ଆଜି ରାଜ୍ୟରେ ସର୍ବାଧିକ ସୁସ୍ଥ ହେଲେ ୧୮୧୦ ଜଣ

ରାଜ୍ୟ ସରକାରଙ୍କ ସହଯୋଗ ଏବଂ କୋଭିଡ ଯୋଦ୍ଧାଙ୍କର ନିରନ୍ତର ଉଦ୍ୟମ ଫଳରେ ଆଜି ରାଜ୍ୟବାସୀଙ୍କୁ ମିଳିଛି କରୋନା ସଂପର୍କିତ ସବୁଠାରୁ ବଡ଼ ଖୁସି ଖବର। ରାଜ୍ୟର ୨୭ଟି ଜିଲ୍ଲାରୁ ଆଜି ୧୮୧୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାରୁ ରାଜ୍ୟ ସରକାର କରୋନା ଯୋଦ୍ଧାଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଦିଆଯାଇଥିବା ସୂଚନା ଅନୁସାରେ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କର ସଂଖ୍ୟା ୨୮ ହଜାର ୬୯୭ରେ ପହଞ୍ଚିଛି।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଗଂଜାମ ଜିଲ୍ଲାରୁ ଆଜି ସର୍ବାଧିକ ୭୦୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ୨୦୨ ଜଣ, କଟକ ଜିଲ୍ଲାରୁ ୧୪୭ ଜଣ, ଗଜପତି ଜିଲ୍ଲାରୁ ୧୩୬ ଜଣ, ଢେଙ୍କାନାଳ ଜିଲ୍ଲାରୁ ୧୧୬ ଜଣ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୧୦୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ରାଜ୍ୟ ସରକାରଙ୍କ ତଥ୍ୟ ଅନୁସାରେ ଗତକାଲି ରାତି ୧୨ଟା ସୁଦ୍ଧା ମୋଟ ୬ ଲକ୍ଷ ୧୬ ହଜାର ୬୪୬ ଜଣଙ୍କର ସ୍ୱାବ ନମୁନା ପରୀକ୍ଷା ହୋଇଛି। ଏଥିରୁ ଏଯାଏଁ ୪୨ ହଜାର ୫୫୦ଟି ନମୁନା ରିପୋର୍ଟ ପଜିଟିଭ ଆସିଛି। ମୋଟ ୨୮ ହଜାର ୬୯୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୨୪୭ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଏବେ ୧୩ ହଜାର ୫୬୦ ଜଣ କରୋନା ଆକ୍ରାନ୍ତ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।

Spread the love