୧୯ ହଜାର ଛୁଇଁବ ଆକ୍ରାନ୍ତଙ୍କ ସଂଖ୍ୟା, ୬୦୦ ଟପିଲା ମୃତ୍ୟୁ ସଂଖ୍ୟା

ସାରା ଦେଶରେ କୋଭିଡ୍-୧୯ ଭୂତାଣୁରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। ଏବେ କରୋନା ମୃତ୍ୟୁସଂଖ୍ୟା ୬୦୦ର ଟପି ୬୦୩ରେ ପହଞ୍ଚି ସାରିଲାଣି। କେବଳ ଗତକାଲିଠାରୁ ଏଯାଏ ୪୪ ଜଣଙ୍କର ମୃତ୍ୟୁ ହୋଇସାରିଛି। ଅନ୍ୟପକ୍ଷରେ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ୧୮ ହଜାର ପାର କରି ୧୯ ହଜାର ମାର୍କର ଅତି ପାଖରେ ପହଞ୍ଚିସାରିଛି।ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଦିଆଯାଇଥିବା ସୂଚନା ଅନୁଯାୟୀ, ବର୍ତ୍ତମାନ କରୋନା ଭାଇରସ୍‌ରେ ଆକ୍ରାନ୍ତଙ୍କ ସଂଖ୍ୟା ୧୮,୯୮୫ ରହିଛି। ଏମାନଙ୍କ ମଧ୍ୟରୁ ୩୨୫୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଏବଂ ଜଣେ ବିଦେଶ ଫେରିଯାଇଛନ୍ତି। ଅର୍ଥାତ ଦେଶରେ ଆକ୍ଟିଭ କେସ୍ ସଂଖ୍ୟା ୧୫,୧୧୨ ରହିଛି।

ଗତ ୨୪ ଘଣ୍ଟାର ତଥ୍ୟକୁ ହିସାବ କଲେ ଦେଶରେ ୧୩୨୯ ଜଣ ଆକ୍ରାନ୍ତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୭୭ ଜଣ ବିଦେଶୀ ମଧ୍ୟ ଅଛନ୍ତି। କ୍ରମାଗତ ତୃତୀୟ ଦିନ ପାଇଁ ୧୨୦୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ କରାଯାଇଛି। ୪୬୬୯ ଆକ୍ରାନ୍ତଙ୍କ ସହ ମହାରାଷ୍ଟ୍ରରେ ସ୍ଥିତି ସବୁଠାରୁ ସଙ୍ଗିନ ରହିଛି। ମହାରାଷ୍ଟ୍ର, ଗୁଜରାଟ ଓ ଦିଲ୍ଲୀରେ ଏହି ୩ ଦିନ ମଧ୍ୟରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନ୍ୟପକ୍ଷରେ ଗତ ୧୪ ଦିନରେ ୨୩ ରାଜ୍ୟ ବା କେନ୍ଦ୍ର ଶାସିତ ଅଞ୍ଚଳର ୬୧ ଅତିରିକ୍ତ ଜିଲ୍ଲାରେ କୌଣସି ଆକ୍ରାନ୍ତ ଚିହ୍ନଟ କରାଯାଇନି। ଅନ୍ୟପକ୍ଷରେ ୫୯୦ ଜଣଙ୍କ ମଧ୍ୟରୁ ମହାରାଷ୍ଟ୍ରରେ ସର୍ବାଧିକ ୨୩୨ ଜଣଙ୍କ ମୃତ୍ୟୁ ଘଟିଛି। ମଧ୍ୟପ୍ରଦେଶରେ ୭୬, ଗୁଜରାଟରେ ୭୭, ଦିଲ୍ଲୀରେ ୪୭, କର୍ଣ୍ଣାଟକାରେ ୧୭, ଆନ୍ଧ୍ର ପ୍ରଦେଶରେ ୨୦, ଆସାମରେ ୧, ବିହାରରେ ୨, ହରିଆଣାରେ ୩, ହିମାଚଳ ପ୍ରଦେଶରେ ୧, ଜମ୍ମୁ-କଶ୍ମୀରରେ ୫, ଝାରଖଣ୍ଡରେ ୨, କେରଳରେ ୩, ମେଘାଳୟରେ ୧, ଓଡ଼ିଶାରେ ୧, ପଞ୍ଜାବ ୧୬, ରାଜସ୍ଥାନରେ ୨୫, ତାମିଲନାଡୁରେ ୧୭, ତେଲେଙ୍ଗାନାରେ ୨୩, ଉତ୍ତର ପ୍ରଦେଶରେ ୧୮ ଓ ପଶ୍ଚିମବଙ୍ଗରେ ୧୨ ଜଣ ପ୍ରାଣ ହରାଇଛନ୍ତି।

ଦୁଇ ଦିନ ପାଇଁ ରାପିଡ୍ ଆଣ୍ଟିବଡି ପରୀକ୍ଷା ନକରିବାକୁ ସମସ୍ତ ରାଜ୍ୟଙ୍କୁ କୁହାଯାଇଛି। ଆଇସିଏମ୍ଆର ପକ୍ଷରୁ ଏପରି ନିର୍ଦ୍ଦେଶ ଦେଇ କୁହାଯାଇଛି ତ୍ରୁଟିପୂର୍ଣ୍ଣ ରାପିଡ୍ ଟଷ୍ଟ କିଟ୍‌ ନେଇ ତ୍ରୁଟି ତଦନ୍ତ କରାଯିବ ଏବଂ ନିଶ୍ଚିତ ଭାବରେ ଏହି ତ୍ରୁଟିକୁ ଅଣଦେଖା କରାଯିବ ନାହିଁ। ହଟ-ସ୍ପଟ୍ ଅଞ୍ଚଳ ବା ବହୁ ସଂଖ୍ୟକ ଆକ୍ରାନ୍ତ ରହୁଥିବା ଅଞ୍ଚଳରେ ରହୁଥିବା ପ୍ରତ୍ୟେକ ବାସିନ୍ଦାଙ୍କର ପରୀକ୍ଷା କରିବାକୁ ଆଇସିଏମ୍ଆରର ପରାମର୍ଶ ପରେ ଏହି କିଟ୍ କିଣାଯାଇଥିଲା।

Spread the love