକାର ହୋଇପାରନ୍ତି ବୋଲି ଆଶଙ୍କା କରାଯାଉଛି। ଏହି ସମୟରେ ଦଳୀୟ ମୁଖ୍ୟାଲୟକୁ ଯାତାୟାତ କରିଥିବା ଲୋକେ ନିଜକୁ ନିଜେ ଆଇସୋଲେଟ କରିଛନ୍ତି। ଏପର୍ଯ୍ୟନ୍ତ ବରିଷ୍ଠ ବିଜେପି ନେତା ରାଜନାଥ ସିଂହ ଓ ନୀତିନ ଗଡକରୀଙ୍କ ସମେତ ଅନେକ ନେତା କୋଭିଡ ପଜିଟିବ ଚିହ୍ନଟ ହୋଇଛନ୍ତି।

Spread the love