ରାଜଧାନୀ ଦିଲ୍ଲୀରେ ସମାପ୍ତ ହେଲା କରୋନା କଟକଣା, ପୂର୍ଣ୍ଣ କ୍ଷମତାରେ ଖୋଲିବ ସ୍କୁଲ, ଅଫିସ

ନୂଆଦିଲ୍ଲୀ ୨୫।୨: ଜାତୀୟ ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ କ୍ରମଶଃ ହ୍ରାସ ହୋଇଛି। କରୋନା ମାମଲା ସଂଖ୍ୟା ହ୍ରାସକୁ ଦେଖି ସରକାର କଟକଣା ଆହୁରି କୋହଳ କରିଦେଇଛନ୍ତି। ଶୁକ୍ରବାର ଏ ନେଇ ଦିଲ୍ଲୀ ବିପର୍ଯ୍ୟୟ ପ୍ରାଧିକରଣ (ଡିଡିଏମଏ)ଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜଧାନୀରେ ଜାରି ଏପର୍ଯ୍ୟନ୍ତ ସମସ୍ତ କଟକଣା ସମାପ୍ତ କରିବା ଲାଗି ନିଷ୍ପତ୍ତି ହୋଇଛି। ତେବେ ମାସ୍କ ନ ପିନ୍ଧିଲେ ଲୋକଙ୍କୁ ୫୦୦ ଟଙ୍କା ଜରିମନା ଲାଗି ବୈଠକରେ ନିଷ୍ପତ୍ତି ହୋଇଛି।

ଡିଡିଏମଏଙ୍କ ଏହି ବୈଠକରେ ଦିଲ୍ଲୀ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଅନୀଲ ବୈଜଲ, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ, ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ଓ ଅନ୍ୟ ଅଧିକାରୀମାନେ ଯୋଗ ଦେଇଥିଲେ। ବୈଠକରେ ଦିଲ୍ଲୀର ସ୍କୁଲ ଗୁଡିକ ଏବେ ୧୦୦ ପ୍ରତିଶତ କ୍ଷମତା ସହ ଖୋଲିପାରିବ ବୋଲି କୁହାଯାଇଛି। ଜାତୀୟ ରାଜଧାନୀର ବର୍ତ୍ତମାନ କୋଭିଡ ସ୍ଥିତିନେଇ ବ୍ୟାପକ ବିଚାରବିମର୍ଶ ପରେ ଏହି ନିଷ୍ପତ୍ତି ହୋଇଛି। ତେବେ କଟକଣା ସେ ପର୍ଯ୍ୟନ୍ତ କୋହଳ ରହିବ ଯେଉଁ ପର୍ଯ୍ୟନ୍ତ ସକରାତ୍ମକତା ହାର କମଥିବ ବୋଲି କୁହାଯାଇଛି।

ବୈଠକରେ ଦିଲ୍ଲୀରେ ମାସ୍କ ନିୟମ ଅମାନ୍ୟକାରୀଙ୍କ ଲାଗି ଥିବା ୨ହଜାର ଟଙ୍କା ଜରିମନାକୁ ହ୍ରାସ କରାଯାଇ ୫୦୦ ଟଙ୍କାରେ ସୀମିତ କରାଯାଇଛି। ସେହିପରି ନାଇଟ କର୍ଫ୍ୟୁ ସମେତ ସମସ୍ତ କରୋନା କଟକଣା ହଟଇବାକୁ ନିଷ୍ପତ୍ତି ହୋଇଛି। ଏଥିରେ ଆସନ୍ତା ସୋମବାର ଠାରୁ ବସ୍ ଓ ମେଟ୍ରୋରେ ଛିଡା ହୋଇ ଯାତ୍ରା ଲାଗି ଅନୁମତି ମିଳିବ। ସେହିପରି ଦିଲ୍ଲୀରେ ଦୋକାନ ଓ ମଲ ଖୋଲିବାର ସମୟ ସୀମା ମଧ୍ୟ ସମାପ୍ତ ହେବ। ସରକାରୀ କାର୍ଯ୍ୟାଳୟ ମଧ୍ୟ ଶତପ୍ରତିଶତ କ୍ଷମତାରେ ଖୋଲିବ ବୋଲି କୁହାଯାଇଛି।

ଏହାପୂର୍ବରୁ ଗତ ଫେବୃଆରୀ ୪ ତାରିଖରେ ଅନୁଷ୍ଠିତ ଡିଡିଏମଏଙ୍କ ବୈଠକରେ ମଲ ଓ ଦୋକାନଙ୍କୁ ଅତି ବେଶିରେ ରାତି ୮ଟା ପର୍ଯ୍ୟନ୍ତ ଖୋଲିବାକୁ ଅନୁମତି ଥିଲା। ସିନେପ୍ଲେକ୍ସ ଓ ରେଷ୍ଟୁରାଣ୍ଟଙ୍କୁ ୫୦ ପ୍ରତିଶତ କ୍ଷମତାରେ ଚଳାଇବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ସରକାରୀ ଓ ଘରୋଇ କାର୍ଯ୍ୟାଳୟ ୫୦ ପ୍ରତିଶତ କର୍ମଚାରୀରେ ଚଳାଇବାକୁ କୁହାଯାଇଥିଲା।

Spread the love