ବୋଡ଼ା ଜାତୀୟ ସାପ ବିଷରେ ହୋଇପାରିବ Covid-19ର ଚିକିତ୍ସା: ବୈଜ୍ଞାନିକ

ବୁଟାଣ୍ଟା : ସାପ ବିଷ କୋରନା ଭାଇରସ ମହାମାରୀ ବିରୋଧରେ ଲଢିବା ଲାଗି ନୂଆ ଅସ୍ତ୍ର ହୋଇପାରେ। ବ୍ରାଜିଲିୟ ବୈଜ୍ଞାନିକଙ୍କ ଏକ ଅଧ୍ୟୟନରୁ ପ୍ରଥମ ଥର ଏହା ଜଣାପଡିଛି। ଏ ନେଇ ସାଓପାଓଲୋ ବିଶ୍ୱବିଦ୍ୟାଳୟ ବୈଜ୍ଞାନିକଙ୍କ ଗବେଷଣା ସାଇନ୍ସ ଜର୍ଣ୍ଣାଲ ‘ମଲିକ୍ୟୁଲସ’ରେ ପ୍ରକାଶିତ ହୋଇଛି। ଏଥିରେ ବୋଡ଼ା ଜାତୀୟ ସାପ ଜରାକୁଶୁର ଅଣୁ ମାତ୍ର ବିଷ କରୋନା ଭାଇରସକୁ ଶରୀରରେ ବହୁଗୁଣିତ ହେବାକୁ ଦେଉନଥିବା କୁହାଯାଇଛି। ମାଙ୍କଡଙ୍କ ଉପରେ କରାଯାଇଥିବା ପ୍ରୟୋଗରୁ ପ୍ରାୟ ୭୫ ପ୍ରତିଶତ ପର୍ଯ୍ୟନ୍ତ ଭୂତାଣୁ ସମାପ୍ତ କରିପାରୁଥିବାର ଦାବି କରାଯାଇଛି।
ସାଓପାଓଲୋ ବିଶ୍ୱବିଦ୍ୟାଳୟର ପ୍ରଫେସର ଓ ଅଧ୍ୟୟନର ଲେଖକ ରାଫେଲ ଗୁଇଡୋ ଏକ ସାକ୍ଷାତକାରରେ କହିଛନ୍ତି ଯେ ଏହି ସାପ ବିଷରେ ଜୀବାଣୁ ପ୍ରତିରୋଧୀ ଗୁଣ ଥିବାର ପ୍ରଥମରୁ ଜଣାଥିଲା। ପ୍ରୟୋଗଶାଳାରେ ଏହି ପେପ୍ଟାଇଡକୁ ସିନ୍ଥେସାଇଜ ମଧ୍ୟ କରାଯାଇପାରେ। ଏଣୁ ଏଥିରୁ ଔଷଧ ପ୍ରସ୍ତୁତି ଲାଗି ସାପମାନଙ୍କୁ ଧରିବାକୁ ପଡିବନି କି ସେମାନଙ୍କଠାରୁ ବିଷ ସଂଗ୍ରହ କରିବାକୁ ମଧ୍ୟ ପଡିବନି ବୋଲି ସେ କହିଛନ୍ତି। ବିଶ୍ୱରେ କରୋନା ଭାଇରସ ମହାମାରୀ ଚିକିତ୍ସା ଲାଗି ଏପର୍ଯ୍ୟନ୍ତ କୌଣସି ନିର୍ଦ୍ଧିଷ୍ଟ ଔଷଧ ଅଥବା ଚିକିତ୍ସା ପ୍ରଣାଳୀ ବିକଶିତ ହୋଇ ନାହିଁ। ଏଥିରେ ଔଷଧ ପ୍ରସ୍ତୁତି ଦିଗରେ ହୁଏତ ଏହା ବିଶ୍ୱର ପ୍ରଥମ ପଦକ୍ଷେପ ହୋଇପାରେ।
ତେବେ ସଂକ୍ରମିତଙ୍କ ଚିକିତ୍ସା ଲାଗି ଔଷଧ ପ୍ରସ୍ତୁଚି ନିମନ୍ତେ ମାନବ କୋଷିକାରେ ପଦାର୍ଥର ପରୀକ୍ଷଣ କରାଯିବ। ହେଲେ ଏଥିଲାଗି ଅଧ୍ୟୟନକାରୀ ଗବେଷକମାନେ କୌଣସି ନିର୍ଦ୍ଧିଷ୍ଟ ସମୟ ଅବଧି ସୂଚିତ କରିନାହାନ୍ତି। ବ୍ରାଜିଲରେ ଦେଖା ଯାଉଥିବା ଜରାକୁଶୁ ସାପ ବେଶ ଲମ୍ବା। ବୋଡା ଜାତୀୟ ଏହି ସାପ ଗୁଡିକ ପ୍ରାୟ ୬ ଫୁଟ ବା ୨ ମିଟର ପର୍ଯ୍ୟନ୍ତ ଲମ୍ବା ହୋଇଥାନ୍ତି। ଏଗୁଡିକ ଆଟଲାଣ୍ଟିକ ଉପକୂଳ ଜଙ୍ଗଲରେ ବହୁଳମାତ୍ରାରେ ଦେଖା ଯାଆନ୍ତି। ଏହାଛଡା ବୋଲିଭିଆ, ପାରାଗୁଏ ଓ ଆର୍ଜେଣ୍ଟିନାରେ ମଧ୍ୟ ଦେଖାଯାଆନ୍ତି।

Spread the love