ସଲମାନଙ୍କ ପରିବାରରେ ପଶିଲା Covid-19, ୩ ସଦସ୍ୟଙ୍କ ରିପୋର୍ଟ ପଜିଟିଭ

ମୁମ୍ବାଇ ୧୫।୧୨: କରଣ ଜୋହରଙ୍କ ପାର୍ଟିରୁ ଏବେ କୋଭିଡ-୧୯ ବି ଟାଉନକୁ ବ୍ୟାପିବାରେ ଲାଗିଛି। ଏହି କ୍ରମରେ ସଲମାନ ଖାନଙ୍କ ପରିବାରର ୩ ଜଣ ସଦସ୍ୟ କୋଭିଡ ପଜିଟିଭ ଥିବା ରିପୋର୍ଟରୁ ଜଣାପଡିଛି। ରିପୋର୍ଟ ଆସିବା ପରେ ସେଲିବ୍ରିଟିମାନେ ନିଜକୁ ଆଇସୋଲେଟ କରିଥିବା ବେଳେ ବୃହ୍ନମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ (ବିଏମସି) ସେମାନଙ୍କ ଘର ଓ ପରିବେଶ ସାନିଟାଇଜ କରିଛି। ରିପୋର୍ଟ ପଜିଟିଭ ଆସିଥିବା ଲୋକେ ଡାକ୍ତରଙ୍କ ତତ୍ୱାବଧାନରେ ଘରେ ଅବସ୍ଥାନ କରୁଥିବା ଜଣାପଡିଛି।

ସଲମାନଙ୍କ ଘରକୁ କୋଭିଡ ସୋହେଲ ଖାନ, ତାଙ୍କ ପତ୍ନୀ ସୀମା ଖାନ ଓ ୧୦ ବର୍ଷର ପୁଅ ୟୋହାନ ଖାନଙ୍କ ସହ ଆସିଛି। ସେପଟେ ସଞ୍ଜୟ କପୁରଙ୍କ ପତ୍ନୀ ମହିପ କପୁରଙ୍କ ରିପୋର୍ଟ ମଧ୍ୟ ପଜିଟିଭ ଆସିଥିବା ଜଣାପଡିଛି। ତେବେ ପାର୍ଟିର ଆୟୋଜକ କରନ ଜୋହର ପାର୍ଟିରୁ ଫେରିଥିବା ଲୋକେ କୋଭିଡ ସଂକ୍ରମିତ ହୋଇଥିବା ଜାଣିବା ପରେ ପୁରା ପରିବାରର ଆରଟି-ପିସିଆର ପରୀକ୍ଷଣ କରାଇଛନ୍ତି। ତେବେ କରଣଙ୍କ ପରିବାରରେ ସମସ୍ତଙ୍କ ରିପୋର୍ଟ ନେଗେଟିଭ ଆସିଛି।

ସେପଟେ କୋଭିଡ ଗାଇଡଲାଇନ ଅନୁସାରେ ବିଏମସି ସୀମା ଓ ୟୋହାନ ରହୁଥିବା ଘରକୁ ସିଲ କରିଛି। ଏଠାରେ ଏବେ ଆରଟି-ପିସିଆର ପରୀକ୍ଷଣ କରାଯିବ। ରିପୋର୍ଟ ମିଳିବା ପରେ ସୀମା ରହୁଥିବା ବିଲ୍ଡିଂ ଫ୍ଲୋର ଗୁଡିକୁ କିପରି ଅନଲକ କରାଯିବ ସେ ନେଇ ନିଷ୍ପତ୍ତି ନିଆଯିବ। ତେବେ ସୀମା ରହୁଥିବା ଫ୍ଲୋରଟି ସିଲ ରହିବ। ଡିସେମ୍ବର ୮ ତାରିଖ ଦିନ କରନ ଜୋହର ତାଙ୍କ ଫିଲ୍ମ ‘କଭି ଖୁସି କଭି ଗମ’ ର ୨୦ତମ ବାର୍ଷିକ ଅବସରରେ ତାଙ୍କ ଘରେ ପାର୍ଟି ଦେଇଥିଲେ।

ଏହି ପାର୍ଟିରୁ ଫେରିବା ପରେ କରିନା କପୁରଙ୍କ କରୋନା ପରୀକ୍ଷଣ ରିପୋର୍ଟ ପଜିଟିଭ ଆସିଥିଲା। ଏଣୁ ଅମୃତା ଆରୋରା ତାଙ୍କର ପରୀକ୍ଷଣ କରାଇବାରେ ସେ ମଧ୍ୟ ପଜିଟିଭ ଥିବା ଜାଣିବାକୁ ପାଇଥିଲେ। କରିନା କପୁରଙ୍କ ବିଲ୍ଡିଂକୁ ବିଏମସି ସିଲ କରିଛି। ତେବେ ବଲିଉଡ କଳାକାର ପ୍ରଥମ ଥର କରୋନାରେ ସଂକ୍ରମିତ ହେଉ ନାହାନ୍ତି। ଏମାନଙ୍କ ପୂର୍ବରୁ ଉର୍ମିଲା ମାତଣ୍ଡୋକର, କମଲା ହାସନ, ତନିଷା ମୁଖାର୍ଜୀ ଆଦି ମଧ୍ୟ କରୋନା ସଂକ୍ରମିତ ହୋଇ କ୍ରମଶଃ ସୁସ୍ଥ ହୋଇଛନ୍ତି।

Spread the love